ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ବିରୋଧରେ ବଡ଼ ଅଭିଯୋଗ । କରୋନା ଚିକିତ୍ସା ପାଇଁ ଛତିଶଗଡ ଯାଉଛନ୍ତି ବଲାଙ୍ଗୀରର ଆକ୍ରାନ୍ତ । କହିଲେ, ରାୟପୁରର ହୋଟେଲରେ ମିଳୁଛି ଉତମ ମାନର ସ୍ୱାସ୍ଥ୍ୟସେବା ।

154

କନକ ବ୍ୟୁରୋ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କୁ ମିଳିଲାନି ବେଡ । ଚିକିତ୍ସା ପାଇଁ ବରଗଡ ଓ ବଲାଙ୍ଗିରର ରୋଗୀ ଏବେ ଛତିଶଗଡ ମୁହାଁ ହୋଇଛନ୍ତି । କାରଣ ରାଜ୍ୟରେ ଏ ଜିଲ୍ଲାରୁ ସେ ଜିଲ୍ଲାକୁ ବୁଲିଲେ ମଧ୍ୟ ଚିକିତ୍ସା ହୋଇପାରୁନି । ଅନ୍ୟପକ୍ଷରେ ଛତିଶଗଡରେ ବେଡ ମିଳୁଛି, ଚିକିତ୍ସା ମିଳୁଛି । ଆଉ ଦିନକୁ ସବୁକିଛି ମିଶାଇ ଖର୍ଚ୍ଚ ହେଉଛି ମାତ୍ର ୮ ହଜାର ଟଙ୍କା ।

କରୋନା ସଂକ୍ରମଣ ବଢୁଥିବା ବେଳେ ବଲାଙ୍ଗିର ଓ ବରଗଡରେ ଅନେକ ରୋଗୀ ଏବେ କରୋନା ଚିକିତ୍ସା ପାଇଁ ଛତିଶଗଡ ଚାଲିଯାଉଥିବା ଦେଖିବାକୁ ମିଳୁଛି । ସ୍ଥାନିୟ ହସ୍ପିଟାଲରେ ବେଡ ମିଳୁନଥିବାରୁ ସେମାନେ ପଡୋଶୀ ରାଜ୍ୟ ଚାଲିଯାଉଛନ୍ତି । ଛତିଶଗଡରେ ଥିବା ବିଭିନ୍ନ ହୋଟେଲକୁ କୋଭିଡ ହସ୍ପିଟାଲରେ ପରିଣତ କରିଦିଆଯାଇଛି । ଏବଂ ଏଠାରେ ଆଇସୋଲେସନ ୱାର୍ଡର ମଧ୍ୟ ବ୍ୟବସ୍ଥା ରହିଛି ।

ହୋଟେଲରେ ରହି ଚିକିତ୍ସା ସହିତ ଖାଇବା ଏବଂ ଅନ୍ୟ ଖର୍ଚ୍ଚ ମିଶାଇ ଦିନକୁ ୮ ହଜାର ଟଙ୍କା ଖର୍ଚ୍ଚ ହେଉଛି । କୋଭିଡ ଔଷଧ ବି ଏହି ଖର୍ଚ୍ଚ ଭିତରେ ରହିଛି । ବଲାଙ୍ଗିର ଓ ବରଗଡବାସୀଙ୍କ ଏହି ବାଧ୍ୟବାଧକତାକୁ ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେଉ ବୋଲି ଲୋକେ ଦାବି କରୁଛନ୍ତି ।