କନକ ବ୍ୟୁରୋ : ବିଜେପି ସାଂସଦ ବରୁଣ ଗାନ୍ଧୀ ଏବେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି । ଲକ୍ଷ୍ମୀପୁର ଖେରୀ ହିଂସାକୁ ନେଇ ବରୁଣ ଗାନ୍ଧୀ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍ କରିବା ସହ ଏହି ହିଂସା ବାବଦରେ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ବି ଲେଖିଥିଲେ । ଏହାକୁ ନେଇ ବିଜେପି ଶିବିରରେ ଚର୍ଚ୍ଚା ଜୋର ଧରିଥିଲା । ଏନେଇ ଅନୁମାନ କରାଯାଉଛି କି ବରୁଣ ଗାନ୍ଧୀଙ୍କ ବିଜେପି ମୋହ ଭାଙ୍ଗିଯାଇଛି । ହେଲେ ସେ କଂଗ୍ରେସରେ ଯୋଗ ଦେବେ ବୋଲି କିଛି ବି କହି ନାହାଁନ୍ତି । ଏବେ ଏହି ଚର୍ଚ୍ଚା ଜୋର ଧରିଛି । ଏବେ ପ୍ରୟାଗରାଜ ଠାରେ କିଛି କଂଗ୍ରେସ ନେତା ବରୁଣ ଗାନ୍ଧୀଙ୍କୁ ନେଇ ଏକ ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେପଟେ କଂଗ୍ରେସରେ ଯୋଗଦେଉଥିବା ଖବରକୁ ଖଣ୍ଡନ କରିଛନ୍ତି ବରୁଣ ଗାନ୍ଧୀ ।

Advertisment

ଏହି ପୋଷ୍ଟର ଜରିଆରେ ବରୁଣ ଗାନ୍ଧୀଙ୍କୁ କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯାଇଛି । ପୋଷ୍ଟରରେ ଲେଖାଯାଇଛି କି ‘ଦୁଖର ଦିନ ଗଲାରେ ଭାଇ ଏବେ ଖାଲି ସୁଖ’ । ଏହି ପୋଷ୍ଟରରେ ସୋନିଆ ଗାନ୍ଧୀଙ୍କ ସହ ବରୁଣ ଗାନ୍ଧୀଙ୍କର ଫଟୋ ରହିଛି । ଏହାସହ ପୋଷ୍ଟର ଜାରି କରିଥିବା ସ୍ଥାନୀୟ ନେତା ଇରଶାଦ ଓଲ୍ଲା ଓ ବରିଷ୍ଠ କଂଗ୍ରେସ ନେତା ବାବା ଅଭୟ ଅବସ୍ଥିଙ୍କର ଫଟୋ ବି ରହିଛି ।

କହିରଖୁ କି ଖେରୀ ଘଟଣା ନେଇ ବରୁଣ ଗାନ୍ଧୀ ପୁରା ବଦଳି ଯାଇଥିଲେ । ବାରମ୍ବାର ଟ୍ୱିଟ୍ କରି ବିଜେପିକୁ କାଠଗଡାରେ ଠିଆ କରିଥିଲେ ବରୁଣ । ଏହାକୁ ନେଇ କେନ୍ଦ୍ରୀ ବିଜେପି ନେତୃତ୍ୱ ବରୁଣ ଗାନ୍ଧୀ ଓ ମା ମାନେକା ଗାନ୍ଧୀଙ୍କୁ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟସମିତିରେ ସ୍ଥାନ ଦେଇ ନଥିଲେ । ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଅନୁମାନ କରାଯାଉଛି କି କିଛି ଦଶକ ପରେ ପୁଣି ଗାନ୍ଧୀ ପରିବାର ଏକାଠି ହେବାକୁ ଯାଉଛନ୍ତି ।