କୋରାପୁଟରେ ଜମୁଛି ରାଜନୀତି ଉଷ୍ମତା । ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ତିନି ଦଳର ନେତା ।

388

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି କୋରାପୁଟ ନିର୍ବାଚନ ମଣ୍ଡଳୀରେ ରାଜନୀତି ଉଷ୍ମତା ସେତେ ବଢ଼ିବାରେ ଲାଗିଛି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠାରୁ ସବୁ ଦଳ ନିଜ ନିଜର ରଣନୀତି ଆରମ୍ଭ କଲେଣି । ବର୍ତମାନ ଏହି ଆସନଟି ବିଜେଡି ହାତରେ ରହିଥିବା ବେଳେ ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ପୂର୍ବଭଳି ଆସନ ଅକ୍ତିଆର କରିବା ପାଇଁ ଚେଷ୍ଟା ଜାରି ରଖିଛି । କଂଗ୍ରେସ ଓ ବିଜେପି ମଧ୍ୟ ତାଙ୍କର ରଣକୌଶଳ ଆରମ୍ଭ କରି ସାରିଲେଣି । କୋରାପୁଟ ନିର୍ବାଚନ ମଣ୍ଡଳି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ୨୦୨୪ ନିର୍ବାଚନରେ ଏଠାରେ ତ୍ରିମୁଖି ଲଢ଼େଇ ଦେଖିବାକୁ ମିଳିପାରେ ।

ନିର୍ବାଚନ ପୂର୍ବରୁ ଅଂଟା ଭିଡିଲେଣି ତିନି ଦଳ । କୋରାପୁଟରେ ହେଭିୱେଟ ନେତାଙ୍କୁ ଧରି ଜନତାଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । କୋରାପୁଟ ବିଧାୟକ ରଘୁରାମ ପଡାଲ ନିଜ ସମର୍ଥକଙ୍କ ସହ ଡୋର ଡୋର ବୁଲି ପ୍ରଚାର କରୁଛନ୍ତି । ଏଥର ମଧ୍ୟ ଦଳ ତାଙ୍କୁ ପୁଣିଥରେ ଟିକେଟ୍ ଦେବା ସହ ଆଗକୁ ଆହୁରି ଉନ୍ନତିମୂଳକ କାମ କରିବା ନେଇ ଆଶାବାଦୀ ଅଛନ୍ତି । ତାଙ୍କ ବ୍ୟତୀତ ଆଉ କିଛି ବିଜେଡି ନେତା ଓ ଅନ୍ୟ ବର୍ଗର ଆଶାୟୀ ମଧ୍ୟ ଟିକେଟ୍ ପାଇଁ ଲବି ଆରମ୍ଭ କରିଦେଇଛନ୍ତି । ତେବେ ବିଧାୟକ ଭାବେ କାହାକୁ ଦଳ ପ୍ରାର୍ଥୀ କରିବ, ତାହା ହାଇକମାଣ୍ଡଙ୍କ ଉପରେ ଛାଡ଼ିଦେଇଛନ୍ତି ନେତା ।

ସେପଟେ ବିଜେପି ମଧ୍ୟ ଦୌଡ଼ରେ ପଛରେ ପଡ଼ିନାହିଁ । ବିଜେପି ଟିକେଟ୍ ଦୌଡ଼ରେ ଦୁଇଜଣଙ୍କ ନାଁ ଚର୍ଚ୍ଚାରେ ରହିଛି । ବିଜେପି ଏସ୍ସି ମୋର୍ଚ୍ଚାର ଜିଲ୍ଲା ସଭାପତି ଭାଗିରଥୀ ପାଟନିଆ ୨୦୧୯ରୁ ଦଳ ପାଇଁ କାର୍ଯ୍ୟ କରି ଆସୁଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବା ସହ ସଚେତନ ମଧ୍ୟ କରାଉଛନ୍ତି । ତାଙ୍କ ବ୍ୟତୀତ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ରଘୁରାମ ମାଛ ମଧ୍ୟ ଟିକେଟ୍ ଦୌଡ଼ରେ ଅଛନ୍ତି ।

ଅନ୍ୟ ଜିଲ୍ଲା ତୁଳନାରେ କୋରାପୁଟରେ କଂଗ୍ରେସର ସ୍ଥିତି ବେଶ୍ ଭଲ ରହିଛି । ବର୍ତମାନ କୋରାପୁଟର ସାଂସଦ ଅଛନ୍ତି ସପ୍ତଗିରି ଉଲ୍ଲାକା । ଏହାସହ ତାରାପ୍ରସାଦ ବାହିନୀପତି ମଧ୍ୟ ଜୟପୁର ବିଧାୟକ ଅଛନ୍ତି । ବଡ଼ କଥା ହେଉଛି ଦୁହେଁ, କଂଗ୍ରେସର ହେଭିୱେଟ୍ ନେତା । ତେଣୁ କୋରାପୁଟରେ କଂଗ୍ରେସ ଆଶାୟୀଙ୍କ ସଂଖ୍ୟା ଅଧିକ ରହିଛି । ୨୦୧୪ରେ କୋରାପୁଟ ଆସନରୁ ବିଜୟୀ ହୋଇଥିଲେ କୃଷ୍ଣ ସଗରିଆ । କିନ୍ତୁ ୨୦୧୮ରେ ଦଳ ତାଙ୍କୁ ବହିଷ୍କାର କରିଥିଲା । ତାଙ୍କ ସ୍ଥାନରେ ୨୦୧୯ରେ କଂଗ୍ରେସ ଆସନରୁ ବିଧାୟକ ଭାବେ ଲଢ଼ିଥିଲେ କୃଷ୍ଣ କୁଲଦୀପ । କିନ୍ତୁ ଅଳ୍ପ ବ୍ୟବଧାନରେ ହାରିଯାଇଥିଲେ । ତେଣୁ ଏଥର କୃଷ୍ଣ କୁଲଦୀପ ଓ କୃଷ୍ଣ ସଗରିଆଙ୍କ ମଧ୍ୟରୁ ଦଳ କାହାକୁ ଟିକେଟ୍ ଦେବ, ତା’ ଉପରେ ରହିଛି ନଜର । ୨୦୧୯ ବିଧାନସଭା ନିର୍ବାଚନରେ ରଘୁରାମ ପଡାଲ ବିଜେଡି ଟିକେଟ ବିଜୟୀ ହୋଇଥିଲେ । କିନ୍ତୁ ଏଥର କୋରାପୁଟରେ ବିଜେଡିକୁ କଡ଼ା ଟକ୍କା ଦେଇପାରନ୍ତି ଉଭୟ କଂଗ୍ରେସ ଓ ବିଜେପି ।