ବିକାଶ ପଥେ କଳାହାଣ୍ଡି…ମଙ୍ଗଳପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ୨ ହଜାର ୮୫କୋଟି ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେଲେ ନବୀନ

୧ହଜାର ୬୫ କୋଟି ଟଙ୍କାର ୫୪ଟି ପ୍ରକଳ୍ପର ଉଦଘାଟନ । ୧ହଜାର ୨୦କୋଟି ୫୨ଟି ପ୍ରକଳ୍ପର ଶୁଭାରମ୍ଭ

194

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ମିଶନ ପଶ୍ଚିମଓଡିଶା । କଳାହାଣ୍ଡି ମଙ୍ଗଳପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କଳାହାଣ୍ଡିବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ହଜାର ୮୫ କୋଟିରୁ ଅଧିକ ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେଇଛନ୍ତି । ୧ ହଜାର ୬୫ କୋଟି ଟଙ୍କାର ୫୪ଟି ପ୍ରକଳ୍ପର ଉଦଘାଟନ କରିବା ସହ ୧ ହଜାର ୨୦ କୋଟିର ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଯେଉଁଥିରେ ରହିଛି, ୯୮୬ କୋଟି ୭୧ ଲକ୍ଷ ଟଙ୍କାରେ ନିର୍ମିତ ପର୍ବତଗିରି ଉଠାଜଳସେଚନ ପ୍ରକଳ୍ପ । ଏହି ବୃହତ ଉଠା ଜଳପ୍ରକଳ୍ପ ଯୋଗୁଁ କଳାହାଣ୍ଡିର ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଳକ ପ୍ରାୟ ୨୫ ହଜାର ୨୭୫ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ । ଏଥିରେ ୩ ଲକ୍ଷ ଲୋକ ଉପକୃତ ହେବେ । ଏହାସହ ଜୟପାଟଣା ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ କାର୍ଯ୍ୟକ୍ରମ ମଧ୍ୟ ରହିଛି । ତେବେ ନବୀନଙ୍କ ବାର୍ତା ପ୍ରତି ପଂଚାୟତ ଓ ଗାଁରେ ପହଁଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ୬୫ରୁ ଅଧିକ ବିଧାୟକ ଓ ୧୦ରୁ ଅଧିକ ମନ୍ତ୍ରୀ କଳାହାଣ୍ଡିରେ ଡେରା ପକାଇଛନ୍ତି ।

ସେହିପରି କେସିଙ୍ଗାରେ ମଡେଲ ବସ୍ତିର ଶୁଭାରମ୍ଭ କରିବେ ନବୀନ ପଟ୍ଟନାୟକ । ଏହା ରାଜ୍ୟର ପ୍ରଥମ ମଡେଲ ବସ୍ତି ହେବ । ୪୪ଟି ପରିବାର ଏଠାରେ ରହିବେ । କମ୍ୟୁନିଟି ହଲ୍ ଠାରୁ ଆରମ୍ଭ କରି ଲୋକଙ୍କ ପାଇଁ ଏଠାରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜୟପାଟଣାରେ ୨୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।