ସନ୍ଧ୍ୟା ସାଢେ ୫ଟା ପରେ କାର୍ଯ୍ୟାଳୟ ଛାଡିବେ ମହିଳା । ସିଭିଲ୍ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିର୍ଦ୍ଦେଶନାମା ପଛର କାରଣ ଓ ଉଦ୍ଦେଶ୍ୟକୁ ନେଇ ଚର୍ଚ୍ଚା

283

କନକ ବ୍ୟୁରୋ: ସଂଧ୍ୟା ସାଢ଼େ ୫ଟାରେ ଅଫିସ ଛାଡ଼ିବେ ମହିଳା କର୍ମଚାରୀ । ସିଭିଲ୍ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଚାନକ କାହିଁକି ଏପରି ଏକ ନିର୍ଦ୍ଦେଶନାମା ଦିଆଗଲା, ଏହାକୁ ନେଇ ସଂଦେହ ବଢ଼ିବାରେ ଲାଗିଛି । ଏହି ନିର୍ଦ୍ଦେଶନାମା ସପକ୍ଷରେ ସର୍ବୋଚ୍ଚ ଯନ୍ତ୍ରୀ ଯେଉଁ ଯୁକ୍ତି ବାଢ଼ିଛନ୍ତି, ତାହା ସଂଦେହକୁ ସଂପୂର୍ଣ୍ଣ ଦୂର କରିପାରୁନି । ସେ କହିଛନ୍ତି, ଫାଇଭ-ଟି ରେ ଟାଇମ୍ ଫ୍ୟାକ୍ଟରକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଠିକ୍ ସମୟରେ ଆସିବା, ଠିକ୍ ସମୟରେ କାମ କରିବା ଏବଂ ଠିକ୍ ସମୟରେ ଯିବା ପାଇଁ ସରକାରଙ୍କ ନିର୍ଦ୍ଦେଶ।

ସମୟାନୁବର୍ତି ହେବା ନେଇ ଯେଉଁ ଯୁକ୍ତି ଦର୍ଶାଯାଉଛି, ତାହା କେବଳ ମହିଳାଙ୍କ ପାଇଁ କାହିଁକି ଲାଗୁ ହେବ, ତାହା ହିଁ ବଡ଼ ପ୍ରଶ୍ନ । ଏପଟେ ପୂର୍ତ ବିଭାଗର ଉପ ସଚିବ, ମହିଳା କର୍ମଚାରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଯାହାକି ଏହା ପଛରେ ଅନ୍ୟ କିଛି କାରଣ ନେଇ ଇଙ୍ଗିତ କରୁଛି ।

ନିର୍ମାଣ ସୌଧରେ ଥିବା କାର୍ଯ୍ୟାଳୟକୁ ଯାଇ ପୂର୍ତ ବିଭାଗର ଉପସଚିବ ପାରୁଲ ପଟୁଆରି ମହିଳା କର୍ମଚାରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ ପୂର୍ତ ବିଭାଗର ମହିଳା କର୍ମଚାରୀ ମଧ୍ୟ ସାମିଲ ହୋଇଛନ୍ତି । ଅଫିସରେ ମହିଳାମାନେ କେତେ ସୁରକ୍ଷିତ ଅଛନ୍ତି  ଓ କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି? ସେ ନେଇ ମହିଳା କର୍ମଚାରୀଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି ପାରୁଲ ପଟୁଆରି । ପରବର୍ତୀ ପର୍ଯ୍ୟାୟରେ ସରକାରଙ୍କୁ ଏନେଇ ସେ ରିପୋର୍ଟ ଦେବେ ।

ଯଦି ଏହା ଏକ ସାଧାରଣ ନିର୍ଦ୍ଦେଶନାମା, ତେବେ ମହିଳା କର୍ମଚାରୀଙ୍କ ସହ କାହିଁକି ଆଲୋଚନା କଲେ ମହିଳା ସୁରକ୍ଷା ଓ ନିରାପତା ପାଇଁ ଥିବା ନୋଡାଲ୍ ଅଫିସର ପାରୁଲ ପଟୁଆରି? ନିର୍ମାଣ ସୌଧରେ ଥିବା ଏହି କାର୍ଯ୍ୟାଳୟରେ ମହିଳା କର୍ମଚାରୀଙ୍କ ସୁରକ୍ଷା ନେଇ କିଛି ସମସ୍ୟା ରହିଛି କି?