ରାଜ୍ୟ ସରକାରଙ୍କ ‘କରୋନା’ କଟକଣା: ମାର୍ଚ୍ଚ ୩୧ ଯାଏଁ ସ୍କୁଲ ଓ କଲେଜ ବନ୍ଦ ହେଲେ ଚାଲୁ ରହିବ ପରୀକ୍ଷା; ସୁଇମିଂ ପୁଲ୍, ସିନେମା ହଲ୍, ଜିମ, ବିବାହ ଉତ୍ସବ ଏବଂ ସମାବେଶରେ ସାମିଲ ନହେବାକୁ ପରାମର୍ଶ

ବାହାରେ ପାନ ଛେପ ନପକାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

1,679

କନକ ବ୍ୟୁରୋ: କରୋନାକୁ ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି ରାଜ୍ୟ ସରକାର । କ୍ୟାବିନେଟରେ ନିଷ୍ପତି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ପାଇଁ ରାଜ୍ୟରେ ବର୍ତ୍ତମାନ ବନ୍ଦ ରହିବ ଶିକ୍ଷାନୁଷ୍ଠାନ । ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା କିନ୍ତୁ ଜାରି ରହିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଛୋଟ ଛୋଟ ପିଲାମାନଙ୍କ ଠାରେ ଏହି ଭୂତାଣୁ ତୁରନ୍ତ ସଂକ୍ରମିତ ହେଉଥିବାରୁ ଶିକ୍ଷାନୁଷ୍ଠାନ ବନ୍ଦ ନିଷ୍ପତି ନିଆଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ ୪୫ ଦିନ ହେଲା କରୋନା ଭାଇରସ୍ ଭୟ ବିଶ୍ୱକୁ ଗୁରୁତର ଭାବେ ପ୍ରଭାବିତ କଲାଣି । କୌଣସି ଉପଚାର ଓ ଔଷଧ ନଥିବାରୁ କେବଳ ସଚେତନତା ହିଁ ଆମକୁ ରକ୍ଷା କରିପାରିବ ।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବର୍ତ୍ତମାନ ଧର୍ମାନୁଷ୍ଠାନରେ କୌଣସି ଧାର୍ମିକ ଉତ୍ସବ, ଆୟୋଜନ ଉପରେ କଟକଣା ଲଗାଇଛନ୍ତି । ଏହା ଆସନ୍ତା ୩୧ ମାର୍ଚ ଯାଏଁ ଲାଗୁ ରହିବ । ବର୍ତ୍ତମାନ ଧର୍ମାନୁଷ୍ଠାନ ଗୁଡିକରେ ଆୟୋଜନ ହେଉଥିବା ବିବାହ ଭୋଜି, ଧାର୍ମିକ ଉତ୍ସବ ଯେଉଁଥିରେ ଶହ ଶହ ଲୋକଙ୍କ ଏକାଠି ମେଳି ହେବାର ସଂଭାବନା ରହିଛି, ତାହା ଉପରେ ରୋକ୍ ଲଗା ଯାଇଛି । କରୋନା ଭୂତାଣୁ ଲୋକଙ୍କ ଠାରୁ ଲୋକଙ୍କୁ ଅଧିକ ବେଗରେ ସଂକ୍ରମଣ ହେଉଥିବାରୁ ଏପରି କଟକଣା ଜାରି କରିଛନ୍ତି ସରକାର ।

