ବିଜେପୁର ଲଢ଼େଇ ପାଇଁ ପ୍ରସ୍ତୁତ ହେଲା ରଣକ୍ଷେତ୍ର । କାଲି ନାମାଙ୍କନ ଭରିବେ ତିନି ଦଳର ପ୍ରାର୍ଥୀ, ସମସ୍ତଙ୍କର ଗୋଟିଏ ଦାବି, ଆମେ ଜିତିବୁ ।

407

କନକ ବ୍ୟୁରୋ : ବିଜେପୁର ପାଇଁ ରଣକ୍ଷେତ୍ର ପ୍ରସ୍ତୁତ ହୋଇଛି । କଂଗ୍ରେସ ଓ ବିଜେଡିର ପ୍ରାର୍ଥୀ ଘୋଷଣା ପରେ ଆଜି ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଗତଥର ସାଧାରଣ ନିର୍ବାଚନରେ ନବୀନଙ୍କ ବିରୋଧରେ ଲଢିଥିବା ସନତ ଗଡତିଆଙ୍କୁ ବିଜେପି ମୈଦାନକୁ ଓହ୍ଲାଇଛି । ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ତିନି ଦଳର ପ୍ରାର୍ଥୀ ।

ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ଏବଂ କଂଗ୍ରେସର ଦିଲ୍ଲୀପ ପଣ୍ଡା । ବିଜେପୁର ଲଢ଼େଇ ପାଇଁ ପ୍ରସ୍ତୁତ ତିନି ପ୍ରମୁଖ ଦଳର ନେତା । କଂଗ୍ରେସ ଓ ବିଜେଡି ପରେ ବିଜେପି ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢ଼େଇ କରିଥିବା ସନତ ଗଡ଼ତିଆକୁ ମୈଦାନକୁ ଓହ୍ଲାଇଛି ।

ସନତ ଗଡ଼ତିଆ, ବିଜେପୁର ବିଜେପି ପ୍ରାର୍ଥୀ
ତୃଣମୂଳସ୍ତରର ଜଣେ ଟାଣୁଆ ନେତା । ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢ଼ିଥିଲେ ସନତ ଗଡ଼ତିଆ । ଗତ ନିର୍ବାଚନରେ ସନତ ଗଡ଼ତିଆଙ୍କୁ ମିଳିଥିଲା ମୋଟ୍ ୫୩ ହଜାର ୪୮୨ ଭୋଟ୍ । ମୁଖ୍ୟମନ୍ତ୍ରୀ ୫୯.୭୮% ଭୋଟ୍ ପାଇଥିବା ବେଳେ ସନତ ପାଇଥିଲେ ୨୮.୯୧% ଭୋଟ୍ ।

ରୀତା ସାହୁ, ବିଜେପୁର ବିଜେଡି ପ୍ରାର୍ଥୀ
ସ୍ୱାମୀ ସୁବଳ ସାହୁଙ୍କୁ ଦେହାନ୍ତ ପରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ରୀତା ସାହୁ, ୨୦୧୮ ଉପ ନିର୍ବାଚନରେ ବିଜେଡି ପାଇଁ ଆଣିଥିଲେ ସବୁଠୁ ବଡ଼ ସଫଳତା । କଂଗ୍ରେସଗଡ଼ରେ ରୀତା ହିଁ ପକାଇଥିଲେ ବିଜେଡିର ମୁଳଦୂଆ । ୨୦୧୮ ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶୋକ ପାଣିଗ୍ରାହୀଙ୍କୁ ୪୧ ହଜାର ୯୯୩ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ ରୀତା ସାହୁ ।

ଦିଲ୍ଲୀପ ପଣ୍ଡା, ବିଜେପୁର କଂଗ୍ରେସ ପ୍ରାର୍ଥୀ
ଦିଲ୍ଲୀପ ପଣ୍ଡା ହେଉଛନ୍ତି ବରଗଡ଼ ଜିଲ୍ଲା କଂଗ୍ରେସର ଉପସଭାପତି । ତୃଣମୂଳସ୍ତରରେ କଂଗ୍ରେସ ସଂଗଠନକୁ ମଜବୁତ କରିବାରେ ଦିଲ୍ଲୀପ ନେଇଛନ୍ତି ବଡ଼ ଭୂମିକା । ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରିପୁନାଥ ସେଠ୍ ମାତ୍ର ୧୪ ହଜାର ୩୪୪ ଭୋଟ୍ ପାଇ ଅମାନତ ହରାଇଥିଲେ । ତେଣୁ ୨୦୧୯ ଉପ-ନିର୍ବାଚନରେ ଦିଲ୍ଲୀପଙ୍କ ଉପରେ ଆସ୍ଥା ରଖିଛି କଂଗ୍ରେସ ।

ତେବେ ପ୍ରାର୍ଥୀଙ୍କ ଉତ୍ସାହ ଭିତରେ ତିନି ପ୍ରମୁଖ ଦଳର ନେତା ବିଜେପୁର ବିଜୟ ପାଇଁ ଦାବି କରିଛନ୍ତି । ଆଉ ରାଜନୀତିର ଏହି ବୟାନବାଜି ଭିତରେ,

-ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ତିନି ପ୍ରମୁଖ ଦଳର ପ୍ରାର୍ଥୀ
-ଆସନ୍ତା ୨୧ ତାରିଖରେ ବିଜେପୁର ଉପ-ନିର୍ବାଚନ ପାଇଁ ପଡ଼ିବ ଭୋଟ୍
-ମତଦାନର ୩ ଦିନ ପରେ ଅର୍ଥାତ୍ ୨୪ ତାରିଖରେ ହେବ ଭୋଟ୍ ଗଣତି ।