ରିଲର ଭିଲେନ୍ କିନ୍ତୁ ରିୟଲ ହିରୋଙ୍କୁ ନିଆରା ସମ୍ମାନ୍: ପଶ୍ଚିମବଙ୍ଗ ପୂଜା ପେଣ୍ଡାଲରେ ସୋନୁ ସୁଦଙ୍କ ପ୍ରତିକୃତି; ତାଲାବନ୍ଦ ବେଳେ ହଜାର ହଜାର ଶ୍ରମିକଙ୍କୁ ବଢାଇଥିଲେ ସହାୟତାର ହାତ

362

କନକ ବ୍ୟୁରୋ: ପୂଜା ପେଣ୍ଡାଲରେ ସୋନୁ ସୁଦ । ନା ନା ନିଜେ ଅଭିନେତା ସୋନୁ ସୁଦ କୌଣସି ପୂଜା ପେଣ୍ଡାଲକୁ ଯାଇ ନାହାନ୍ତି । କରୋନା କଟକଣା ଭିତରେ ଯେତେବେଳେ ମା’ ଦୂର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି, ସୋନୁ ସୁଦ ପୂଜା ପେଣ୍ଡାଲକୁ କାହିଁକି ଯିବେ ।

ଦେଖନ୍ତୁ କିଭଳି ପୂଜା ପେଣ୍ଡାଲରେ ସ୍ଥାନ ପାଇଛି ସୋନୁ ସୁଦଙ୍କ ପ୍ରତିକୃତି । କରୋନା ଲକଡାଉନ ସମୟରେ ସାରା ଦେଶରେ ପ୍ରବାସୀ ଶ୍ରମିକମାନେ କିଭଳି ହଇରାଣ ହେଉଥିଲେ ତାହା ଆପଣ ଦେଖିଛନ୍ତି । ଆଉ ଏହି ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଦେବଦୂତ ସାଜି ସାମ୍ନାକୁ ଆସିଥିଲେ ଅଭିନେତା ସୋନୁ ସୁଦ । ରିଲରେ ଭିଲେନର ଭୂମିକା ତୁଲାଉଥିବା ସୋନୁ ଏହି ପ୍ରବାସୀଙ୍କୁ ସହାୟତା କରି ପାଲଟି ଯାଇଥିଲେ ରିୟଲ ଲାଇଫ ହିରୋ । ତେଣୁ ପଶ୍ଚିମବଙ୍ଗରେ ସୋନୁଙ୍କୁ କିଛି ଏହିଭଳି ଢଙ୍ଗରେ ସମ୍ମାନିତ କରିଛନ୍ତି ପୂଜା ଆୟୋଜକ ।

ପଶ୍ଚିମବଙ୍ଗର କେସ୍ତୋପୁରରେ ଏକ କ୍ଲବ ପକ୍ଷରୁ ଆୟୋଜିତ ମା ଦୂର୍ଗାଙ୍କ ପୂଜୋତ୍ସବରେ ପ୍ରବାସୀ ଶ୍ରମିକଙ୍କ ସେହି ଦୁର୍ଦ୍ଦିନର ଚିତ୍ର ସାଙ୍ଗକୁ ଅଭିନେତା ସୋନୁ ସୁଦ ଏମାନଙ୍କୁ ସହାୟତା କରୁଥିବାର ଚିତ୍ର ବିଭିନ୍ନ ପ୍ରତିକୃତି ଆକାରରେ ପ୍ରଦର୍ଶିତ ହୋଇଛି । ତେବେ ଏଭଳି ସମ୍ମାନ ପରେ ଟ୍ୱିଟ କରି ସୋନୁ ସୁଦ ମଧ୍ୟ ପୂଜା ଆୟୋଜକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।