ଭୁବନେଶ୍ୱର ବିଜେପି ସାଂସଦ ବନାମ ଭୁବନେଶ୍ୱର ଜିଲ୍ଲା ସଭାପତି । ରାଜନୈତିକ ବିଦ୍ରୋହ ଓ ବିରୋଧାଭାସ ଆଜି ସାଂଘାତିକ ରୂପ ଗ୍ରହଣ କରିଛି, ଯେତେବେଳେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଂଟିଆ ଦଳୀୟ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୁଦ୍ଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । କହିଛନ୍ତି, ସାଂସଦଙ୍କ ପ୍ରତିନିଧି ଦେବାଶିଷ ନାୟକ ତାଙ୍କ ଉପରେ ଆକ୍ରମଣ କରିଛନ୍ତି ।
ଭୁବନେଶ୍ୱର ଏକାମ୍ର ହାଟ ନିକଟରେ ଥିବା ଏକ କାର୍ଯ୍ୟାଳୟରେ ହରେକୃଷ୍ଣ ଖୁଂଟିଆ ବସିଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, କିଛି ଦୁବୃତ୍ତ ମୁହଁରେ କଳାପଟି ବାନ୍ଧି ହରେକୃଷ୍ଣଙ୍କ ଉପରେ ଆକ୍ରମଣ କରିଥିଲେ । ତାଙ୍କ କହିବା ଅନୁସାରେ, ସୁଚିନ୍ତିତ ଭାବେ ମତେ ଟାର୍ଗେଟ କରି ମୁହଁରେ କଳାପଟି ବାନ୍ଧି ଅସିଥିଲେ । ଆକ୍ରମଣରେ ଗୋଡରେ ଆଘାତ ଲାଗିବା କଥା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ହରେକୃଷ୍ଣ ।
ଭୁବନେଶ୍ୱର ସାଂସଦଙ୍କ ଆଡକୁ ସ୍ପଷ୍ଟ ଭାବେ ଇଙ୍ଗିତ କରି ଅନେକ ପ୍ରଶ୍ନ ଉଠାଇଛନ୍ତି ଆକ୍ରମଣର ଶୀକାର ହୋଇଥିବା ହରେକୃଷ୍ଣ ଖୁଂଟିଆ । ଗଣମାଧ୍ୟମ ସାମ୍ନାରେ ସଫା ସଫା ନାଁ ନେଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀଙ୍କର । ସ୍ଥାନୀୟ ସାଂସଦ ଓ ଜିଲ୍ଲା ସଭାପତିଙ୍କ ମଧ୍ୟରେ ଏହି ବିବାଦ ବିଜେପି ଦଳ ଭିତରେ ଚାଲିଥିବା ଅଭ୍ୟନ୍ତରୀଣ କନ୍ଦଳକୁ ସାମ୍ନାକୁ ଆଣୁଛି ।
ପୂର୍ବରୁ ମଧ୍ୟ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାକଳାପକୁ ନାପସନ୍ଦ କରିବା ସହ ଚିଠି ଲେଖି ବିରୋଧ କରିଥିଲେ ହରେକୃଷ୍ଣ ଖୁଂଟିଆ । ସଂଗଠନ ଦାୟିତ୍ୱରେ ଥିବା ଦଳୀୟ ସାଧାରଣ ସଂପାଦକ ମାନସ ମହାନ୍ତିଙ୍କୁ ଚିଠି ଲେଖି ଅନେକ ସାଂଘାତିକ ଅଭିଯୋଗ ଆଣିଥିଲେ ।
ବିଜେପିର ନୀତି ଆଦର୍ଶକୁ ଅବମାନନା କରି ଅପରାଜିତା ଦଳକୁ ଅଡୁଆରେ ପକାଉଛନ୍ତି ବୋଲି ସାଂଘାତିକ ଅଭିଯୋଗ ଆଣି ଥିଲେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି । ଏପରିକି କିଛି ଅପରାଧିକ ତତ୍ୱାଧୀକାରୀଙ୍କୁ ସାଙ୍ଗ କରି ନିଜ ନାମରେ ‘ଟିମ୍ ଅପରାଜିତା’ ସଂଗଠନ ଗଢ଼ିଛନ୍ତି ବୋଲି ଅଭିଯୋଗ ଚରିଥିଲେ । ନିଜ କାର୍ୟ୍ୟାଳୟରେ କର୍ମଚାରୀଙ୍କ ମାଧ୍ୟମରେ ସେହି ଟିମକୁ ପରିଚାଳନା କରିବାକୁ ଅପରାଜିତା ପ୍ରୟାସ ଚଳାଇଛନ୍ତି ବୋଲି ସଂଗୀନ ଅଭିଯୋଗ ଆଣିଥିଲା ଭୁବନେଶ୍ୱର ଜିଲ୍ଲା ବିଜେପି ।
