ଗରିବ ଖଟିଖିଆଙ୍କୁ ଠକିଦେଲେ ସରପଞ୍ଚ । ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବା ନାଁରେ ଲାଞ୍ଚ ନେଇ ଫେରାର ।

129

କନକ ବ୍ୟୁରୋ : ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ଶପଥ ନେଇଥିବା ନେତାଙ୍କ ନାଁରେ ସାଂଘାତିକ ଅଭିଯୋଗ । ଆବାସ ଯୋଜନାରେ ଘର ଦେବାକୁ କହି ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ ନେଇ ଥାନାରେ ଦିଆଯାଇଛି ଏତାଲା । ଏପରି ଅଭିଯୋଗ ଆସିଛି ଯାଜପୁର ଜିଲ୍ଳା ରସୁଲପୁର ବ୍ଲକ ଅତଲାପୁର ପଂଚାୟତରୁ ।

ରସୁଲପୁର ବ୍ଲକ ଅତଲାପୁର ପଂଚାୟତର ସରପଞ୍ଚ ପ୍ରଫୁଲ୍ଲ କୁମାର ସାହୁଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଆବାସ ଗୃହ ଯୋଗାଇ ଦେବା ପାଇଁ ପ୍ରଫୁଲ୍ଲ ନିଜ ପଞ୍ଚାୟତର ପାଖାପାଖି ଶହେରୁ ଅଧିକ ହିତାଧିକାରୀଙ୍କଠୁୁ ୫ହଜାରରୁ ୨୦ ହଜାର ପର୍ଯ୍ୟନ୍ତ ଟଙ୍କା ନେଇଛନ୍ତିି । ସରପଞ୍ଚଙ୍କୁ ଟଙ୍କା ଦେଇ ବି ଘର ପାଇନାହାନ୍ତି ହିତାଧିକାରୀ । ସରପଞ୍ଚଙ୍କ କାର୍ଯ୍ୟକାଳ ସରି ଆସୁଥିବାବେଳେ ସେ ଏବେ ଲୋକଙ୍କୁ ଧରା ଛୁଆଁ ଦେଉନାହାନ୍ତି । ତେଣୁ ସରପଞ୍ଚଙ୍କ ବିରୋଧରେ କୁଆଖିଆ ଥାନାରେ ଏତାଲା ଦେଇଛନ୍ତି ଅଭିଯୋଗକାରୀ ।

ମୁଣ୍ଡ ଉପରେ ଛାତଟିଏ ନଥିବାରୁ ଲୋକେ ଆବାସ ଯୋଜନାରେ ଘରଟିଏ ପାଇବାକୁ ଆଶା ରଖିଛନ୍ତି । ତେଣୁ ବାଧ୍ୟ ହୋଇ ସରପଞ୍ଚଙ୍କୁ ଲାଞ୍ଚ ଦେଇଛନ୍ତି । ଥାନାରେ ହୋଇଥିବା ଅଭିଯୋଗ ସମ୍ପର୍କରେ ସଂପୃକ୍ତ ସରପଞ୍ଚଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଅନ୍ୟପଟେ ଏହି ଘଟଣାରେ ପ୍ରମାଣ ମିଳିଲେ ସରପଞ୍ଚ ପ୍ରଫୁଲ୍ଲଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ହେବ ବୋଲି କୁଆଖିଆ ପୋଲିସ କହିଛି ।