ଦଲାଲମୁକ୍ତ ହେବ ସମସ୍ତ ଆରଟିଓ ଅଫିସ । ଟ୍ରାଫିକ୍ ନିୟମ କୋହଳ ପାଇଁ ସରକାରଙ୍କୁ ଦାବି ଜଣାଇଲା ଅଟୋ ଓ ଟାକ୍ସି ଚାଳକ ମହାସଂଘ ।

1,022

କନକ ବ୍ୟୁରୋ : ରାଜ୍ୟରେ ନୂତନ ମୋଟର ଯାନ ଆଇନ ଲାଗୁ ହେବା ପରେ ଅଟୋ ଚାଳକ ଓ ଟାକ୍ସିଚାଳକମାନେ ପ୍ରତିଦିନ ତଣ୍ଡ ଗଣୁଛନ୍ତି । ଏହାକୁ ପ୍ରତିବାଦ କରି ଆଜି ସଚିବାଳୟରେ ଅଟୋ ଚାଳକ ମହାସଂଘ ଓ ଟାକ୍ସି ଚାଳକ ମହାସଂଘ ପ୍ରତିନିଧି ପରିବହନ ସଚିବଙ୍କ ସହ ଆଲୋଚନା କରିଛନ୍ତି । ଆଇନ ଉଲଂଘନ କରିଥିବା ଅଭିଯୋଗରେ ଅଟୋ ଚାଳକ ଓ ଟାକ୍ସି ଚାଳକଙ୍କ ଉପରେ ଏକାଧିକ ଜରିମାନା ବଦଳରେ ଗୋଟିଏ ପ୍ରକାର ଜରିମାନା ଆଦାୟ କରିବାକୁ ଉଭୟ ସଂଘ ଦାବି କରିଛି । ଏହା ସହିତ କଡ଼ାକଡ଼ି ଯା଼ଞ୍ଚକୁ ୩ ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦେବାକୁ ଦାବି କରାଯାଇଛି । ନୂତନ ମୋଟର ଯାନ କେନ୍ଦ୍ରୀୟ ଆଇନ ହୋଇଥିବାରୁ ଏହାକୁ କୋହଳ କରିବା ସମ୍ଭବ ନୁହେଁ ବୋଲି ପରିବହନ ସଚିବ ରୋକଠୋକ କହିବା ସହ ଅଟୋ ଓ ଟାକ୍ସି ଚାଳକଙ୍କୁ କାଗଜପତ୍ର ଠିକ୍ କରିବାକୁ ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଗୁଡ଼ିକୁ ଦଲାଲମୁକ୍ତ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଲୋକଙ୍କୁ ସହାୟତା ଯୋଗାଇଦେବାକୁ ଏକ ଟୋଲ ଫ୍ରି ନମ୍ବର କାର୍ଯ୍ୟକ୍ଷମ ହୋଇଥିବା ସେ କହିଛନ୍ତି ।

