ଗାଡି ଚାଳକଙ୍କ ପାଇଁ ଜରୁରୀ ଖବର । ପୁଣି ବଦଳିଲା ମୋଟର ଯାନ ନିୟମ । ଉଭୟ କାର ଏବଂ ବାଇକ୍ ସହ ଜଡିତ ନିୟମରେ ୫ଟି ବଡ ପରିବର୍ତ୍ତନ ।

ଆପଣଙ୍କ ସାମାନ୍ୟ ବି ଅବହେଳା ପାଇଁ ସବୁଦିନ ପାଇଁ ରଦ୍ଦ ହୋଇପାରେ ଡ୍ରାଇଭିଂ ଲାଇସେନ୍ସ

4,801

କନକ ବ୍ୟୁରୋ:  ଗାଡି ଚାଳକଙ୍କ ପାଇଁ ଜରୁରୀ ଖବର । ନିୟମ ବଦଳାଇଲା ସଡକ ପରିବହନ ମନ୍ତ୍ରାଳୟ ।  ରାସ୍ତାରେ ଯାନବାହାନ ଚଳାଚଳକୁ ନେଇ ପୁଣି ଥରେ ମୋଟର ଯାନ ଆଇନରେ ପରିବର୍ତ୍ତନ ଆଣିଲା କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ । ଯେଉଁଥିରେ ଉଭୟ ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ସଂମ୍ବନ୍ଧିତ ନିୟମକୁ କଡାକଡି କରାଯାଇଛି । ଯଦି ଆପଣ ଏହି ନିୟମକୁ ଅନୁପାଳନ ନକରନ୍ତି ତେବେ ରାସ୍ତାରେ ଯିବା ସମୟରେ ଆପଣଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଏବେ ନଜର ପକାନ୍ତୁ ପରିବହନ ମନ୍ତ୍ରାଳୟର ଏହି ସଂଶୋଧିତ ଆଇନ ଉପରେ..

ପଲ୍ୟୁସନ ସାର୍ଟିଫିକେଟ୍ ଜରୁରୀ

ସଡକ ପରିବହନ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶନାମା ଅନୁସାରେ, ଯାନବାହାନ ଦ୍ୱାରା ସୃଷ୍ଟି ହେଉଥିବା ବାୟୁ ପ୍ରଦୂଷଣର ମାତ୍ରାକୁ କମ କରିବା ପାଇଁ ପିୟୁସି ସାର୍ଟିଫିକେଟ ନେବା ବାଧ୍ୟତାମୂଳକ । ଏଥିପାଇଁ ସରକାର ୟୁନିଫର୍ମ ପିୟୁସି ସାର୍ଟିଫିକେଟ ୍ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି । ଯାହା କ୍ୟୁଆର କୋଡ ଜରିଆରେ ଆସିବ ଏବଂ ଏଥିରେ ଗାଡିର ସପୂର୍ଣ୍ଣ ବିବରଣୀ ରହିବ ।

ବିଆଇଏସ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ

ଏଣିକି ବିଆଇଏସ ହେଲମେଟ୍ ପିନ୍ଧିବାକୁ ଚାଳକ ବାଧ୍ୟ । ସଡକ ଏବଂ ପରିବହନ ମନ୍ତ୍ରାଳୟ ତରଫରୁ ଦୁଇ ଚକିଆ ଯାନ ତଥା ବାଇକ ଆରୋହୀଙ୍କ ପାଇଁ ବିଆଇଏସ ସାର୍ଟିଫିକେଟ୍ ହେଲମେଟ୍ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ତେବେ ସରକାରଙ୍କ କହିବାନୁସାରେ, ଅଧିକାଂଶ ଗାଡି ଚାଳକ ଶସ୍ତା ହେଲମେଟ ବ୍ୟବହାର କରିବା ଦ୍ୱାରା ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ତେଣୁ ଏଭଳି ପରିସ୍ଥିତିକୁ ଏଡାଇବା ପାଇଁ ଗାଡି ଚାଳକଙ୍କୁ କେବଳ ବିଆଇଏସ୍ ହେଲମେଟ୍ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି ।

