କନକ ବ୍ୟୁରୋ : ଆଜିଠୁ କାର୍ଯ୍ୟରେ ଯୋଗ ଦେବେ ଉଚ୍ଚ ଶିକ୍ଷା ବିଭାଗର ସମସ୍ତ ଅଧ୍ୟାପକ ଓ କର୍ମଚାରୀ । ପୂର୍ଣ୍ଣ ଉପସ୍ଥାନରେ ଚାଲିବ ଉଚ୍ଚ ଶିକ୍ଷାନୁଷ୍ଠାନ । ଆଜିଠାରୁ ରୋଷ୍ଟର ଡ୍ୟୁଟି ବ୍ୟବସ୍ଥାକୁ ହଟାଯିବ । ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଏଣିକି ପୂର୍ଣ୍ଣ ଉପସ୍ଥାନରେ ଚାଲିବ। କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁଯାୟୀ କ୍ୟାମ୍ପସରେ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା, ହ୍ୟାଣ୍ଡ ସାନିଟାଇଜର ବ୍ୟବହାର, କ୍ବାରେଣ୍ଟିନ୍‌ ବ୍ୟବସ୍ଥା ଲାଗୁ ହେବ । ଶନିବାର ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ତେବେ ଯେଉଁ ଜିଲ୍ଲା ଓ ସହରରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଲାଗୁ ହୋଇଛି, ସେଠାରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୟୁଜି ଓ ପିଜିର ଅନ୍ୟ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯିବ । ଗୋଟିଏ ପରେ ଅନ୍ୟ ଗୋଟିଏ ସେମିଷ୍ଟର ପରୀକ୍ଷା ହେବ । ଏକାଡେମିକ୍‌ କ୍ୟାଲେଣ୍ଡର ବିଳମ୍ବ ପାଇଁ ଛାତ୍ରଛାତ୍ରୀ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଦିଗରେ ପଦକ୍ଷେପ ନିଆଯାଉଥିବା ଶ୍ରୀ ମିଶ୍ର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ ଯୁକ୍ତ୩ କଲେଜ ଅଧ୍ୟକ୍ଷଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, କୋଭିଡ୍‌-୧୯ର ଭୟାବହତା ପାଇଁ ଏପ୍ରିଲ ଅଧାରୁ ଉଚ୍ଚଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରିବା ସହ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଚାଲିଥିଲା । ପାଖାପାଖି ଅଢ଼େଇ ମାସ ହେଲା ଏଭଳି ଚାଲିବା ଦ୍ବାରା ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଆଗେଇପାରି ନାହିଁ । ଏହାରି ଭିତରେ ୟୁଜି ଓ ପିଜି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଜରରେ ରଖି ଅନ୍‌ଲାଇନ୍‌ରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । ଯେତେଶୀଘ୍ର ସମ୍ଭବ ପରୀକ୍ଷା କରି ଫଳ ପ୍ରକାଶ କରିବାକୁ ବିଭାଗ ପ୍ରାଥମିକତା‌ ଦେଉଛି ।