ମୋଟର ଯାନ ଆଇନ କଡ଼ାକଡ଼ି ଯାଞ୍ଚକୁ ବିରୋଧ କରି ପରିବହନ ସଚିବଙ୍କ ସହ ଆଲୋଚନା ପରେ ନିଖିଳ ଓଡ଼ିଶା ଅଟୋଚାଳକ ମହାସଂଘ ଓ ନିଖିଳ ଓଡ଼ିଶା ଟାକ୍ସି ଚାଳକ ମହାସଂଘ ସଭାପତି ସୁବାସ ସିଂହ କହିଥିଲେ, ନୂତନ ମୋଟର ଆଇନ କାର୍ଯ୍ୟକାରୀ ହେବା ଫଳରେ ଅଟୋଚାଳକଙ୍କ ଉପରେ ମାତ୍ରାଧିକ ଜରିମାନା ଧାର୍ଯ୍ୟ କରାଯାଉଛି । ଫଳରେ ସେମାନଙ୍କ ଜୀବିକା ପ୍ରଭାବିତ ହେଉଛି । ଆଇନ ଅନୁଯାୟୀ ଗାଡ଼ିଗୁଡ଼ିକର କାଗଜପତ୍ର ଠିକ କରିବାକୁ ଅଧିକ ସମୟ ମଗାଯାଇଛି । ରାଜ୍ୟରେ ୧ ଲକ୍ଷ ୧୮ ହଜାର ଅଟୋଚାଳକ ଥିବା ବେଳେ ସାଢ଼େ ୫ ଲକ୍ଷ ଟାକ୍ସି ଚାଳକ ଗାଡ଼ି ଚଳାଇ ରୋଜଗାର କରୁଛନ୍ତି । ଆଇନ କୋହଳ ହୋଇପାରିବନି ବୋଲି ପରିବହନ ସଚିବ କହିଛନ୍ତି । ଅନ୍ୟପଟେ ଅଟୋ ଓ ଟାକ୍ସି ଚାଳକମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ସଚିବ ପ୍ରତିଶ୍ରୁତି ଦେଇଛନ୍ତି । ଏଣିକି ଏକାଧିକ ଜରିମାନା ବଦଳରେ ଗୋଟିଏ ପ୍ରକାର ଜରିମାନା ଆଦାୟ କରାଯିବ ବୋଲି ପରିବହନ ସଚିବ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ସିଂହ କହିଥିଲେ ।

ପରିବହନ ସଚିବ ଜି.ଶ୍ରୀନିବାସ କହିଥିଲେ, ମୋଟର ଆଇନ କାର୍ଯ୍ୟକାରୀ କରିବା ଅର୍ଥ ଅଧିକ ଜରିମାନା ଆଦାୟ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ । ଏଥିପାଇଁ ଲୋକେ ଆତଙ୍କିତ ହେବା ଉଚିତ ନୁହେଁ । ଆଇନର ବିଭିନ୍ନ ବ୍ୟବସ୍ଥା ବିଷୟରେ ଲୋକଙ୍କୁ ଅବଗତ କରାଇବା ସହ ଡ୍ରାଇଭିଂ ଲାଇସେନ୍ସ, ଫିଟନେସ ପ୍ରମାଣ ପତ୍ର ପାଇଁ ସବୁ ଆରଟିଓ ଅଫିସରେ ସହାୟତା କେନ୍ଦ୍ର ଖୋଲାଯାଇଛି । ଏହାସହିତ ୧୮୦୦-୩୪୫-୧୦୭୩ ଟୋଲ ଫ୍ରି ନମ୍ବର ମଧ୍ୟ ଉପଲବ୍ଧ କରାଯାଇଛି । ଏହି ପ୍ରତ୍ୟେକ ଦିନ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଲର୍ଣ୍ଣିଂ ଲାଇସେନ୍ସ ଓ ନିୟମିତ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପାଇଁ ସବୁ ଆରଟିଓ ଅଫିସରେ ଅଧିକ କାଉଣ୍ଟର ଖୋଲାଯାଇଛି । ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପୂର୍ବରୁ ପରୀକ୍ଷା ପାଇଁ ଧାର୍ଯ୍ୟଦିବସକୁ ମଧ୍ୟ ବୃଦ୍ଧି କରାଯାଇଛି । ପ୍ରତିଦିନ ଡ୍ରାଇଭିଂ ଲାଇସେନ୍ସ ଓ କେତୋଟି ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ଦିଆଗଲା, ସେସବୁର ତଥ୍ୟ ରାଜ୍ୟସ୍ତରରେ ତଦାରଖ କରାଯାଉଛି ବୋଲି ପରିବହନ ସଚିବ କହିଥିଲେ । ପରିବହନ ସଚିବଙ୍କ ସହ ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ନିଖିଳ ଓଡ଼ିଶା ଅଟୋଚାଳକ ମହାସଂଘ କାର୍ଯ୍ୟକାରୀ ସଭାପତି ନବ ମହାନ୍ତି ଓ ଭୁବନେଶ୍ବର ଅଟୋଚାଳକ ସଂଘ ସଭାପତି ତଥା ଭୁବନେଶ୍ବର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିଲେ ।