ଆନ୍ଧ୍ରକୁ ଓଡ଼ିଶାର କଡ଼ା ଜବାବ : କୋଟିଆର ସବୁ ଗାଁରେ ଲାଗିଲା ଓଡ଼ିଆ ଫଳକ

ଆନ୍ଧ୍ରର ବିରୋଧ ସତ୍ୱେ ଜୋର ଜବରଦସ୍ତ ଲଗାଇଲା ପ୍ରଶାସନ; ତଳଗଂଜେଇପଦରକୁ ଗ୍ରାମସଭା ପାଇଁ ଆସିଥିବା ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

180

କନକ ବ୍ୟୁରୋ : ଆନ୍ଧ୍ରକୁ ଓଡ଼ିଶାର କଡ଼ା ଜବାବ । କୋଟିଆର ସବୁ ଗାଁରେ ଲାଗିଲା ଓଡ଼ିଆ ଫଳକ । କୋଟିଆ ଜିଲ୍ଲା ପ୍ରଶାସନ ପକ୍ଷରୁ ବାକିଥିବା କୋଟିଆର ସବୁ ଗାଁରେ ଓଡ଼ିଆ ଫଳକ ଲଗାଯାଇଛି । ଏହି ସମୟରେ ଆନ୍ଧ୍ର ପକ୍ଷରୁ କେତେକ ସ୍ଥାନରେ ବିରୋଧ କରାଯାଇଥିଲା । ଏହା ସତ୍ୱେ ପ୍ରଶାସନ ଶୁଣିନଥିଲା । ଜୋରଜବରଦସ୍ତ ଫଳକ ଲଗାଯାଇଥିବା ଜଣାପଡ଼ିଛି ।

ଗତ କିଛିଦିନ ହେଲା କୋଟିଆକୁ ନେଇ ଉଭୟ ଓଡ଼ିଶା ଓ ଆନ୍ଧ୍ର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବିବାଦ ଲାଗିଆସୁଛି । କେବେ ଆନ୍ଧ୍ର ଅଧିକାରୀଙ୍କୁ ଓଡ଼ିଶାର ଅଧିକାରୀ ଅଟକ ରଖୁଛନ୍ତି ତ ଆଉକେବେ ଓଡ଼ିଶାର ଅଧିକାରୀଙ୍କୁ ଆନ୍ଧ୍ର ଅଧିକାରୀ ଅଟକ ରଖୁଛନ୍ତି । ଗତକାଲି ଗ୍ରାମସଭା କରିବା ପାଇଁ ତଲଗଞ୍ଜେଇପଦର ଗ୍ରାମକୁ ଆସୁଥିବା ବେଳେ ଉପରସେମ୍ବୀ ଗ୍ରାମ ନିକଟରେ ଆନ୍ଧ୍ର ଅଧିକାରୀଙ୍କୁ ଅଟକ ରଖାଯାଇଥିଲା । ଓଡ଼ିଶାର ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କୁ ସୀମା ଭିତରକୁ ଛାଡିନଥିଲେ । ଅନ୍ୟ ଏକ ପଦ‌େକ୍ଷପ ସ୍ବରୂପ କୋରାପୁଟ ପ୍ରଶାସନ ପକ୍ଷରୁ ବାକିଥିବା ସମସ୍ତଙ୍କ ଗ୍ରାମରେ ଫଳକ ଲଗାଯାଇଛି ।

ତେବେ, ନେରେଡ଼ିବାଲସା ଗାଁରେ ଆଜି ଫଳକ ପୋତିବା ସମୟରେ କିଛି ଆନ୍ଧ୍ର ଅଧିକାରୀ ପହଞ୍ଚି ବିରୋଧ କରିଥିଲେ । ତଥାପି ପଟ୍ଟାଙ୍ଗି ବ୍ଲକ୍ ପ୍ରଶାସନ ପକ୍ଷରୁ ଜୋରଜବରଦସ୍ତ ସେଠାରେ ନାମଫଳକ ପୋତିଥିବା ଜଣାପଡ଼ିଛି । ଏଥିସହିତ; ତଳଗଞ୍ଜେଇପଦର, ଡୋଳିଆମ୍ବ ଓ ହରମାଣ୍ଡାଙ୍ଗି ଗ୍ରାମରେ ଫଳକ ପୋତାଯ ପୋତାଯାଇଥିବା ସୂଚନା ମିଳିଛି । ଏହି ସମୟରେ ପଟ୍ଟାଙ୍ଗି ବିଡିଓ ସୌମ୍ୟ ସାର୍ଥକ ମିଶ୍ର, କୋଟିଆ ପିଇଓ ନବ ହନ୍ତାଳ ପ୍ରମୁଖ ଉପସ୍ଥିତ ଥିଲେ ।