ଜୁନ ମାସରେ ବଦଳିପାରେ ଏହି ସବୁ ନିୟମ: ଜାଣନ୍ତୁ ଆପଣଙ୍କ ଉପରେ କଣ ପଡିବ ପ୍ରଭାବ?

930

କନକ ବ୍ୟୁରୋ: ଆରମ୍ଭ ହେବାକୁ ଯାଉଛି ଜୁନ୍ ମାସ । ସବୁ ମାସ ପରି ଜୁନ ମାସରେ ବି କିଛି ନିୟମ ପରିବର୍ତ୍ତନ ହେବ, ଆଉ କିଛି ନୂଆ ନିୟମ ଲାଗୁ ହେବ । ଜୁନ୍ ମାସ ଆରମ୍ଭ ରୁ ଗ୍ୟାସ୍ ଦର ଠାରୁ ଆରମ୍ଭ କରି ଇ-ସ୍କୁଟର ସବୁ କିଛି ହେବାକୁ ଯାଉଛି ମହଙ୍ଗା । ଖାଉଟିଙ୍କ ପକେଟକୁ ହେବ ମହଙ୍ଗା ମାଡ । ରୋଷେଇ ଘରଠାରୁ ଆରମ୍ଭ କରି ବ୍ୟବସାୟିକ କ୍ଷେତ୍ରରେ ଦେଖିବାକୁ ମିଳିବ ବଡ଼ ପରିବର୍ତ୍ତନ । ପ୍ରତି ମାସର ଆରମ୍ଭରେ କିଛି ନା କିଛି ପରିବର୍ତ୍ତନ ହୋଇଥାଏ, ଯାହା ଆପଣଙ୍କ ପକେଟକୁ ସିଧାସଳଖ ପ୍ରଭାବିତ କରିଥାଏ । ତେବେ ଜାଣିରଖନ୍ତୁ କେଉଁ କ୍ଷେତ୍ରରେ ହେବାକୁ ଯାଉଛି କଣ ପରିବର୍ତ୍ତନ ।

ବଦଳିପାରେ ଏଲପିଜି ଦର
ପ୍ରତି ମାସର ଆରମ୍ଭରେ ଗ୍ୟାସ ଦରରେ ଦେଖିବାକୁ ମିଳିଥାଏ ବଡ ପରିବର୍ତ୍ତନ । କେତେବେଳେ ଗ୍ୟାସ ଦର ବଢୁଥାଏ ତ କେତେବେଳେ ହ୍ରାସ ମଧ୍ୟ ପାଇଥାଏ । ସରକାରୀ ତୈଳ କମ୍ପାନୀଗୁଡିକ ପ୍ରତି ମାସ ଆରମ୍ଭରେ ଏଲପିଜି ମୂଲ୍ୟରେ ପରିବର୍ତ୍ତନ ଆଣିଥାନ୍ତି । ଦେଶର ପ୍ରମୁଖ କମ୍ପାନୀଗୁଡିକ ନିଜ ନିଜ ଗ୍ୟାସ କମ୍ପାନୀ ଗୁଡିକରେ କମ୍ କିମ୍ବା ବୃଦ୍ଧି କରିପାରନ୍ତି । ଗତ ଏପ୍ରିଲ୍ ଓ ମେ ମାସର ପ୍ରଥମ ତାରିଖରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟରେ ହ୍ରାସ କରାଯାଇଥିବା ବେଳେ ୧୪କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ ମାର୍ଚ୍ଚ ମାସରେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ୫୦ଟଙ୍କାକୁ ହ୍ରାସ କରାଯାଇଥିଲା ।

