କନକ ବ୍ୟୁରୋ: କେବେ ମିଳିବ ଚିଟଫଣ୍ଡ ଟଙ୍କା। ଚିଟଫଣ୍ଡରେ ଟଙ୍କା ଲଗାଇ ସର୍ବସ୍ୱାନ୍ତ ହୋଇଛନ୍ତି ଓଡ଼ିଶାର ଅନେକ ଗରିବ ପରିବାର। ନିର୍ବାଚନବେଳେ ବିଜେପି ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏବେ ସରକାର ବଦଳିବା ପରେ ବଢୁଛି କ୍ଷତିଗ୍ରସ୍ତଙ୍କ ଆଶା।

Advertisment

ଦିନ ଥିଲା ଏହି ସବୁ ସ୍ଥାନରେ ପ୍ରଭାବଶାଳୀ ଲୋକଙ୍କର ଭିଡ ଜମୁଥିଲା। କିନ୍ତୁ ଏହି ସବୁ ସ୍ଥାନରେ ଚିଟଫଣ୍ଡ ଲିଙ୍କ ସାମନାକୁ ଆସିବା ପରେ ଏଗୁଡିକୁ ସିଲ୍ କରି ଦେଇଛି ଏଜେନ୍ସି। ଆଉ ଭୂତକୋଠିରେ ପରିଣତ ହୋଇଛି ଗରିବଙ୍କ ଅର୍ଥରେ କିଣାଯାଇଥିବା ଏସବୁ ସମ୍ପତ୍ତି। ଅନ୍ୟପଟେ ଚିଟଫଣ୍ଡ ଯୋଗୁଁ ସର୍ବସ୍ୱାନ୍ତ ହୋଇଥିବା କ୍ଷତିଗ୍ରସ୍ତ ଟଙ୍କା ଫେରି ପାଇବା ଲକ୍ଷ୍ୟରେ ଅପେକ୍ଷା କରି ରହିଛନ୍ତି। ନିର୍ବାଚନ ସମୟରେ ଚିଟଫଣ୍ଡ ଟଙ୍କା ଫେରାଇବାକୁ ବିଜେପି ପ୍ରତିଶ୍ରୁତି ଦେଇଥିବାରୁ ଆଶାବାଦୀ ହୋଇପଡିଛି କ୍ଷତିଗ୍ରସ୍ତ ।

ଚିଟଫଣ୍ଡ ଦୁର୍ନିତୀକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ପରେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆରକେ ପାତ୍ରଙ୍କୁ ଜଣିକିଆ କମିସନ ନିଯୁକ୍ତି କରି ତଦନ୍ତ ଦାୟିତ୍ବ ଦିଆଯାଇଥିଲା। ତଦନ୍ତ କମିଶନଙ୍କ ନିକଟରେ ପ୍ରାୟ ୪୪ଲକ୍ଷ କ୍ଷତିଗ୍ରସ୍ତ ସତ୍ୟପାଠ ଦାଖଲ ହୋଇଛି। କିନ୍ତୁ କମିଶନ କାର୍ଯ୍ୟକାଳ ଶେଷ ହେବା ପରେ ବର୍ତ୍ତମାନ ସେସବୁ ଖତ ଖାଉଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ପୁଣି ଥରେ କୋର୍ଟ ଯିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟରେ ଦାଖଲ ମୂଳ ମମଲାର ପିଟିସନର । ଏବେ ଅପେକ୍ଷା ଚିଟଫଣ୍ଡ ଟଙ୍କା ଫେରାଇବାକୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର କେବେ ନେଉଛନ୍ତି ପଦକ୍ଷେପ।