ଖାଲି ଏତିକି ନୁହେଁ, ସାଂଗଠନିକ ବ୍ୟବସ୍ଥା ଯଥା ଜିଲ୍ଲା ମଣ୍ଡଳୀକୁ ପଦାଘାତ କରିବା ପାଇଁ ଷଡ଼ଯନ୍ତ୍ର କରିବା, ବିଭିନ୍ନ ବ୍ୟାନରରେ ରାଜ୍ୟ ଓ ଜିଲ୍ଲା ନେତୃବୃନ୍ଦଙ୍କୁ ସ୍ଥାନ ନଦେଇ ଅପରାଜିତା ନିଜର ଅହଂକାର ପ୍ରଦର୍ଶନ କରୁଥିବା ଏହି ଚିଠିରେ ଉଲ୍ଲେଖ କରାଯାଇଥିଲା । ଏହାସହ କାର୍ୟ୍ୟକର୍ତ୍ତାଙ୍କୁ ନିଜର କିରାଣୀ ଭଳି ବ୍ୟବହାର କରୁଥିବା ନେଇ ଅପରାଜିତାଙ୍କ ନାଁରେ ସାଂଘାତିକ ଅଭିଯୋଗ ବି ଆସିଥିଲା ।
ଏପରିକି ଗତ ଜୁନ୍ ୨୯ ତାରିଖରେ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର କୌଣସି ଜିଲ୍ଲା ଓ ମଣ୍ଡଳସ୍ତରୀୟ ନେତୃବୃନ୍ଦଙ୍କ ଅଲୋଚନା ନକରି ନିର୍ବାଚନମଣ୍ଡଳୀ ବାହାରେ ଅପରାଜିତା କର୍ମୀ ସମ୍ମିଳନୀ କରିଥିବା ଏହି ଚିଠିରେ ଦର୍ଶାଯାଇଥିଲା । ତେବେ ଦଳୀୟ ସଂଗଠନକୁ ଏଭଳି ତୁଚ୍ଛ ମନେ କରିବା ଏବଂ ଅନ୍ତକନ୍ଦଳ ପାଇଁ ପ୍ରୋତ୍ସାହିତ କରିବା ବିଜେପିର ନୀତି ଆଦର୍ଶକୁ ଅପମାନିତ କରିଛି ।
ଆଉ ଆଜି ପୁଣି ଥରେ ଅପରାଜିତା ବନାମ ହରେକୃଷ୍ଣ ବିବାଦ ସାମ୍ନାକୁ ଆସିଛି । ଦଳ ଭିତରେ ସବୁ କିଛି ଠିକ ଚାଲିନଥିବାକୁ ଏହା ଦର୍ଶାଉଥିବା ବେଳେ ନେତୃତ୍ୱକୁ ନେଇ କନ୍ଦଳର ଏହା ଏକ ବଡ କାରଣ ହୋଇପାରେ । ଅର୍ଥାତ୍ ବିଜେପିରେ କିଏ ଶକ୍ତିଶାଳୀ ଏବଂ କାହା କ୍ୟାମ୍ପର କଥା ଅନୁସାରେ ରାଜ୍ୟ ବିଜେପିରେ କାର୍ଯ୍ୟ ଚାଲୁଛି, ତାକୁ ଦର୍ଶାଇବାକୁ ଯାଇ ଏଭଳି ବିବାଦ ମାନ ଘଟୁଥିବା ଅନୁମାନ କରାଯାଉଛି ।
ଆଗକୁ ରାଜ୍ୟ ବିଜେପିର ସଭାପତି କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲୁଥିବା ବେଳେ କାହା କ୍ୟାମ୍ପର ଓଜନ ରହିବ ଆଉ କାହା କ୍ୟାମ୍ପର ନେତା ଏହି ପଦବୀ ପାଇବ ତାକୁ ନେଇ ସମୀକ୍ଷା ଚାଲୁଥିବା ବେଳେ ସାମ୍ନାକୁ ନଆସି ପଛରେ ରହି କିଛି ନେତା ଗୋଟିଚାଳନା କରୁଥିବା ଦେଖିବାକୁ ମିଳୁଛି । ତେବେ ହରେକୃଷ୍ଣ ଖୁଂଟିଆଙ୍କ ଅଭିଯୋଗ ନେଇ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/APARAJITA_00000.jpg)