କନକ ବ୍ୟୁରୋ : ବିଶ୍ୱକପ୍ ପରାଜୟର ପ୍ରତିଶୋଧ ନେଲା ଭାରତ । ଏସିଆ କପରେ ରୋମାଞ୍ଚକର ମ୍ୟାଚରେ ପାକିସ୍ତାନକୁ ୫ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ । ଦୁଇ ଦଳ ମଧ୍ୟରେ ପ୍ରାୟ ୧୦ ମାସର ବ୍ୟବଧାନ ପରେ ହୋଇଥିବା ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଛକା ମାରି ଭାରତକୁ ବିଜୟୀ କରାଇଥିଲେ । ଏହି ହାଇଭୋଲଟେଜ୍ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ଭାରତୀୟ ବୋଲରମାନେ ତାଙ୍କର ଏହି ନିଷ୍ପତ୍ତିକୁ ଠିକ୍ ପ୍ରମାଣିତ କରିଥିଲେ । ପ୍ରଥମରୁ ଭାରତୀୟ ବୋଲରମାନେ ଚମତ୍କାର ବୋଲିଂ କରି ଗୋଟିଏ ପରେ ଗୋଟିଏ ୱିକେଟ ନେବା ଆରମ୍ଭ କରିଥିଲେ ।

Advertisment

ତୃତୀୟ ଓଭରରେ ପାକିସ୍ତାନୀ ଅଧିନାୟକ ବାବର ଆଜମଙ୍କୁୁ ଆଉଟ୍ କରିଥିଲେ ଭୁବନେଶ୍ୱର କୁମାର । ବାବର କେବଳ ୧୦ ରନ୍ କରିବାକୁ ସକ୍ଷମ ହୋଇଥିଲେ । ତେବେ ପାକିସ୍ତାନର ଅନ୍ୟତମ ଓପନର ରିଜୱାନ ଭଲ ବ୍ୟାଟିଂ କରିଥିଲେ । ରିଜୱାନ ୪୩ ରନରେ ଆଉଟ୍ ହୋଇଥିଲେ । ପାକିସ୍ତାନ ଦଳ ୧୯ ଦଶମିକ ୫ ଓଭରରେ ୧୪୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି, ଅର୍ଶଦୀପ ସିଂ ୨ଟି ଓ ଅଭେଶ ଖାନ ଗୋଟିଏ ୱିକେଟ ନେଇଥିଲେ । ୧୪୮ ରନର ବିଜୟ ଲକ୍ଷ୍ୟର ପିଛା କରି ଭାରତର ଆରମ୍ଭ ଭଲ ହୋଇନଥିଲା । ଦଳୀୟ ସ୍କୋର ୧ ରନ୍ ଥିବା ବେଳେ କେଏଲ ରାହୁଲ ଖାତା ନଖୋଲି ନସିମ ଶାହାଙ୍କ ବଲରେ ଆଉଟ୍ ହୋଇଯାଇଥିଲେ ।

ଏହା ପରେ କ୍ରିଜକୁ ଆସିଥିଲେ ବିରାଟ କୋହଲି । ରୋହିତ ଓ କୋହଲି ଇନିଙ୍ଗସ୍ ସଜାଡ଼ିବାକୁ ଚେଷ୍ଟା କରିଥିଲେ । ରୋହିତ ଶର୍ମା ୧୨ ରନ୍ କରି ଆଉଟ୍ ହୋଇଥିବା ବେଳେ କୋହଲି ୩୫ ରନ୍ କରିଥିଲେ । ବିରାଟ ନିଜ ଇନିଙ୍ଗସରେ କିଛି ଦର୍ଶନୀୟ ସଟ୍ ମାରିଥିଲେ । ବିରାଟ ଆଉଟ ହେବା ପରେ ସୂର୍ଯ୍ୟକୁମାର ଯାଦବ ଓ ରବୀନ୍ଦ୍ର ଜାଡ଼େଜା ଇନିଙ୍ଗସ୍ ସମ୍ଭାଳିଥିଲେ । ତେବେ ୧୮ ରନରେ ସୂର୍ଯ୍ୟକୁମାର ଆଉଟ୍ ହେବା ପରେ ପଡ଼ିଆକୁ ଓହ୍ଲାଇଥିଲେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଉଭୟ ଜାଡ଼େଜା ଓ ପାଣ୍ଡ୍ୟା ଚମକ୍ରାର ସଟ୍ ମାରିଥିଲେ । ଜାଡ଼େଜା ୨ଟି ଛକା ସହ ୩୫ ରନ୍ କରି ଶେଷ ଓଭରରେ ବିଦା ହେବା ପରେ ପାଣ୍ଡ୍ୟାଙ୍କ ଉପରେ ଭାରତକୁ ବିଜୟୀ କରିବାର ଦାୟିତ୍ୱ ପଡ଼ିଥିଲା ।

ହେଲେ ଏଥିରେ ନିରାଶ କରି ନଥିଲେ ହାର୍ଦ୍ଦିକ । ଏକ ଦର୍ଶନୀୟ ଛକା ମାରି ଭାରତକୁ ବିଜୟୀ କରାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ହାର୍ଦ୍ଦିକ ମାତ୍ର ୧୭ ବଲ୍ରୁ ୩୩ ରନର ଧୂଆଁଧାର ଇନିଙ୍ଗସ୍ ଖେଳିଥିଲେ । ଏହାସହ ପାକିସ୍ତାନ ଠାରୁ ବିଶ୍ୱକପ୍ ପରାଜୟର ପ୍ରତିଶୋଧ ନେଇଥିଲା ଟିମ୍ ଇଣ୍ଡିଆ । ଗତବର୍ଷ ଅକ୍ଟୋବରରେ ପାକିସ୍ତାନ ଟି-୨୦ ବିଶ୍ୱକପରେ ଭାରତକୁ ହରାଇଥିଲା । ଭାରତ ଏବେ ପାକିସ୍ତାନକୁ ଏସିଆ କପରେ ହରାଇ ହିସାବ ବରାବର କରିଛି । ବିଜୟ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଟିମ୍ ଇଣ୍ଡିଆ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।