ପଟ୍ଟାମୁଣ୍ଡାଇ ପୋଲିସ ନାଁରେ ସାଂଘାତିକ ଅଭିଯୋଗ । ହାଜତରେ ଅଭିଯୁକ୍ତ ସୁଶାନ୍ତଙ୍କୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ଆଣିଲେ ପରିବାରବର୍ଗ, ଉତ୍ତ୍ୟକ୍ତ ଲୋକଙ୍କ ଥାନା ଘେରାଉ ।

581

କନକ ବ୍ୟୁରୋ : ପଟ୍ଟାମୁଣ୍ଡାଇ ଥାନାରେ ତ୍ରୀବ ଉତ୍ତେଜନା । ହାଜତ ମୃତ୍ୟୁ ଅଭିଯୋଗରେ ପଟ୍ଟାମୁଣ୍ଡାଇ ଥାନା ଘେରାଉ କରିଛନ୍ତି ସ୍ଥାନୀୟ ବାସିନ୍ଦା । ହାଜତ ମଧ୍ୟରେ ଅଭିଯୁକ୍ତଙ୍କୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ଆଣି ଥାନା ଘେରାଉ କରିଛନ୍ତି ଗ୍ରାମବାସୀ ।

ମିଳିଥିବା ସୂଚନା ମୁତାବକ, ଆଜି ଅପରାହ୍ନରେ ଅରଡପଲ୍ଲୀ ଗ୍ରାମର ସୁଶାନ୍ତ ବେହେରାଙ୍କୁ ଚୋରା ମଦ କାରବାରକୁ ନେଇ ଉଠାଇ ଆଣିଥିଲା ପୋଲିସ । ତେବେ ହାଜତରେ ଥିବା ବେଳେ ସୁଶାନ୍ତଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲା ପୋଲିସ । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ କହୁଥିବା ବେଳେ ସୁଶାନ୍ତଙ୍କ ପରିବାରବର୍ଗ ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ଚୋରା ମଦ ବିକ୍ରି ଅଭିଯୋଗରେ ସୁଶାନ୍ତଙ୍କୁ ପୋଲିସ ଉଠାଇ ଆଣିବା ସହ ଥାନାରେ ଅକଥନୀୟ ଅତ୍ୟାଚାର କରିଥିବା ଅଭିଯୋଗ ଆଣିଛନ୍ତି ପରିବାରବର୍ଗ । ଏପରିକି ଥାନାରେ ସୁଶାନ୍ତଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି ସୁଶାନ୍ତ ପରିବାରବର୍ଗ । ଆଉ ନିଜର ଦୋଷ ଲୁଚାଇବା ପାଇଁ ପୋଲିସ ସୁଶାନ୍ତଙ୍କ ଦେହ ଅସୁସ୍ଥ କାରଣରୁ ମୃତ୍ୟୁ ହୋଇଥିବା କହୁଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଆଉ ଏହାର ପ୍ରତିବାଦରେ ଶହ ଶହ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ଥାନା ଘେରାଉ କରିଛନ୍ତି ।