ସେହିଭଳି ରାଜ୍ୟରେ ସୁଇମିଂ ପୁଲ୍ ଉପରେ ଲାଗିଛି କଟକଣା । ମାର୍ଚ୍ଚ ୩୧ ତାରିଖ ଯାଏଁ ସମସ୍ତ ସୁଇମିଂ ପୁଲ୍ ବନ୍ଦ ରହିବ । ଏନେଇ କ୍ୟାବିନେଟ୍ ବୈଠକ ପରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁଇମିଂ ପୁଲରେ ଅନେକ ଲୋକ ଏକାଠି ଜଳକ୍ରୀଡାର ମଜା ନେଉଥିବାରୁ ଏଥିରେ ସଂକ୍ରମଣର ସଂଭାବନା ଅଧିକ ରହିଥିବାରୁ ଏହା ଉପରେ କଟକଣା ଲଗାଇବାକୁ ନିଷ୍ପତି ନେଇଛନ୍ତି ସରକାର । ସେହିପରି ଜିମ୍ ଗୁଡିକ ଉପରେ ମଧ୍ୟ କଟକଣା ଲଗାଯାଇଛି । କାରଣ ଜିମ୍ ଗୁଡିକରେ ବିଭିନ୍ନ ଲୋକ ଏକାଠି ହୋଇଥାନ୍ତି । ଏହା ସହିତ ରାଜ୍ୟରେ ଥିବା ସମସ୍ତ ସିନେମା ହଲ ଗୁଡିକୁ ଆସନ୍ତା ୩୧ ତାରିଖ ଯାଏଁ ବନ୍ଦ ରହିବ । ଏହା ସହିତ ଅତ୍ୟନ୍ତ ଜରୁରୀ ନଥିଲେ ଏକାଠି ନହେବାକୁ କୁହାଯାଇଛି । ସମସ୍ତେ ଘରେ ରହିବା ସହିତ ସାମାଜିକ କାର୍ଯ୍ୟ ଗୁଡିକରେ ଏକାଠି ନହେବା ସହ ଏକାଠି ମେଳି ନହେଲେ ଆମେ କରୋନା ସଂକ୍ରମଣକୁ ଅତି ସହଜରେ ରୋକିପାରିବା ବୋଲି କୁହାଯାଇଛି । ଏହାସହିତ କରୋନା ମୁକାବିଲାରେ ସବୁଠାରୁ ବଡ କଥା ହେଉଛି ସ୍ୱଛତା । ବାରମ୍ୱାର ହାତ ଧୋଇବା ଉପରେ ଦିଆଯାଉଛି ଗୁରୁତ୍ୱ । ବ୍ୟକ୍ତିଗତ ଜୀବନରେ ସ୍ୱଛତାକୁ ଅବଲଂବନ କରିବାକୁ କୁହାଯାଇଛି ।

ଅନ୍ୟପଟେ, କରୋନା ପାଇଁ ବର୍ତ୍ତମାନସାମାଜିକ କାର୍ଯ୍ୟଗୁଡିକ ଉପରେ ଲାଗିଛି କଟକଣା । ସେହିପରି କାର୍ଯ୍ୟାଳୟ ସମ୍ପର୍କିତ ବୈଠକ ଗୁଡିକ ଉପରେ କଟକଣା ବି ଲାଗିଛି । ଏହାସହିତ ଆୟୋଜନ ହେଉଥିବା ସେମିନାର, ୱାର୍କସପ୍ , କନଫରେନ୍ସ ଗୁଡିକ ଉପରେ ମଧ୍ୟ କଟକଣା ଲଗାଯାଇଛି । ଏହି କାର୍ଯ୍ୟକ୍ରମ ଗୁଡିକକୁ ବାତିଲ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । କାରଣ ଏହି ସବୁ କାର୍ଯ୍ୟକ୍ରମ ଗୁଡିକରେ ବିଭିନ୍ନ ଅଂଚଳରୁ ଶତାଧିକ ଲୋକ ଏକାଠି ହେବାର ସଂଭାବନା ଥିବାରୁ ଏହାକୁ ଏଡାଇବାକୁ ଏପରି ନିଷ୍ପତି ନିଆଯାଇଛି । ଅତି ଆବଶ୍ୟକ ନଥିଲେ କେହି ଏକାଠି ନେବାକୁ ପରାମର୍ଶ ଦିଆଯାଇଛି ।