କନକ ବ୍ୟୁରୋ : ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ସଫଳତାକୁ ନେଇ ଡିଣ୍ଡିମ ପିଟୁଥିବା ବେଳେ ଶିକ୍ଷା ବ୍ୟବସ୍ଥାର ଅସଲ ଚିତ୍ର ଏବେ ସାମ୍ନାକୁ ଆସିଛି । ରାଜ୍ୟର ଉପାନ୍ତ ଜିଲ୍ଲା ମାଲକାନଗିରିରେ ଏମିତି ଏକ ଗାଁ ରହିଛି, ଯେଉଁଠି ୪୦୦ ଲୋକ ରହୁଥିଲେ ବି ସମସ୍ତେ ନିରକ୍ଷର। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହି ଗାଁ ରହିଥିବା ପଞ୍ଚାୟତରେ ପଞ୍ଚାୟତ ନିର୍ବାଚନ ହୋଇନାହିଁ। ଫଳରେ, ଏଠାରେ କୌଣସି ସରପଞ୍ଚ କିମ୍ବା ଲୋକ ପ୍ରତିନିଧି ନାହାନ୍ତି। ଯେଉଁ ସରକାରୀ ବାବୁମାନେ ସରପଞ୍ଚ ଦାୟିତ୍ବରେ ଅଛନ୍ତି, ସେମାନଙ୍କର ଦେଖା ମିଳୁ ନାହିଁ। ଏପରିସ୍ଥଳେ, ରାସ୍ତାଘାଟ,ପାନୀୟ ଜଳ,ସ୍ବାସ୍ଥ୍ୟାବସ୍ଥା କଥା ନ କହିଲେ ଭଲ! ଅତ୍ୟନ୍ତ ବିପର୍ୟ୍ୟୟ ଅବସ୍ଥାରେ ରହିଛି ଏସବୁ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ର ଗାଜଲମାମୁଡି ପଞ୍ଚାୟତରେ ରହିଛି ଏହି ଗାଁ- ସତୀଗନ୍ଦି ଗାଁ ।
ସତୀଗନ୍ଦିରେ ୬୦ରୁ ଅଧିକ ପରିବାର ରହନ୍ତି। ଗାଁର ସମସ୍ତ ଲୋକ ଆଦିବାସୀ ସଂପ୍ରଦାୟର। ଆଦିବାସୀ କୋୟା ସଂପ୍ରଦାୟର ଲୋକେ ଏଠାରେ ବସବାସ କରୁଥିବା ବେଳେ ନିଜର ପାରଂପାରିକ ରୀତି ଅନୁଯାୟୀ ଚଳନ୍ତି। ଅତି କମ୍ ବୟସରେ ପୁଅଝିଅଙ୍କୁ ବାହାଘର କରିଦିଅନ୍ତି। ଅଳ୍ପ ବୟସରେ ବାହାଘର ହେଉଥିବାରୁ ଅତି କମ ବୟସରେ ଝିଅମାନେ ମାତୃତ୍ବ ଲାଭ କରୁଛନ୍ତି। ଯାହା ସେମାନଙ୍କର ସ୍ବାସ୍ଥ୍ୟାବସ୍ଥାକୁ ଆହୁରି ବିଗାଡି ଦେଉଛି । ଯାହାଫଳରେ ମାତୃ ମୃତ୍ୟୁ ସଂଖ୍ୟା ବଢୁଛି। ପିଲାମାନଙ୍କୁ ଉତ୍ତମ ପୁଷ୍ଟିକର ଖାଦ୍ୟ ମିଳୁନଥିବାବେଳେ ପ୍ରାୟ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି। ପ୍ରତି ବର୍ଷ ୨ରୁ ୩ ଜଣ ଶିଶୁଙ୍କର ମୃତ୍ୟୁ ହେଉଥିବା ସରକାରୀ ରେକର୍ଡ କହେ। ସେହିଭଳି ଗର୍ଭବତୀଙ୍କୁ ଉତ୍ତମ ଚିକିତ୍ସା ନମିଳିବା ଓ ରକ୍ତହୀନତା ଯୋଗୁ ଅନେକ ମୃତ୍ୟୁ ମୁଖରେ ପଡ଼ନ୍ତି। ଗ୍ରାମଟି ଦୁର୍ଗମ ଏବଂ ଅପହଞ୍ଚ ହୋଇଥିବାରୁ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଏଠାକୁ ଆସିବାକୁ ଅମଙ୍ଗ ହୁଅନ୍ତି ବୋଲି ସ୍ଥାନୀୟ ଲୋକେ ପ୍ରକାଶକରିଛନ୍ତି।
