କଂଗ୍ରେସ ପାଇଁ ଅଡୁଆ ବଢ଼ିଲା । ରାଜନଗର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଂଶୁମାନଙ୍କ ନାଁରେ ମିଥ୍ୟା ସତ୍ୟପାଠ ଅଭିଯୋଗ ।

217

କନକ ବ୍ୟୁରୋ: କଂଗ୍ରେସ ପାଇଁ ଅଡୁଆ ବଢ଼ିଲା । ରାଜନଗର ବିଧାୟକ ତଥା କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ନାଁରେ ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ଚରଣ ସାହୁ। ସେ ଏ ନେଇ ରିଟର୍ଣ୍ଣିଂ ଅଫିସର ତଥା କେନ୍ଦ୍ରାପଡ଼ା ଏଡିଏମ୍ ବସନ୍ତ କୁମାର ରାଉତଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ବିଜେଡି ବିଧାୟକ ପ୍ରାର୍ଥୀ ଧୃବଚରଣ ସାହୁ ଅଭିଯୋଗର ଦର୍ଶାଇଛନ୍ତି ଯେ, ରାଜନଗର ଥାନା ଅନ୍ତର୍ଗତ ହାତିନା ପଞ୍ଚାୟତ କଇଥା ଗାଁରେ ଏକ ଏକୋଇଶିଆ ଭୋଜିରେ ବେଆଇନ ଭାବେ ଡ୍ରୋନ କ୍ୟାମେରା ଉଡାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । କଇଥା ଗାଁର ସବେର୍ଶ୍ବର ସାମଲ ଗତବର୍ଷ ସେପ୍ଟେମ୍ବର ୪ ତାରିଖରେ ରାଜନଗର ଥାନାରେ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ଓ ତାଙ୍କ ସମର୍ଥକଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ ।

ରାଜନଗର ଥାନାରେ ଏ ନେଇ ଦଫା ୩୪୧, ୩୨୩, ୨୯୪, ୫୦୬, ୩୫୪ସି, ୧୦୯, ୩୪ ଆଇପିସି ଓ ୬୬ଇ (ଆଇଟି) ମାମଲା (ନଂ.୧୪୯/୧୮) ରୁଜୁ ହୋଇଥିଲା । କିନ୍ତୁ ବିଧାୟକ ଅଂଶୁମାନ ମହାନ୍ତି ଏ ସମ୍ପର୍କରେ ସତ୍ୟପାଠରେ ଉଲ୍ଲେଖ କରିନଥିବା ଅଭିଯୋଗ କରିଛନ୍ତି ଧୃବଚରଣ ସାହୁ । ଏବଂ ତାଙ୍କ ନାମାଙ୍କନ ରଦ୍ଦ କରାଯାଉ ବୋଲି ବିଜେଡି ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ, ତାଙ୍କ ନାଁରେ ମାମଲା ଥିବା ନେଇ ସେ ଜାଣି ନାହାନ୍ତି କିମ୍ବା ଏ ନେଇ ଥାନା କିମ୍ବା କୋର୍ଟରୁ ସେ ନୋଟିସ ପାଇ ନାହାନ୍ତି ବୋଲି ବିଧାୟକ ଅଂଶୁମାନ ମହାନ୍ତି କହିଛନ୍ତି ।