ଆରୟନ ଖାନ୍ ମାମଲାରେ ନୂଆ ମୋଡ । ମିଛ ସାକ୍ଷୀ ଜରିଆରେ ଆରୟନ ଖାନଙ୍କୁ ଫସାଯାଇଛି ?

425

କନକ ବ୍ୟୁରୋ : ମଙ୍ଗଳବାର ବମ୍ବେ ହାଇକୋର୍ଟରେ ଆରୟନ ଖାନଙ୍କର ଜାମିନ ଆବେଦନର ଶୁଣାଣି ରହିଛି । ଏହା ପୂର୍ବରୁ ଏନସିବି ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ମିଛ ସାକ୍ଷୀ ଜରିଆରେ ଆରୟନଙ୍କୁ ଫସାଇ ଦିଆଯାଇଥିବା ଦାବି ହୋଇଛି । ଯାହାକୁ ନେଇ କାଠଗଡାରେ ଏନସିବି । ଆଉ ଅଭିଯୋଗକୁ ଖାରଜ କରିବା ସହିତ ଠିକଣା ସମୟରେ ଜବାବ ଦିଆଯିବ ବୋଲି ଏନସିବି ଅଧିକାରୀ କହିଛନ୍ତି ।

ଆରୟନ ଖାନ୍ ମାମଲାରେ ନୂଆ ମୋଡ । ମିଛ ସାକ୍ଷୀ ଜରିଆରେ ଆରୟନ ଖାନଙ୍କୁ ଫସାଯାଇଛି ? କେ.ପି ଗୋସାଭି । ଆରୟନ ଖାନଙ୍କୁ ଡ୍ରଗ୍ସ ମାମଲାରେ ଗିରଫ ବେଳେ ଗୋସାଭିଙ୍କ ଫଟୋ ବିବାଦରେ ରହିଥିଲା । ଏବେ ଗୋସାଭିଙ୍କ ଅଙ୍ଗରଖୀ ପ୍ରଭାକର ସେଲ୍ ଏକ ଖୁଲାସା କରିଛନ୍ତି ଯାହା ଆରୟନ ଖାନ ଗିରଫଦାରୀ ମାମଲାକୁ ନୂଆ ମୋଡ ଦେଇଛି । ଆଉ ଗିରଫଦାରୀ ପଛରେ ଲାଂଚ କାରବାର ରହିଛି ବୋଲି ଦାବି ହୋଇଛି । ଡିଲ୍ ଫାଇନାଲ ନହେବାରୁ ଆରୟନ ଜେଲ୍ ଯାଇଛନ୍ତି ବୋଲି ପ୍ରଭାକର ଦାବି କରିଛନ୍ତି । ଯାହାକୁ ନେଇ ଶିବସେନା ସାଂସଦ ସଞ୍ଜୟ ରାଉତ ଏବଂ ଏନସିପି ନେତା ନବାବ ମଲିକ ଏନସିବିକୁ ଘେରିଛନ୍ତି । ସଞ୍ଜୟ ରାଉତ ଏହି ଘଟଣାରେ ଟୁଇଟ୍ କରି ମହାରାଷ୍ଟ୍ର ପୁଲିସକୁ ଏହି ମାମଲାରେ ନିଜ ଆଡୁ ତଦନ୍ତ କରିବାକୁ ଆହ୍ୱାନ କରିଛନ୍ତି ।

ଗୋସାଭି ଏନସିବିର କର୍ମଚାରୀ ନୁହେ,ଁ ତେଣୁ ସେ କାହିଁକି ଆରୟନଙ୍କୁ ଟାଣି ଟାଣି ନେଉଥିଲେ ବୋଲି ପୂର୍ବରୁ ପ୍ରଶ୍ନ ଉଠାଇଥିଲା ଏନସିପି ଓ ଶିବସେନା । ଆଉ ଏବେ ଏହି ଦୁଇ ରାଜନ÷÷ତିକ ଦଳ ପ୍ରଭାକରଙ୍କ ବୟାନକୁ ଆଧାର କରି ଏନସିବି ଉପରେ ପ୍ରଶ୍ନ ଉଠାଇଛନ୍ତି । ପ୍ରଭାକର ସତ୍ୟପାଠ ଜରିଆରେ କହିଛନ୍ତି, ଏହି କେସ ପାଇଁ କେପି ଗୋସାଭି, ଶ୍ୟାମ ନାମକ ବ୍ୟକ୍ତି ଏବଂ ଏନସିବି ମଧ୍ୟରେ ୧୮ କୋଟିର ଡିଲ୍ ହୋଇଛି । ଏଥିସହ ଏନସିବି ସାଧା କାଗଜରେ ସାକ୍ଷୀଙ୍କ ଦସ୍ତଖତ ନେଇଥିବା ଦାବି ହୋଇଛି ।

ଅଭିଯୋଗକୁ ଖଣ୍ଡନ କଲା ଏନସିବି । କହିଲେ ଠିକଣା ସମୟରେ ଜବାବ ଦେବେ । ତେବେ ଅଭିଯୋଗକୁ ଚ୍ୟାଲେଞ୍ଜ କରିଛନ୍ତି ମୁମ୍ବାଇର ଏନସିବି ଜୋନାଲ ମୁଖ୍ୟ । ଅଭିଯୋଗକାରୀ ପ୍ରଭାକରଙ୍କୁ ସେ କେବେ ଦେଖିନାହାନ୍ତି । ଆବଶ୍ୟକ ପଡିଲେ ଏନଡିପିସି କୋର୍ଟରେ ଏହି ତଥ୍ୟ ରଖିବାକୁ ସେ ଆହ୍ୱାନ କରିଛନ୍ତି । ଠିକଣା ସମୟରେ ସେ ଜବାବ ଦେବେ ବୋଲି କହିଛନ୍ତି । ଅନ୍ୟପଟେ ଏନସିବି ସପକ୍ଷରେ ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ । ଗୋସାଭି ବିଜେପି ଏଜେଣ୍ଟ ବୋଲି ଦାବି କରିଥିଲା ଶିବସେନା ଏବଂ ଏନସିପି । ଏହାପରେ ଏକ ଠକେଇ ମାମଲାରେ ଗୋସାଭିଙ୍କ ବିରୋଧରେ ମହାରାଷ୍ଟ୍ର ପୁଲିସ ଲୁକ୍ ଆଉଟ୍ ନୋଟିସ ଜାରି କରିଛି ।