କନକ ବ୍ୟୁରୋ : କଟକ ଏସସିବି ବଡ଼ ମେଡିକାଲରେ ଚିକିତ୍ସା ଅବହେଳା ଅଭିଯୋଗ । ଆଉ ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏସସିବି ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧାର ସନାତନ ସାହୁ । ସେ ଅଭିଯୋଗ କରିଛନ୍ତି ଯେ, ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କ ପୁଅ ଶୁଭ୍ରାଂଶୁଙ୍କ ମୃତ୍ୟୁ ଘଟିଛି । ଏହାସହ ତାଙ୍କୁ ମିଥ୍ୟା ସୂଚନା ଦିଆଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏନେଇ ସେ ମଙ୍ଗଳାବାଗ ଥାନାରେ ଏସସିବି କର୍ତୃପକ୍ଷଙ୍କ ନାଁରେ ଏତଲା ଦେଇଛନ୍ତି ।

Advertisment

ଅଭିଯୋଗ ଅନୁସାରେ ଶୁଭ୍ରାଂଶୁ ସାହୁଙ୍କର ଗତ ୧୮ ତାରିଖରେ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ୯ ତାରିଖରେ ସେଠାରେ ହିଁ ହାପଲୋ ବୋନମ୍ୟାରୋ ଟ୍ରାନ୍ସପ୍ଲାଂଟ କରାଯାଇଥିଲା । ଶୁଭ୍ରାଂଶୁଙ୍କ ସାନ ଭାଇଙ୍କ ଷ୍ଟେମ ଆଣି ପ୍ରତିରୋପଣ କରାଯାଇଥିଲା । ଆସ୍ତ୍ରୋପଚାର ପରେ ଶୁଭ୍ରାଂଶୁ ଓ ତାଙ୍କ ସାନଭାଇଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିଲା । ଅସ୍ତ୍ରୋପଚାର ପରଦିନ ସାନଭାଇଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା ବେଳେ ଶୁଭ୍ରାଂଶୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା ।

ତେବେ ୧୮ ତାରିଖ ଶୁଭ୍ରାଂଶୁଙ୍କ ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଥିଲେ । ହେଲେ ତାଙ୍କ ବାପାଙ୍କ ଅଭିଯୋଗ ହେଲା ଏନେଇ ତାଙ୍କୁ କିମ୍ବା ପରିବାରକୁ କିଛି ଖବର ଦିଆଯାଇନଥିଲା । ଏହାସହ ଗାଧୁଆ ଘରେ ପଡ଼ି ଶୁଭ୍ରାଂଶୁଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ସେ ବେଡରୁ ଉଠି କିପରି ବାହାରକୁ ଗଲେ ବୋଲି ତାଙ୍କ ବାପା ପ୍ରଶ୍ନ ଉଠାଇଛନ୍ତି । ଏହି ଅଭିଯୋଗ ନେଇ ଏସସିବି କର୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।