ମଣିପୁର ହିଂସାକୁ ନେଇ ବସିଲା ସର୍ବଦଳୀୟ ବୈଠକ । ସ୍ଥିତି ଉପରେ ଆଲୋଚନା କରି ଦଳମାନଙ୍କଠୁ ମତାମତ ଲୋଡିଲେ ଗୃହମନ୍ତ୍ରୀ ଅମିତ ଶାହା ।

141

କନକ ବ୍ୟୁରୋ: ଦେଢମାସରୁ ଅଧିକ ସମୟ ବିତିଲାଣି । ହିଂସା, ଆକ୍ରୋଶ, ଉତେଜନାରେ ଜଳୁଛି ମଣିପୁର । ଦୁଇ ସମ୍ପ୍ରଦାୟଙ୍କ ଅଧିକାରକୁ ନେଇ ଆରମ୍ଭ ହୋଇଥିବା ସାମାନ୍ୟ ସଂଘର୍ଷ ଏବେ ରାଜ୍ୟର ପରିସ୍ଥିତିକୁ ଅସମ୍ଭାଳ କରିପକାଇଛି । କେମିତି ହିଂସାରେ ରୋକାଯିବ, ଉପଦ୍ରବୀଙ୍କୁ ଦମନ କରାଯିବ, ରାଜ୍ୟକୁ ଶାନ୍ତି ଫେରିବ ସେନେଇ ଆକ୍ସନ ମୋଡରେ କେନ୍ଦ୍ର ସରକାର । ଶନିବାର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଛି ସର୍ବଦଳୀୟ ବୈଠକ । କିଛି ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଇବା ପାଇଁ କଂଗ୍ରେସ ସମେତ ୧୦ଟି ବିରୋଧୀ ଦଳ ସରକାରଙ୍କୁ ଚିଠି ଲେଖି ଦାବି ଜଣାଇଥିଲେ ।

କାହିଁକି ଥମୁନି ମଣିପୁର ହିଂସା

  • ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରୟାସ ସତ୍ୱେ କ’ଣ ପାଇଁ ହିଂସା ରୋକଯାଇପାରୁନି?
  • ସଶସ୍ତ୍ର ସୁରକ୍ଷାବାହୀନି ମୁତୟନ ସତ୍ୱେ କ’ଣ ପାଇଁ ଉପଦ୍ରବକାରୀଙ୍କୁ ଆୟତକୁ ଅଣାଯାଇପାରୁନି?

କିଛି ଦିନ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ମଣିପୁରକୁ ୪ ଦିନିଆଗସ୍ତ କରିଥିଲେ ଓ ହିଂସା ନକରିବାକୁ ଘନ ଘନ ବୈଠକ କରିବା ସହ ଉପଦ୍ରବକାରୀଙ୍କୁ କଡ଼ା ଚେତାବନୀ ଦେଇଥିଲେ । ତଥାପି ମଣିପୁରରେ ସ୍ଥିତି ସୁଧୁରିବା ବଦଳରେ ବିଗିଡିବାରେ ଲାଗିଛିି

ହିଂସାରେ ଜଳୁଛି ‘ମଣିପୁର’

  • ଜୁଲାଇ ୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି
  • ୪୫ହଜାର ଲୋକଙ୍କୁ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି
  • ସମଗ୍ର ରାଜ୍ୟରେ ଇଣ୍ଟରନେଟ ସେବା ୨୫ ଜୁନ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି

ମେ ୩ ତାରିଖରେ କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଲାଗି ରହିଛି । ୫୦ଦିନରେ ପହଁଚିଲାଣି ହିଂସା ଯେଉଁଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ହେବା ସହ ୪୦ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।