ଏମିତି ଏକ ଲୋକପ୍ରିୟ ମନ୍ଦିର । ଯେଉଁଠି କୌଣସି ଦେବାଦେବୀ ନୁହଁନ୍ତି, ପୂଜା ପାଉଛି ବୁଲେଟ୍ ଗାଡ଼ି ।

320

କନକ ବ୍ୟୁରୋ : ବୁଲେଟ୍ ମନ୍ଦିର । ମନ୍ଦିରରେ ପୂଜା ପାଉଛି ବୁଲେଟ୍ ଗାଡି । ଭାରତର କୋଣ ଅନୁକୋଣରେ ଅନେକ ଦେବାଦେବୀଙ୍କ ମନ୍ଦିର ରହିଛି । ଆଉ ଠାକୁରଙ୍କ ଦର୍ଶନ ଆଉ ଉପାସନା କରିବା ପାଇଁ ଲୋକେ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥାନ୍ତି । ମନ୍ଦିରରେ ରହିଥାଏ ଠାକୁରଙ୍କ ପ୍ରତିମୂର୍ତ୍ତି, ଆସ୍ଥାନ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଲୋକପ୍ରିୟ ମନ୍ଦିରକୁ ବୁଲାଇନେବୁ, ଯେଉଁଠି ଦେବାଦେବୀଙ୍କୁ ନୁହେଁ ବରଂ ବୁଲେଟ ଗାଡିକୁ ପୂଜା କରିଥାନ୍ତି ଲୋକେ । ଏହା ଶୁଣି ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ, କିନ୍ତୁ ଏହା ସତ । ଆସନ୍ତୁ ଜାଣିବା ଏହି ବୁଲେଟ୍ ମନ୍ଦିର ବାବଦରେ ପୂରା ତଥ୍ୟ ।

ରାଜସ୍ଥାନର ଜୋଧପୁର-ପାଲି ରାଜପଥ ଠାରୁ ୨୦ କିଲୋମିଟର ଦୂରରେ ରହିଛି ଏହି ବୁଲେଟ୍ ମନ୍ଦିର । ଏହି ମନ୍ଦିର ଓମ୍ ବନା ମନ୍ଦିର ଭାବେ ମଧ୍ୟ ଜଣାଶୁଣା । ପୂର୍ବରୁ ହୁଏତ ଏହି ମନ୍ଦିର ବାବଦରେ କେହି ଜାଣିନଥିଲେ, କିନ୍ତୁ ଏହା ଏବେ ବେଶ୍ ପରିଚିତ ।

୧୯୮୮ର କଥା । ଯେତେବେଳେ ରାଜସ୍ଥାନର ରାଜପୁତ ପରିବାରର ଓମ୍ ବନା ନିଜ ବୁଲେଟ୍ ବାଇକ୍ ନେଇ ଯାଉଥିଲେ, ରାସ୍ତାରେ ତାଙ୍କର ଦୁର୍ଘଟଣା ଘଟିଥିଲା । ଆଉ ଏହି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । କୁହାଯାଏ, ôଦୁର୍ଘଟଣା ପରେ ତାଙ୍କ ବାଇକଟିକୁ ଥାନାକୁ ନିଆଯାଇଥିଲା । କିନ୍ତୁ ବାଇକଟି ଥାନାରୁ ଗାୟବ ହୋଇଗଲା ଏବଂ ଦୁର୍ଘଟଣା ସ୍ଥାନରୁ ପୁଣି ସେହି ବାଇକକୁ ଉଦ୍ଧାର କରାଗଲା, ଯେଉଁଠି ଓମ୍ ବନାଙ୍କ ଦୁର୍ଘଟଣା ହୋଇଥିଲା ।

ଏମିତି ଯେତେ ଥର ବାଇକକୁ ଥାନାକୁ ଅଣାଯାଉଥିଲା, ବାଇକଟି ଥାନାରୁ ଗାୟବ ହୋଇଯାଉଥିଲା । ଆଉ ସେହି ଦୁର୍ଘଟଣା ସ୍ଥାନରୁ ହିଁ ମିଳୁଥିଲା । ଏମିତି କି ପୋଲିସ ଚେନ୍ ସାହାଯ୍ୟରେ ଥାନା ଭିତରେ ବୁଲେଟଟିକୂୁ ବାନ୍ଧି ରଖୁଥିଲେ ମଧ୍ୟ, ବୁଲେଟ୍ ସେଠାରୁ ଗାୟବ ହୋଇଯାଉଥିଲା । ଏହା ପରେ ଏହାକୁ ଚମତ୍କାର ଭାବି ବୁଲେଟଟିକୁ ସେହି ଦୁର୍ଘଟଣା ସ୍ଥାନରେ ସ୍ଥାପିତ କରାଯାଇଥିଲା । ଏହା ପରେ ଲୋକେ ବୁଲେଟକୁ ପୂଜାର୍ଚ୍ଚନା କରିବା ଆରମ୍ଭ କରିଦେଲେ, ଏବଂ ଏହି ବୁଲେଟ୍ ପ୍ରତି ଲୋକଙ୍କ ଆସ୍ଥା ମଧ୍ୟ ବଢି ବଢି ଚାଲିଲା ।

ଲୋକଙ୍କ ବିଶ୍ୱାସ ରହିଛି, ଏହି ବୁଲେଟ୍ ସେମାନଙ୍କର ରକ୍ଷା କରିଥାଏ ଏବଂ ସମସ୍ତଙ୍କର ମନସ୍କାମନା ପୂରଣ କରିଥାଏ । କୁହାଯାଉଛି, ଯେବେଠାରୁ ଏହି ମନ୍ଦିର ନିର୍ମାଣ କରାଗଲାଣି, ସେବେଠାରୁ ସେଠାରେ କୌଣସି ଦୁର୍ଘଟଣା ଘଟିନାହିଁ । ଦୂରଦୂରାନ୍ତରରୁ ଲୋକମାନେ ଏହି ବୁଲେଟ୍ ମନ୍ଦିରକୁ ଧାଇଁ ଆସନ୍ତି । ଆଉ ବୁଲେଟକୁ ପୂଜା କରିଥାନ୍ତି ।