୨୦୦୬ ମସିହାର ଲୋମଟାଙ୍କୁରା ବହୁ ଚର୍ଚ୍ଚିତ ନଏଡା ନିଠାରୀକାଣ୍ଡ  ମାମଲାରେ ଆସିଲା ଆଲ୍ହାବାଦ କୋର୍ଟଙ୍କ ବଡ଼ ରାୟ । ରଦ୍ଦ ହେଲା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ। କେବଳ ସେତିକି ନୁହେଁ ଏମାନେ ଦୋଷମୁକ୍ତ ମଧ୍ୟ ହୋଇଛନ୍ତି । ଆଜି ଆହ୍ଲାବାଦ ହାଇକୋର୍ଟ ନିଠାରୀ ହତ୍ୟାକାଣ୍ଡ ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତ ମନିନ୍ଦର ସିଂହ ପଣ୍ଡେର ଓ ସୁରେନ୍ଦ୍ର କୋଲିଙ୍କ ଫାଶୀ ରଦ୍ଦ କରିବା ସହ ଏମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପ୍ଟେମ୍ବରରେ ହାଇକୋର୍ଟ ଏହି ମାମଲାରର ଶୁଣାଣି କରି ଫଇସଲାକୁ ସୁରକ୍ଷିତ ରଖିଥିଲେ

ନିଠାରୀ ହତ୍ୟାକାଣ୍ଡ ମାମଲାରେ ସିବିଆଇ ୧୬ଟି ମାମଲା ରୁଜୁ କରିଥିଲା। ଏଥିମଧ୍ୟରୁ ସୁରେନ୍ଦ୍ର କୋଲିଙ୍କୁ ୧୪ଟି ମାମଲାରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେଥିମଧ୍ୟରୁ ୧୨ଟି ମାମଲାରେ ସୁରେନ୍ଦ୍ର ଦୋଷମୁକ୍ତ ହୋଇଥିବା ଜଣାପଡିଛି। ସେହିପରି ମନିନ୍ଦର ସିଂହ ପଣ୍ଡେରାଙ୍କ ବିରୋଧରେ ୬ଟି ମାମଲା ରୁଜୁ ହୋଇଥିବା ବେଳେ ତାଙ୍କୁ ୩ଟି ମାମଲାରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେ ପୂର୍ବରୁ ଦୁଇଟି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।

୨୦୦୫-୦୬ ରେ ନୋଏଡା ଠାରେ ଘଟିଥିବା ନିଠାରୀ ମାମଲାରେ ସିବିଆଇ ହତ୍ୟା, ଅପହରଣ, ଦୁଷ୍କର୍ମ ଏବଂ ପ୍ରମାଣ ନଷ୍ଟ ମାମଲାରେ ସୁରେନ୍ଦ୍ର କୋଲିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ମନିନ୍ଦର ସିଂହ ପଣ୍ଡେରଙ୍କ ବିରୋଧରେ ମଧ୍ୟ ମାନବ ଚାଲାଣ ଅଭିଯୋଗ କରାଯାଇଥିଲା। ଉଭୟ ଅଭିଯୁକ୍ତ ଆହ୍ଲାବାଦ ହାଇକୋର୍ଟରେ ମୃତ୍ୟୁଦଣ୍ଡକୁ ଚ୍ୟାଲେଞ୍ଜ କରିଥିଲେ। ଏବେ ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ଅଶ୍ୱାନୀ କୁମାର ମିଶ୍ର ଏବଂ ଜଷ୍ଟିସ୍ ଏସ୍‌ଏଚ୍‌ଏ ରିଜ୍‌ବି ଉଭୟଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

୨୦୦୬ ଡିସେମ୍ବର ୨୯ ତାରିଖରେ ନଏଡାର ଗୌତମବୁଦ୍ଧ ନଗରର ନିଠାରୀ ଅଞ୍ଚଳରୁ ମନିନ୍ଦର ସିଂହ ପଣ୍ଡେରଙ୍କ ଘର ପଛରେ ଥିବା ଡ୍ରେନରୁ ୧୯ଟି ନର କଙ୍କାଳ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ନୋଏଡା ପୁଲିସ କୋଲି ଏବଂ ପଣ୍ଡେରଙ୍କୁ ଗିରଫ କରିଥିଲା। ପରେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏହି ସମଗ୍ର ମାମଲାରେ ସିବିଆଇ ମୋଟ ୧୬ଟି ମାମଲା ରୁଜୁ କରିଥିଲା। ୨୦୦୭ ରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା।