ବୁଲବୁଲକୁ ନେଇ ବଡ ଖବର । ୯ ତାରିଖରେ ୯ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା, ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର ।

6,423

କନକ ବ୍ୟୁରୋ : ଓଡିଶା ଉପରୁ ଟଳିଛି ବାତ୍ୟା ବିପଦ । ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡକୁ ମୁହାଁଇବ । ତେବେ ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଆସନ୍ତାକାଲିଠାରୁ ତିନି ଦିନ ଯାଏ ଉପକୂଳ ଓ ଉତର ଓଡିଶାରେ ପ୍ରବଳ ବର୍ଷା ହେବ । ଏହି ସମୟରେ ୮୦ରୁ ୯୦ କିଲୋମିଟର ବେଗରେ ପବନ ବି ବୋହିବ । ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ଏନଡିଆରଏଫ ଓ ଓଡ୍ରାଫ ଟିମକୁ ସଜାଗ ରଖିଛନ୍ତି ସରକାର । ସେହିଭଳି ପ୍ରବଳ ବର୍ଷାର ଆଶଙ୍କା କରି ଆସନ୍ତା ୯ ତାରିଖରେ ୯ ଜିଲ୍ଲାର ସ୍କୁଲ ଛୁଟି ଘୋଷଣା କରାଯାଇଛି । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡାରେ ୮ ଓ ୯ ତାରିଖ ଦୁଇ ଦିନ ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି ।

ସେହିଭଳି ବାତ୍ୟା ବୁଲବୁଲର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାର କିଛି ଅଞ୍ଚଳରେ ପବନର ବେଗ ୯୦ ଛୁଇଁପାରେ ବୋଲି କହିଛନ୍ତି ଡେପୁଟି ଏସଆରସି । ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ । ୧୦ଟି ଜିଲ୍ଲାରେ ଓଡ଼୍ରାଫ୍ ଟିମ୍ ମୁତୟନ ରହିବେ । ୮ ତାରିଖ ଅପରାହ୍ନରୁ ବର୍ଷା ଆରମ୍ଭ ହେବ । ୮ ଓ ୯ ତାରିଖରେ ସତର୍କ ରହିବାକୁ ପରାମର୍ଶ । ବର୍ଷା ଓ ପବନ ସମୟରେ ବାହାରକୁ ନ ଆସିବାକୁ ପରାମର୍ଶ ଦେଇଛନ୍ତି ଡେପୁଟି ଏସଆରସି ।

ଆଉ ଏହାରି ଭିତରେ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଓଡ଼ିଶା । ପାଣିପାଗ ବିଭାଗର ଆକଳନ ପରେ ବାତ୍ୟା ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଏସଆରସିଙ୍କ ସୂଚନା ଅନୁସାରେ ଆସନ୍ତା ୮ ତାରିଖରେ ପୁରୀ, କେନ୍ଦ୍ରାପଡ଼ା, ଜଗତସିଂପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୯ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୁରଭଞ୍ଜ, କଟକ, ଯାଜପୁର ଜିଲ୍ଲାରେ ପ୍ରବଳବର୍ଷା ହେବାର ପୂର୍ବାନୁମାନ କରାଯାଇଥିବା ଏସଆରସି କହିଛନ୍ତି । ତେବେ ସାମଗ୍ରିକ ଭାବରେ ପୁରୀ, ଖୋର୍ଦ୍ଧା, ନୟାଗଡ଼ର କିଛିଅଂଶ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ମୟୁରଭଞ୍ଜ ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ହୋଇପାରେ ।

ତେବେ ବାତ୍ୟା ଓଡିଶା ନିକଟ ଦେଇ ଅତିକ୍ରମ ଗଲାବେଳେ ପବନର ବେଗ ୮୦ରୁ ୯୦ କିମି ରହିବ । ଏହାକୁ ଦୃଷ୍ଟିରେ ରଖି ଏନଡିଆରଏଫ ଓ ଓଡ୍ରାଫ ଟିମକୁ ପ୍ରଭାବିତ ଜିଲ୍ଲାରେ ସଜାଗ ରଖାଯାଇଛି । ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାର ବେଗକୁ ଦୃଷ୍ଟିରେ ରଖି କଚାଘର ଓ ବିଦ୍ୟୁତ ଖୁଂଟି ଉପରେ ନଜର ରଖାଯାଇଛି । ଆଉ ଏସବୁ ଭିତରେ ସମୁଦ୍ର ଭିତରକୁ ଯାଇଥିବା ୧୯ ହଜାର ୬୫୩ଟି ଡଙ୍ଗା ଭିତରୁ ୧୯ ହଜାର ୬୪୧ ଟି ବୋଟ ଫେରି ଆସିଥିବା ସୂଚନା ଦେଇଛନ୍ତି ଏସଆରସି ।