ଆହ୍ଲାବାଦ ହାଇକୋର୍ଟଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଦେଶ, ଜ୍ଞାନବାପୀ ପରିସରରେ ଜାରି ରହିବ ଏଏସଆଇର ସର୍ଭେ

143

କନକ ବ୍ୟୁରୋ : ଜ୍ଞାନବାପୀ ପରିସରକୁ ନେଇ ଆହ୍ଲାବାଦ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ଜୁଲାଇ ୩୧ ତାରିଖ ମଧ୍ୟରେ ସର୍ଭେ କାମ ସାରିବାକୁ ଏଏସଆଇକୁ ଆଦେଶ ଦେଇଛନ୍ତି । କୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଜ୍ଞାନବାପୀ ପରିସରରେ ଏଏସଆଇର ସର୍ଭେ ହେବ । ଜୁଲାଇ ୩୧ ସୁଦ୍ଧା ସର୍ଭେ କାମ ସାରିବାକୁ ପଡିବ ଓ ସର୍ଭେ ବେଳେ ଜ୍ଞାନବାପୀ ମସଜିଦ କିମ୍ବା ତା ପରିସରରେ ଥିବା କୌଣସି କୋଠା ଯେଭଳି ନଷ୍ଟ ନହୁଏ ତାହା ଉପରେ ନଜର ରଖିବାକୁ କୋର୍ଟ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।

ଶୁଣାଣି ବେଳେ ଏଏସଆଇର ଜଣେ ଅଧିକାରୀ ହାଇକୋର୍ଟକୁ କହିଥିଲେ କି, ଆମେ ଜୁଲାଇ ୨୪ ତାରିଖ ସକାଳ ୯ଟା ବେଳେ ସର୍ଭେ କାମ ଆରମ୍ଭ କରିଥିଲୁ ହେଲେ ଏହା ଉପରେ ରୋକ୍ ଲଗାଯାଇଥିଲା । କୋର୍ଟ ପଚାରିଥିଲେ କି ଆପଣଙ୍କୁ ସର୍ଭେ କାମ ସାରିବାକୁ କେତେ ସମୟ ଦରକାର । ଏଏସଆଇ ଅଧିକାରୀ କହିଥିଲେ କି ବାସ୍ତବରେ କେତେ ସମୟ ଲାଗିବ ତାହା କହିବା ସମ୍ଭବ ନୁହେଁ । ଏହା ପୂର୍ବରୁ ଏଏସଆଇର ସର୍ଭେ ବିରୋଧରେ ମୁସଲିମ ପକ୍ଷର ଆବେଦନ ଉପରେ ଶୁଣାଣି ହୋଇଥିଲା । ମୁସଲିମ୍ ପକ୍ଷର ଓକିଲ ସୟଦ ଫରମାନ ନକବୀ ଓ ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଂକରଙ୍କ ମଧ୍ୟରେ ଯୁକ୍ତି ହୋଇଥିଲା ।

ସେପଟେ ଜ୍ଞାନବାପୀ ପରିସରରେ ଏଏସଆଇ ସର୍ଭେ କରାଯିବା ମାମଲାରେ ହାଇକୋର୍ଟରେ ଏଏସଆଇର ଜଣେ ବିଶେଷଜ୍ଞ ବୟାନ ଦେବାକୁ ପହଂଚିଥିଲେ । ଏଏସଆଇର ଆଡିସିନାଲ ଡେପୁଟି ଡାଇରେକ୍ଟର ଆଲୋକ ତ୍ରିପାଠୀ କୋର୍ଟରେ ପହଂଚିଥିଲେ । ଏହି ଅଧିକାରୀଙ୍କ ଠାରୁ କୋର୍ଟ ଜାଣିବାକୁ ଚାହିଁଥିଲେ କି ସର୍ଭେ କରାଗଲେ ମସଜିଦ ଓ ଏହା ପରିସରରେ କୌଣସି କୋଠା ଓ ଐତିହ୍ୟ ନଷ୍ଟ ହେବ କି ନାହିଁ । ଏନେଇ ଆଲୋକ ତ୍ରିପାଠୀ କୋର୍ଟରେ ତାଙ୍କ ମତ ରଖିଥିଲେ । ଅନ୍ୟପଟେ ମୁସଲିମ ପକ୍ଷ ଓକିଲ ଯୁକ୍ତି ବାଢିଥିଲେ କି ଯେଭଳି ବିବାଦୀୟ ଢାଞ୍ଚାରେ ସର୍ଭେ ଆରମ୍ଭ ହୋଇଥିଲା ଏଥିରେ ଜ୍ଞାନବାପୀ ପରିସରରେ ଅନେକ କିଛି ନଷ୍ଠ ହୋଇଯିବ ।