ସ୍ବାଧୀନତାର ୭୨ ବର୍ଷ ପୁରିଯାଇଥିଲେ ମଧ୍ୟ ସତୀଗନ୍ଦି ଗ୍ରାମକୁ ପକ୍କା ରାସ୍ତାଟିଏ ନାହିଁ। ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନ ସତୀଗନ୍ଦି ଗ୍ରାମକୁ ଯିବା ଅସମ୍ଭବ। ରାସ୍ତା ନଥିବାରୁ ରୋଗୀଙ୍କୁ କାଉଡି କରି ମାଇଲ ମାଇଲ ବାଟ ଚାଲି ଚାଲି ଜାନବାଇ ହସପିଟାଲ କିମ୍ବା ନଦୀ ପାର କରି ଚିତ୍ରକୋଣ୍ଡାକୁ ରୋଗୀଙ୍କୁ ନିଆଯାଇଥାଏ। ରୋଗୀ ମେଡିକାଲ ଯିବା ବାଟରେ କିମ୍ବା ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରେ।
ସବୁଠାରୁ ବଡ କଥା ହେଲା ଗାଜଲମାମୁଡି ପଞ୍ଚାୟତରେ ପଞ୍ଚାୟତ ନିର୍ବାଚନ ହୋଇନଥିବାରୁ ଏଠାରେ କୌଣସି ସରପଞ୍ଚ କିମ୍ବା ଲୋକ ପ୍ରତିନିଧି ନାହାନ୍ତି। ଯେଉଁ ସରକାରୀ ବାବୁମାନେ ସରପଞ୍ଚ ଦାୟିତ୍ବରେ ଅଛନ୍ତି, ସେମାନଙ୍କର ଦେଖା ମିଳୁ ନାହିଁ। ବିକାଶ କହିଲେ ଏଠାରେ ସ୍ବପ୍ନ। ଏଠାରେ ବିକାଶର ପାଦ ଚିହ୍ନ ଦେଖିବାକୁ ମିଳୁନଥିବା ବେଳେ ନକ୍ସଲ ରାଜ ଚାଲେ।
କୌଣସି ସରକାରୀ ବାବୁ କିମ୍ବା ଲୋକ ପ୍ରତିନିଧି ନଥିବାରୁ ଏଠାରେ ଉନ୍ନୟନ ମୂଳକ କାମ ଠପ୍ ହୋଇ ପଡି ରହିଛି। ନକ୍ସଲଙ୍କ ଭୟରେ କୌଣସି ସରକାରୀ ବାବୁ ଏଠାରେ ପାଦ ପକାନ୍ତି ନାହିଁ। ଗୋଟିଏ ପଟେ ନକ୍ସଲ ଏବଂ ଅନ୍ୟ ପଟେ ପୋଲିସର ନିର୍ୟାତନାରେ ଲୋକେ ଅତିଷ୍ଠ । ରାସ୍ତାଘାଟ,ପାନୀୟ ଜଳ,ସ୍ବାସ୍ଥ୍ୟବସ୍ଥା,ଶିକ୍ଷା ଆଜି ବି ଏଠାରେ ଅପହଞ୍ଚ। ଲୋକେ ଭଗବାନଙ୍କ ଭରସାରେ ଏଠାରେ ପଡି ରହିଛନ୍ତି। ବିଦ୍ୟୁତ ଏଠାରେ ସାତ ସପନ। ଲୋକେ ଆଜି ବି ଅନ୍ଧାରରେ ରହୁଛନ୍ତି। ଗ୍ରାମବାସୀ ନିରକ୍ଷର ହୋଇଥିବାରୁ ନକ୍ସଲ ଏମାନଙ୍କୁ ଭୁତାଇବାରେ ସଫଳ ହେଉଛନ୍ତି। ସରକାର ଏବଂ ପୋଲିସ ବିରୁଦ୍ଧରେ ଉସୁକାଉଛନ୍ତି। ଲୋକେ ବାଧ୍ୟ ହୋଇ ନକ୍ସଲଙ୍କ ନିୟମ ମାନୁଛନ୍ତି।
ଗାଜଲମାମୁଡି ପଞ୍ଚାୟତର ଖାଲି ସତୀଗନ୍ଦି କାହିଁକି ସମସ୍ତ ୧୨ଟି ଗାଁ ଅବସ୍ଥା ଏକାଭଳି। ସମସ୍ତ ଗାଁ ଦୁର୍ଗମ ଓ ପାହାଡ଼ିଆ। ପଞ୍ଚାୟତକୁ ବାଲିମେଳା ଜଳଭଣ୍ଡାର ଘେରି ରହିଛି। କୌଣସି ଗ୍ରାମକୁ ଆଜି ପର୍ୟ୍ୟନ୍ତ ରାସ୍ତାଟିଏ ନାହିଁ। ଗୋଟିଏ ପଟେ ଲୋକଙ୍କୁ ପାଦରେ ଚାଲିଯିବାକୁ ରାସ୍ତା ନଥିବା ବେଳେ ଅନ୍ୟପଟେ ପାଣି ଦାଉ ସାଧୁଛି । ଲୋକେ ଏକ ପ୍ରକାର ବନ୍ଦୀ ଜୀବନଯାପନ କରୁଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/10/malkangiri-villa-Satigandi-...Special-story-1.jpg)