କନକ ବ୍ୟୁରୋ : ବିଶ୍ବବ୍ୟାପୀ ଆତଙ୍କର କାରଣ ପାଲଟିଥିବା କରୋନା ଭାଇରସ୍ ପଶ୍ଚିମ ଏସିଆ ଏବଂ ୟୁରୋପ ଦେଇ ଏବେ ଆମେରିକାରେ ପହଞ୍ଚିଯାଇଛି। ଆମେରିକାରେ ଏହି ଭୂତାଣୁ ଦ୍ବାରା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ଏବଂ ଅନେକ ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ ଏବେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଇଛି। ଏହି ଭାଇରସ୍ ଯୋଗୁଁ ମୃତ୍ୟୁ ସଂଖ୍ୟା ୩ ହଜାର ଛୁଇଁଥିବା ବେଳେ ବିଶ୍ବବ୍ୟାପୀ ପ୍ରାୟ ୯୦ ହଜାର ଲୋକ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଚୀନ୍ରେ ଗତକାଲି ୬ ଶହ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୩୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି। ଇରାନ୍ରେ କରୋନାକୁ ନେଇ ଉଦ୍ବେଗଜନକ ସ୍ଥିତି ଜାରି ରହିଛି ଏବଂ ମୃତ୍ୟୁ ସଂଖ୍ୟା ୫୪ରେ ପହଞ୍ଚିଛି।
ବିଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୮୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ଦେଶରେ ହାଇଆଲର୍ଟ ଜାରି ହୋଇଛି। ନାଗରିକମାନଙ୍କୁ କେବଳ ଅତି ଜରୁରୀ କାମରେ ହିଁ ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ଦକ୍ଷିଣ କୋରିଆର ସ୍ଥିତି ମଧ୍ୟ ସାଂଘାତିକ ରହିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭୩୬ରେ ପହଞ୍ଚିଛି। ଭାରତ, ଆମେରିକା ଏବଂ ବ୍ରିଟେନ୍ ସମେତ ବିଭିନ୍ନ ରାଷ୍ଟ୍ର ଏବେ ଯାତ୍ରା କଟକଣାକୁ କଡ଼ାକଡ଼ି କରିଛନ୍ତି। ଚୀନ୍, ଦକ୍ଷିଣ କୋରିଆ ଏବଂ ଇରାନ୍ ଯାତ୍ରାରୁ ଫେଥିଥିବା ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି ଏବଂ ବିମାନ ବନ୍ଦରଗୁଡ଼ିକରେ ବ୍ୟାପକ ଯାଞ୍ଚ ବ୍ୟବସ୍ଥା ହୋଇଛି।
ଦକ୍ଷିଣ କୋରିଆରେ କରୋନା ସଙ୍କଟ ଭୟାନକ ରୂପ ନେବା ପରେ ଏବେ ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍ କରୋନା ମୁକାବିଲା ପାଇଁ ଦମନ ନୀତି ଧରିଛନ୍ତି। ଏ ପର୍ଯ୍ୟନ୍ତ ଉତ୍ତର କୋରିଆରେ ଗୋଟିଏ ବି ମାମଲା ସାମ୍ନାକୁ ଆସିନଥିଲେ ମଧ୍ୟ କିମ୍ ଜଙ୍ଗ୍ ଅଧିକାରୀମାନଙ୍କୁ ବାରମ୍ବାର ଧମକାଇବାରେ ଲାଗିଛନ୍ତି। ଦେଶକୁ କରୋନା ପ୍ରବେଶ କଲେ ଅଧିକାରୀମାନଙ୍କୁ କଠୋର ଦଣ୍ଡ ମିଳିବ ବୋଲି ସେ ଚେତାଇ ଦେଇଛନ୍ତି। ଫ୍ରାନ୍ସରେ କରୋନାରେ ୨ ଜଣଙ୍କ ମୃତ୍ୟୁ ପରେ ଆତଙ୍କ ଖେଳିଯାଇଛି। ସମସ୍ତ ପ୍ରମୁଖ ସହରରେ ନାଗରିକମାନଙ୍କୁ ଏ ନେଇ ସତର୍କ ରହିବାକୁ କୁହାଯାଇଛି।
/kanak/media/post_attachments/wp-content/uploads/2020/01/coronavirus_cover_colour_change_1024-300x122.jpg)
ଜାପାନରେ ଭାଇରସ୍ ଦ୍ବାରା ସଂକ୍ରମିତ କ୍ରୁଜ୍ରୁ ସମସ୍ତ ପରିଚାଳକ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି। ଜାପାନର କୌଣସି ସ୍ଥାନରେ ନାଗରିକଙ୍କୁ ଅଧିକ ସଂଖ୍ୟାରେ ସମବେତ ନହେବା ପାଇଁ କୁହାଯାଇଛି। କରୋନାକୁ ନେଇ ଏବେ ପାକିସ୍ତାନରେ ମଧ୍ୟ ଆତଙ୍କ ବଢ଼ିଛି। ଆଫଗାନିସ୍ତାନ ସୀମା ଦେଇ ପାକିସ୍ତାନରେ କରୋନା ପ୍ରବେଶ କରିବା ଆଶଙ୍କା ବଢ଼ୁଥିବାରୁ ସୀମା ବନ୍ଦ କରିବାକୁ ପାକିସ୍ତାନ ଘୋଷଣା କରିଛି। ପାକିସ୍ତାନରେ ଏବେ ୪ ଜଣ କରୋନା ରୋଗୀ ଅଛନ୍ତି। ଅଷ୍ଟ୍ରେଲିଆଏବଂ ଥାଇଲାଣ୍ଡ୍ରେ ମଧ୍ୟ ପ୍ରଥମ କରୋନା ମୃତ୍ୟୁ ଘଟିଥିବା ସରକାର ସ୍ପଷ୍ଟ କରିଛନ୍ତି। ଅଷ୍ଟ୍ରେଲିଆରେ ଏବେ ୨୬ ଜଣ କରୋନା ଆକ୍ରାନ୍ତ ଅଛନ୍ତି। କରୋନାର ମୁକାବିଲା ପାଇଁ ବିଶ୍ବବ୍ୟାପୀ ପ୍ରୟାସ ଜାରି ରହିଥିବା ବେଳେ ଏ ପର୍ଯ୍ୟନ୍ତ ଏହାର ପ୍ରତିକାର ନିମନ୍ତେ ଔଷଧ ବାହାରି ପାରିନାହିଁ।