ବାତ୍ୟା ‘ଗୁଲାବ’ : ଗଞ୍ଜାମ-ଗଜପତିରେ ପଡିବ ଅଧିକ ପ୍ରଭାବ, ୯୫ କିମି ବେଗରେ ଅନୁଭୂତ ହୋଇପାରେ ପବନର ଝଟକା

195

କନକ ବ୍ୟୁରୋ : ବାତ୍ୟା ଗୁଲାବ ଆଣି ନପାରେ ବଡ ପବନ । ହେଲେ ଲ୍ୟାଣ୍ଡଫଲ ସମୟରେ ଗଞ୍ଜାମ ଓ ଗଜପତିରେ ପବନର ବେଗ ଘଂଟାପ୍ରତି ୭୦ କିଲୋମିଟର ରହିବ । ଏପରିକି ୯୫ କିଲୋମିଟର ବେଗରେ ପବନର ଝଟକା ଅନୁଭୂତ ହୋଇପାରେ । ବ୍ୟାତ୍ୟା ସ୍ଥଳଭାଗ ଛୁଇଁବା ପରେ ପବନର ବେଗ କମିଯିବ । ତେବେ ବତ୍ୟା ମୁକାବିଲା ନେଇ ସରକାରଙ୍କ ପ୍ରସ୍ତୁତି ବାବଦରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରୁ ଭିଡିଓ କନଫରେନସିଂ ଯୋଗେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ । ବୈଠକରେ ମୁଖ୍ୟ ସାଶନ ସଚିବ. ଏସଆରସିଙ୍କ ସହ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନେ ସାମିଲ ହୋଇଥିଲେ । ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

୩ଟି ଦିଗ ଉପରେ ନଜର ରଖାଯାଇଥିବା କହିଛନ୍ତି ଏସଆରସି ପ୍ରଦୀପ କୁମାର ଜେନା । ପବନ, ବର୍ଷା ସାଙ୍ଗକୁ ଭୂସ୍ଖଳନ ଉପରେ ନଜର ରଖାଯାଇଛି । ପବନରେ ଗଛ ଓ ବିତ୍ୟୁତ ଖୁଂଟ ଭାଙ୍ଗିପଡିବା ସମ୍ଭାବନା ରହିଛି । ରାୟଗଡା, କନ୍ଧମାଳ, ଗଜପତିରେ ଭୂସ୍ଖଳନ ଆଶଙ୍କା ରହିଛି । ସେହିପରି ପ୍ରବଳ ବର୍ଷା ଫଳରେ ବଂଶଧାରା, ରୁଷିକୂଲ୍ୟା ଓ ନାଗାବଳୀ ଉପକୂଳରେ ବନ୍ୟା ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ତଳିଆ ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ସକାଳୁ ୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି ଏସଆରସି ।

ମୁଖ୍ୟମନ୍ତ୍ରୀ ଆଜି ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦିଆଯାଉଛି । ଆଶ୍ରୟସ୍ଥଳ ଗୁଡିକରେ ଅଳ୍ପ ଅଳ୍ପ ଲୋକ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାୟଗଡା, କଳାହାଣ୍ଡି, ଗଜପତିରେ ଲୋକଙ୍କୁ ସଚେତନ କରାଯାଉଛି । ୧୧ଟି ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଙ୍ଗଳବାର ମଧ୍ୟ ସ୍ଥିତି ଦେଖି ଜିଲ୍ଲାପାଳମାନେ ନିଷ୍ପତ୍ତି କରିବାକୁ କୁହାଯାଇଛି । ଲୋକଙ୍କୁ ଆସନ୍ତକାଲି ସକାଳ ୯ଟା ଯାଏଁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ବର୍ଷା, ପବନ ସମୟରେ ବାହାରେ ନବୁଲିବାକୁ କୁହାଯାଇଛି ।