କନକ ବ୍ୟୁରୋ : ଗୁରୁବାର ଦିନ ଲୋକସଭାରେ ସଡକ ଓ ପରିବହନ ମନ୍ତ୍ରୀ ନିତୀନ ଗଡକରୀ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ସମସ୍ତ ଟୋଲପ୍ଲାଜା ବନ୍ଦ କରିବା ପାଇଁ ସରକାର ଯୋଜନା କରୁଛନ୍ତି । ଆଗାମୀ ଦିନରେ ପ୍ରଯୁକ୍ତି ବିଦ୍ୟା ସହାୟତାରେ ଲୋକମାନେ ସେତିକି ଟୋଲ ଦେୟ ଦେବେ ଯେତିକି ସେମାନେ ସଡକ ଉପରେ ଗମନା ଗମନ କରିବେ ।
ସଂସଦରେ ଓମରେହା ବିଏସପି ସାଂସଦ କୁବେର ଦିନେଶ ସିଂ ଏନେଇ ପ୍ରଶ୍ନ ଉଠାଇଥିଲେ । ଏହାର ଜବାବ୍ ଦେଇ ଶ୍ରୀ ଗଡକରୀ କହିଥିଲେ କି ପୂର୍ବ ସରକାର ସଡକ ପରିଯୋଜନାର ଠିକା ଦେବା ବେଳେ ଏଥିରୁ ଅଧିକ କିଛି ଆମଦାନୀ କରିବାକୁ ଏଭଳି ଟୋଲପ୍ଲାଜା ମାନ ନିର୍ମାଣ କରିଥିଲେ । ନଗର ନିଗମ ସୀମାରେ ଟୋଲପ୍ଲାଜା ନିର୍ମାଣ କରିବା ଏକ ଅନ୍ୟାୟ କାମ । ହେଲେ ଏସବୁକୁ ନଜରରେ ରଖି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ସମସ୍ତ ଟୋଲପ୍ଲାଜା ବନ୍ଦ କରିବାକୁ ସରକାର ଯୋଜନା କରୁଛନ୍ତି । କେବଳ ସେତିକି ନୁହେଁ ସେ କହିଥିଲେ କି ଯେତେବେଳେ ଆପଣ ଜାତୀୟ ରାଜପଥ ଉପରେ ଚଢିବେ ଟେକ୍ନୋଲୋଜି ସହାୟତାରେ ଆପଣଙ୍କ ଫଟୋ ଉଠିଯିବ ଓ ଆପଣ ଯେତେବେଳେ ଜାତୀୟ ରାଜପଥରୁ ଉହ୍ଳାଇବେ ସେତେବେଳେ ବି ଆପଣଙ୍କ ଫଟୋ ଉଠିଯିବ । ତେଣୁ ଆପଣ ଜାତୀୟ ରାଜପଥର ଯେତିକି ରାସ୍ତା ଅତିକ୍ରମ କରିବେ ଆପଣଙ୍କୁ ସେତିକି ଦେୟ ଦେବାକୁ ହେବ ।
କହିରଖୁ କି ଟୋଲପ୍ଲାଜା କାରଣରୁ ଭିଡ ଓ ଏହାଫଳରେ ଲୋକମାନେ ହେଉଥିବା ହଇରାଣକୁ ନେଇ ଦୀର୍ଘ ଦିନ ହେବ ଏହାର ସମାଧାନ କରିବାକୁ ସରକାର ଚେଷ୍ଟା କରୁଛନ୍ତି । ଏହାକୁ ନେଇ ସରକାର କିଛିଦିନ ପୂର୍ବରୁ ଫାଷ୍ଟଟ୍ୟାଗ୍ ବ୍ୟବସ୍ଥା ଲାଗୁ କରିଛନ୍ତି । ଏହାଦ୍ୱାରା ଟୋଲପ୍ଲାଜା ନିକଟରେ ଗାଡି ମାନଙ୍କୁ ଠିଆ ହେବାକୁ ପଡିବ ନାହିଁ । ସେମାନେ ଏହି ପ୍ଲାଜା ଅତିକ୍ରମ କରିବା ପରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଦେୟ କଟିଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/23-21.jpg)