ସିଏନଜି-ପିଏନଜି ମୂଲ୍ୟରେ ହୋଇପାରେ ପରିବର୍ତ୍ତନ
ପ୍ରତି ମାସ ଆରମ୍ଭରୁ ସିଏନଜି-ପିଏନଜି ମୂଲ୍ୟରେ ପେଟ୍ରୋଲିୟମ କମ୍ପାନୀଗୁଡିକ ପରିବର୍ତ୍ତନ କରିଥାନ୍ତି । ଦିଲ୍ଲୀ- ମୁମ୍ବାଇ ଭଳି ସହରରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ । ଗତ ଏପ୍ରିଲରେ ଦିଲ୍ଲୀ ଏବଂ ମୁମ୍ବାଇରେ ସିଏନଜି-ପିଏନଜି ମୂଲ୍ୟରେ ହ୍ରାସ କରାଯାଇଥିବା ବେଳେ ମେ ମାସର ପ୍ରଥମ ଦିନରେ କୌଣସି ପରିବର୍ତ୍ତନ କରାଯାଇନଥିଲା । ତେବେ ଏଭଳି ପରିସ୍ଥିତିରେ ଜୁନ ୧ରେ କେଉଁ ପରିବର୍ତ୍ତନ ହେବ ସେନେଇ ଲୋକଙ୍କ ମନରେ ନୂଆ ଉଦବେଗ ରହିଛି ।

ଜୁନ ଆରମ୍ଭରୁ ମହଙ୍ଗା ହେବ ଇ-ସ୍କୁଟର
ଜୁନ୧ ରୁ ମହଙ୍ଗା ହେବାକୁ ଯାଉଛି ଦୁଇ ଚକିଆ ଇକେକ୍ଟ୍ରିକ୍ ଯାନ । ଆପଣ ଯଦି ଜୁନ୍ ୧ପରେ ଇଲେକ୍ଟ୍ରିକ୍ ବାଇକ୍ କିମ୍ବା ସ୍କୁଟି କିଣିବାକୁ ଯାଉଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ଅଧିକ ମୂଲ୍ୟ ଦେବାକୁ ପଡିବ । ମେ ୨୧ରେ ଏମଏଚଆଇ ଦ୍ୱାରା ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ ଫେମ୍-୨ର ସବସିଡି ରାଶି ସଂଶୋଧନ କରାଯାଇଏହାକୁ କିଲୋୱାଟ ପ୍ରତି ୧୦,୦୦୦ଟଙ୍କାକୁ ହ୍ରାସ କରାଯାଇଛି । ପୂର୍ବରୁ ଏହି ପରିମାଣ କିଲୋୱାଟ୍ ପ୍ରତି ୧୫ହଜାର ଟଙ୍କା ଥିଲା । ଏହି କାରଣରୁ ଅଧିକାଂଶ ବୈଦ୍ୟୁତିକ ଯାନ ଦର ୨୫ହଜାରରୁ ୩୫ ହଜାର ଟଙ୍କା ପର୍ୟ୍ୟନ୍ତ ମହଙ୍ଗା ହୋଇପାରେ ।

ଆରବିଆଇର ଅଭିଯାନ
ଜୁନ୍ ୧ରୁ ଆରମ୍ଭ ହେବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ବଡ଼ ଅଭିଯାନ । ଆରବିଆଇ ପକ୍ଷରୁ ବ୍ୟାଙ୍କରେ ଜମା ହୋଇଥିବା ଅନାବଶ୍ୟକ ରାଶି ସମାଧାନ ପାଇଁ ଏକ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏହି ଅଭିଯାନର ନାମ ‘୧୦୦ ଦିନ ୧୦୦ ଦେୟ ରଖାଯାଇଛି । ରିଜର୍ଭ ବ୍ୟାଙ୍କ ତରଫରୁ ସମସ୍ତ ବ୍ୟାଙ୍କ ମାନଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।
ତେବେ ଏହିଭଳି ଅନେକ ନିୟମ ଜୁନ୍ ମାସ ଆରମ୍ଭରୁ ବଦଳିବାକୁ ଯାଉଛି । ତେଣୁ ମାସ ଆରମ୍ଭରୁ ଜାଣିରଖନ୍ତୁ ଆପଣଙ୍କ ଜୀବନଶୈଳୀ ସହ ଜଡିତ ସମସ୍ତ ନିୟମ ।