କୋଭିଡ୍ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିସେମ୍ବର ୪ ତାରିଖରେ ବସିବ ସର୍ବଦଳୀୟ ବୈଠକ

77

କନକ ବ୍ୟୁରୋ : ଦେଶରେ କେରୋନା ସ୍ଥିତିର ସମୀକ୍ଷା, ଟିକା ବଣ୍ଟନ ନେଇ ଆଲୋଚନା କରିବା ପାଇଁ ଆସନ୍ତା ୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ସବୁଦଳର ସାଂସଦଙ୍କ ସହ ପ୍ରଧାନମନ୍ତ୍ରୀ ଦେଶର କରୋନା ସ୍ଥିତି ନେଇ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।
କରୋନା ମହାମାରୀ ଆରମ୍ଭରୁ ବି କେନ୍ଦ୍ରସରକାରଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ବସିଥିଲା । ୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଯୋଗଦେବାର ସମ୍ଭାବନା ରହିଛି । ହେଲେ ଏହି ବୈଠକ ଭିଡିଓକନଫେରେନ୍ସିଂ ମାଧ୍ୟମରେ ହେବ କି ସମସ୍ତ ସଦସ୍ୟ ବ୍ୟକ୍ତିଗତ ଭାବେ ଗୃହରେ ଉପସ୍ଥିତ ରହିବେ ତାହା ସ୍ପଷ୍ଟ ହୋଇନାହିଁ ।
ଅନ୍ୟପଟେ ନଭେମ୍ବର ୨୪ ରେ ଏନେଇ ପ୍ରଧାନମନ୍ତ୍ରୀ ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ । ସେହି ଆଲୋଚନା ବେଳେ ସେ କରୋନା ଟିକାର ବଣ୍ଟନ ବାବଦରେ ବି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏବେ ଯେଉଁ ସର୍ବଦଳୀୟ ବୈଠକ ଡକାଯାଇଛି ଏହି ବୈଠକରେ ତୃଣମୂଳ ସ୍ତରରେ କରୋନା ସ୍ଥିତି କ’ଣ ରହିଛି ତାହା ଜାଣିବାକୁ ଚାହିଁଛନ୍ତି । ଏହାସହ କରୋନା ଟିକା ବଣ୍ଟନ ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି ।
ସେପଟେ କିଛି ସପ୍ତାହ ହେବ ଦେଶର କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ବେଳେ କିଛି ରାଜ୍ୟରେ ଏହା ଏବେ ବି ପୂର୍ବପରି ରହିଛି । ଶୀତ ବଢୁଥିବାରୁ ସଂକ୍ରମଣ ଅଧିକ ବଢୁଥିବା ଦେଖାଯାଇଛି । ଦିଲ୍ଲୀ ସମେତ ଦେଶର ଅନ୍ୟ କିଛି ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଛି । ଏହାକୁ ନଜରରେ ରଖି ଏଭଳି ସର୍ବଦଳୀୟ ବୈଠକ ଡକାଯାଇଛି ।