ଗାଡି ପାଇଁ ନୋମିନି ଜରୁରୀ

କେନ୍ଦ୍ର ମୋଟର ଯାନ ନିୟମ, ୧୯୮୯ର ସଂଶୋଧିତ ପ୍ରସ୍ତାବ ଅନୁସାରେ, ଗାଡି ମାଲିକ ରେଜିଷ୍ଟ୍ରେସନ ସାର୍ଟିଫିକେଟରେ କୌଣସି ଜଣେ ବ୍ୟକ୍ତିଙ୍କୁ ନୋମିନି କରିପାରିବେ । ତେବେ ପଂଜିକରଣ ସମୟରେ ହିଁ ନୋମିନେସନର ସୁବିଧା ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହାଦ୍ୱାରା ଯଦି କୌଣସି କାରଣରୁ ଗାଡି ମାଲିକଙ୍କର ମୃତ୍ୟୁ ହୋଇଯାଏ ତେବେ ଗାଡିକୁ ସଂପୃକ୍ତ ନୋମିନିଙ୍କୁ ଟ୍ରାନ୍ସଫର କରିବାରେ ସହାୟକ ହେବ ।

ମନଇଚ୍ଛା ଭଡା ନେଇପାରିବେନି ଟାକ୍ସି ଚାଳକ

ଓଲା ଏବଂ ଉବେର ଭଳି ଟାକ୍ସି କଂପାନୀମାନଙ୍କ ପାଇଁ ନୂଆ ନିୟମ ମୋଟର ଯାନ ଏଗ୍ରିଗେଟର ଗାଇଡଲାଇନ ୨୦୨୦ ପ୍ରକାଶ ପାଇଛି । ଏହି ନୂତନ ମାର୍ଗଦର୍ଶିକା ଅନୁଯାୟୀ , ଏଣିକି ପିକ୍ ଆୱାର୍ସରେ ମନଇଚ୍ଛା ଭଡା ବଢାଇପାରିବେ ନାହିଁ କ୍ୟାବ୍ କଂପାନୀ ।

ଓଲା, ଉବେର ପାଇଁ ରାଇଡ କ୍ୟାନସଲ କରିବା ମୁସ୍କିଲ

ବର୍ତ୍ତମାନ ଓଲା, ଉବେରର ଡ୍ରାଇଭର କିମ୍ବା ଯାତ୍ରୀ ବୁକିଂ କନଫର୍ମ ହେବା ପରେ ବିନା କୌଣସି ବୈଧ କାରଣରୁ ଯଦି ରାଇଡ କ୍ୟାନସେଲ କରନ୍ତି ତେବେ ଏଥିପାଇଁ ୧୦ ପ୍ରତିଶତ ଜରିମାନା ଲାଗୁ କରାଯିବ ।

ଡ୍ରାଇଭରଙ୍କ ପାଇଁ ଇନସ୍ୟୁରାନ୍ସ କଭର ଜରୁରୀ

ସେହିଭଳି ଓଲା ଏବଂ ଉବେର ପରି ଟ୍ୟାକ୍ସି କଂପାନୀମାନଙ୍କୁ ସେମାନଙ୍କ ଅଧିନରେ କାମ କରୁଥିବା ସବୁ ଡ୍ରାଇଭରଙ୍କ ବୀମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ନିୟମ ଅନୁସାରେ, ଓଲା, ଉବେର ଭଳି ସଂସ୍ଥାରେ କାମ କରୁଥିବା ଡ୍ରାଇଭରଙ୍କୁ ୧୨ ଘଂଟାରୁ ଅଧିକ ସମୟ ସିଫ୍ଟ ଦେଇପାରିବେନି ମାଲିକ । ସେହିଭଳି କଂପାନୀମାନଙ୍କୁ ଏବେ ଭଡାର ୮୦ ପ୍ରତିଶତ ଅଂଶ ବି ଡ୍ରାଇଭରଙ୍କୁ ଦେବାକୁ ପଡିବ ବୋଲି ଏହି ନୂଆ ନିୟମରେ ଉ୍ଲେଖ ରହିଛି ।