ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ । ପ୍ରମାଣ ନ ମିଳିବାରୁ ୮ ଜଣ ପାଇଲେ ଜାମିନ 

145

କନକ ବ୍ୟୁରୋ: ପୁରୀର ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାକାଣ୍ଡ ମାମଲାରେ କେହି ନୁହଁନ୍ତି ହତ୍ୟାକାରୀ । ହତ୍ୟାକାଣ୍ଡର ପ୍ରାୟ ୯ବର୍ଷ ପରେ ଆଶ୍ଚର୍ଯ୍ୟ କରିବା ଭଳି ରାୟ ଦେଇ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୈାରାଜଜ୍ । ତେବେ କିଭଳି ହତ୍ୟାକାରୀ ଖସିଗଲେ ଏନେଇ ପ୍ରଶ୍ନ ଉଠାଇଛନ୍ତି ଗୁନ ସିଂହାରୀଙ୍କ ମା । ଅନ୍ୟପଟେ କେମିତି ଅଭିଯୁକ୍ତମାନେ ଖସିଗଲେ, କାହିଁକି ପ୍ରମାଣ ମିଳିଲାନି, କିଭଳି ପୁଲିସ ତଦନ୍ତ କରିଥିଲା, ଦାଖଲ ହୋଇଥିବା ଚାର୍ଜସିଟରେ ବିସ୍ତୃତ ତଥ୍ୟ ନଥିଲା କି? ଏସବୁକୁ ନେଇ ଉଠିଛି ପ୍ରଶ୍ନ…

୨୦୧୨ ଅଗଷ୍ଟ ୨୨ । କାଉନସିଲର ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବରିଷ୍ଠ ସେବାୟତ ତଳୁଛ ଭଗବାନ ମହାପାତ୍ର ଓରଫ୍ ଗୁନ ସିଂହାରୀଙ୍କ ଉପରେ ମଣିକର୍ଣ୍ଣିକା ସାହିରେ ହୋଇଥିଲା ଗୁଳିବର୍ଷଣ । ଯାହା ତାଙ୍କ ଜୀବନ ନେଇଯାଇଥିଲା । ତେବେ କାହିଁକି ଗୁନଙ୍କ ଉପରେ ଗୁଳି ବର୍ଷିଥିଲା, ଆଉ ଏହା ପଛର ଚେହେରା କେଉଁମାନେ ଥିଲେ, ତାକୁ ନେଇ ବେଶ ଖୋଳତାଡ ହୋଇଥିଲା । ରାଜନୀତି ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିରେ ଗୁନ ଯେଉଁ ପ୍ରଭାବ ବିସ୍ତାର କରିଥିଲେ, ତାହା ତାଙ୍କ ଜୀବନ ନେଇଥିବା କୁହାଗଲା ।

ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାର ପ୍ରାୟ ୯ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଗିରଫ ୮ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୈାରାଜଜ୍ । ହେଲେ କିଭଳି ହତ୍ୟାକାରୀ ଖସିଗଲେ ଗୁନଙ୍କ ମା ପ୍ରଶ୍ନ ଉଠାଇଛନ୍ତି । ଖାଲି ସେତିକି ନୁହେଁଷ କିଭଳି ଅଭିଯୁକ୍ତ ଖସିଗଲେ? କାହିଁକି ପ୍ରମାଣ ମିଳିଲାନି? କିଭଳି ପୁଲିସ ତଦନ୍ତ କରିଥିଲା? ଦାଖଲ ହୋଇଥିବା ଚାର୍ଜସିଟରେ ବିସ୍ତ୍ୃତ ତଥ୍ୟ ନଥିଲା କି? ଏହି ତମାମ ପ୍ରସଙ୍ଗ ଚର୍ଚ୍ଚାର ପରିଧିକୁ ଆସିଛି ।

ଗୁନଙ୍କ ହତ୍ୟା ପଛରେ ମହେଶ୍ୱର ମହାନ୍ତି ଓ ପିନାକୀ ମିଶ୍ରଙ୍କୁ ବିବାଦ ଘେରକୁ ଟାଣିଥିଲେ ଗୁନ ସିଂହାରୀଙ୍କ ମା । କହିଥିଲେ, ମହେଶ୍ୱରଙ୍କ ଇଙ୍ଗିତରେ ତାଙ୍କର ଅତି ଅନୁଗତ ହତ୍ୟା କରିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଆଇନଗତ ସୁରକ୍ଷା ଦେଉଛନ୍ତି ପିନାକୀ ମିଶ୍ର । ଅନ୍ୟପଟେ ରାଜନୈତିକ ଓ ବ୍ୟବସାୟିକ କାରଣ ପାଇଁ ଯେଉଁ ଗୁଳି ଫୁଟିଥିଲା ତାହା ସିନା ଗୁନ ସିଂହାରୀଙ୍କ ଜୀବନ ନେଲା, ହେଲେ ଏହା ପରର ଘଟଣାକ୍ରମକୁ ମଧ୍ୟ ବେଶ ବିବାଦୀୟ କରିଦେଇଥିଲା । ଯାହାର ପ୍ରଭାବ ତକ୍ରାଳୀନ ପୁରୀ ବିଧାୟକ ତଥା ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଉପରେ ପଡିଥିଲା । ୨୦୧୪ ଫେବୃୟାରୀରେ ସ୍କୁଟିରେ ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲେ ଦୁର୍ବୃତ, ଯାହା ତାଙ୍କୁ ଗୁରୁତର କରିଦେଇଥିଲା । କିଛି ଦିନ ଭିତରେ ୫ ଜଣ ଅପରାଧୀଙ୍କୁ ଗିରଫ କରି ପୁଲିସ କହିଥିଲା, ଗୁନ ସିଂହାରୀଙ୍କ ହତ୍ୟାର ବଦଲା ନେବାକୁ ମହେଶ୍ୱରଙ୍କ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ ।

ଫେବୃୟାରୀ ୨୧, ୨୦୧୪ରେ ମହେଶ୍ୱରଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ମାମଲାରେ ଗୁନ ସିଂହାରୀଙ୍କ ମାଙ୍କୁ ପୁଲିସ ଗିରଫ କରିଥିଲା । ମୁଖ୍ୟ ଷଡଯନ୍ତ୍ରକାରୀ ଭାବେ ଗୁନଙ୍କ ମାଙ୍କୁ ଦର୍ଶାଯାଇଥିଲା । ପୁଅ ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ସୁପାରୀ ଦିଆଯାଇଥିବା କୁହାଯାଇଥିଲା ।