କନକ ବ୍ୟୁରୋ: ଭୁବନେଶ୍ୱର ବିଜେପିକୁ ଅଡୁଆ ଅପରାଜିତା! ଏକଥା ଆମେ କହୁନୁ ବରଂ ଏକଥା କହିଛନ୍ତି ଖୋଦ୍ ଭୁବନେଶ୍ୱର ବିଜେପିର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ । ତେବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ କିଭଳି ଓ କାହିଁକି ଭୁବନେଶ୍ୱର ବିଜେପିରେ ବିବାଦ ବଢ଼ିବାରେ ଲାଗିଛି ସେନେଇ ଲିଖିତ ଭାବେ ବିଜେପି ସାଧାରଣ ସମ୍ପାଦକଙ୍କୁ ଜଣାଇଛନ୍ତି ଜିଲ୍ଲାର ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ସାବତ । ଅପରାଜିତାଙ୍କୁ ନେଇ ବିଜେପିରେ ବିଦ୍ରୋହର ଚିତ୍ର ଗତ ନିର୍ବାଚନୀ ଫଳାଫଳ ପରେ ହିଁ ସାମ୍ନାକୁ ଆସିଛି । ତେଣୁ ଗତ ଜୁନ୍ ମାସରେ ହିଁ ଲେଖାଯାଇଥିବା ଏହି ଅଭିଯୋଗପୂର୍ଣ୍ଣ ଚିଠି ବିଜେପି ଦଳୀୟ ଅନ୍ତର୍କନ୍ଦଳକୁ ପଦାରେ ପକାଇଛି ।
ବିଜେପିର ନୀତି ଆଦର୍ଶକୁ ଅବମାନନା କରି ଅପରାଜିତା ଦଳକୁ ଅଡୁଆରେ ପକାଉଛନ୍ତି ବୋଲି ସାଂଘାତିକ ଅଭିଯୋଗ ଆଣିଛି ଭୁବନେଶ୍ୱର ଜିଲ୍ଲା ବିଜେପି । ଏପରିକି କିଛି ଅପରାଧିକ ତତ୍ୱାଧୀକାରୀଙ୍କୁ ସାଙ୍ଗ କରି ନିଜ ନାମରେ ‘ଟିମ୍ ଅପରାଜିତା’ ସଂଗଠନ ଗଢ଼ିଛନ୍ତି ବୋଲି ଅଭିଯୋଗ ହୋଇଛି । ଆଉ ନିଜ କାର୍ଯ୍ୟାଳୟରେ କର୍ମଚାରୀଙ୍କ ମାଧ୍ୟମରେ ସେହି ଟିମକୁ ପରିଚାଳନା କରିବାକୁ ଅପରାଜିତା ପ୍ରୟାସ ଚଳାଇଛନ୍ତି ବୋଲି ସଂଗୀନ ଅଭିଯୋଗ ଆଣିଛି ଭୁବନେଶ୍ୱର ଜିଲ୍ଲା ବିଜେପି ।
କେବଳ ଏତିକି ନୁହେଁ ସାଂଗଠନିକ ବ୍ୟବସ୍ଥା ଯଥା ଜିଲ୍ଲା ମଣ୍ଡଳୀକୁ ପଦାଘାତ କରିବା ପାଇଁ ଷଡ଼ଯନ୍ତ୍ର କରିବା, ବିଭିନ୍ନ ବ୍ୟାନରରେ ରାଜ୍ୟ ଓ ଜିଲ୍ଲା ନେତୃବୃନ୍ଦଙ୍କୁ ସ୍ଥାନ ନଦେଇ ନିଜର ଅହଂକାର ପ୍ରଦର୍ଶନ କରୁଛନ୍ତି ଅପରାଜିତା । ଏହାସହ କାର୍ଯ୍ୟକର୍ତ୍ତାଙ୍କୁ ନିଜର କିରାଣୀ ଭଳି ବ୍ୟବହାର କରୁଥିବା ନେଇ ଅପରାଜିତାଙ୍କ ନାଁରେ ସାଂଘାତିକ ଅଭିଯୋଗ ହୋଇଛି । ଏପରିକି ଗତ ଜୁନ୍ ୨୯ ତାରିଖରେ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର କୌଣସି ଜିଲ୍ଲା ଓ ମଣ୍ଡଳସ୍ତରୀୟ ନେତୃବୃନ୍ଦଙ୍କ ଅଲୋଚନା ନକରି ନିର୍ବାଚନମଣ୍ଡଳୀ ବାହାରେ ଅପରାଜିତା କର୍ମୀ ସମ୍ମିଳନୀ କରିଥିବା ଅଭିଯୋଗ ହୋଇଛି । ତେବେ ଦଳୀୟ ସଂଗଠନକୁ ଏଭଳି ତୁଚ୍ଛ ମନେ କରିବା ଏବଂ ଅନ୍ତକନ୍ଦଳ ପାଇଁ ପ୍ରୋତ୍ସାହିତ କରିବା ବିଜେପିର ନୀତି ଆଦର୍ଶକୁ ଅପମାନିତ କରିଛି ।
ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ନାଁରେ ଏଭଳି ବିିଭିନ୍ନ ଦଳ ବିରୋଧୀ ଅଭିଯୋଗର ଲମ୍ବା ତାଲିକା ପ୍ରସ୍ତୁତ କରି ରାଜ୍ୟ ନେତୃବୃନ୍ଦଙ୍କୁ ଫେରାଦ ହୋଇଛି ଜିଲ୍ଲା ବିଜେପି । ଏପରିକି ଅନୁଶାସନହୀନ କାର୍ଯ୍ୟକ୍ରମ ଓ ନେତୃତ୍ୱ ବିରୋଧରେ ଷଡ଼ଯନ୍ତ୍ରକୁ ନେଇ ପୂରା ଭୁବନେଶ୍ୱର ଜିଲ୍ଲା ବିଜେପି ତଥା, ଜିଲ୍ଲା ସଭାପତି ହରୋକୃଷ୍ଣ ଖୁଣ୍ଟିଆ, ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ଦିଲ୍ଲୀପ ମହାନ୍ତି, ୩ଜଣ ଜିଲ୍ଲା ସାଧାରଣ ସମ୍ପାଦକ ଏବଂ ଜିଲ୍ଲାର ଉପସଭାପତିଙ୍କ ସହ ବିଭିନ୍ନ ନେତୃଗଣ ଅପରାଜିତାଙ୍କ ବିରୋଧରେ ଅଭିଯୋଗର ପାହାଡ଼ ଛିଡ଼ା କରିଛନ୍ତି । ଆଉ ତୁରନ୍ତ ଏହାକୁ ସଂଗଠନର ଶୃଙ୍ଖଳା ଭଙ୍ଗ ବୋଲି ବିଚାର କରାଯାଇ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛି ଜିଲ୍ଲା ବିଜେପି ।
ଅପରାଜିତାଙ୍କ ବିରୋଧରେ ଏଭଳି ଦଳ ବିରୋଧୀ ଅଭିଯୋଗ ଆସିବା ପରେ ବିଜେପିରେ ଆଲୋଡ଼ନ ସୃଷ୍ଟି ହେବା ସହ ରାଜ୍ୟ ରାଜନୀତିରେ ହଟଚମଟ ଆରମ୍ଭ ହୋଇଛି । କାରଣ ବିଜେଡିର ଗଡ଼ ବୋଲାଉଥିବା ଭୁବନେଶ୍ୱର ଲୋକସଭା ଆସନକୁ ଅତି ସହଜରେ ଅକ୍ତିଆର କରି ଅପରାଜିତା ବିଜେପି ଶୀର୍ଷନେତାଙ୍କ ପ୍ରିୟ ପାଲଟିଛନ୍ତି । ଅନ୍ୟପଟେ ଏଭଳି ଅଭିଯୋଗକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି କି, ଜଣେ ଦକ୍ଷତାପୂର୍ଣ୍ଣ ପ୍ରଶାସିକାରୁ ସାଂସଦ ବନିଥିବା ଅପରାଜିତା କ’ଣ ସତରେ ବିଜେପିକୁ ଅଡୁଆରେ ପକାଉଛନ୍ତି? ନା ରାଜନୀତି ସ୍କୁଲରେ ନିଜକୁ ପ୍ରଥମ ଶ୍ରେଣୀ ଛାତ୍ରୀ ବୋଲାଉଥିବା ଅପରାଜିତାଙ୍କୁ ନେଇ ଖୁସି ନାହାନ୍ତି ଭୁବନେଶ୍ୱର ଜିଲ୍ଲା ବିଜେପି ? ପଦ୍ମ ଶିବିରରେ ଏବେ ଅପରାଜିତାଙ୍କୁ ନେଇ ଅର୍ନ୍ତକନ୍ଦଳ କେଉଁ ମୋଡ ନେଉଛି ତାହା ଦେଖିବା ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/08/APARAJITA_00000.png)