ବଜେଟ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅଧିବେଶନ ପରିଚାଳନା ନେଇ ବିସ୍ତୃତ ଆଲୋଚନା ।

41

କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ଏହା ପୂର୍ବରୁ ବାଚସ୍ପତି ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି । କାଲିଠାରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନକୁ କିଭଳି ପରିଚାଳନା କରାଯିବ ତାକୁ ନେଇ ଆଲୋଚନା କରାଯାଉଛି । ବିଧାନସଭା କନ୍ଫରେନ୍ସ ହଲରେ ଚାଲିଥିବା ଆଲୋଚନାରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଅଛନ୍ତି ।

୧୮ ତାରିଖ ଅର୍ଥାତ୍ ଆସନ୍ତାକାଲି ଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇ, ୨ଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୮ରୁ ଆରମ୍ଭ ହୋଇଛି ଫେବୃଆରୀ ୨୮ ତାରିଖ ଯାଏଁ ଚାଲିବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେସନ ମାର୍ଚ୍ଚ ୧୧ ରୁ ୩୧ ତାରିଖରେ ଶେଷ କରାଯିବ । ଫେବୃଆରୀ ୨୨ ତାରିଖରେ ବଜେଟ୍ ଆଗତ ହେବ । ତେବେ ବଜେଟ୍ ଅଧିବେଶନ କାଳରେ ବିଧାନସଭାରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ଏଥିପାଇଁ ଆଜି ୩ ରାଜନୈତିକ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବ ।

ଆଜି ଅପରାହ୍ଣ ସାଢେ ୫ଟାରେ ବିଜେଡିର ବିଧାୟକ ଦଳ ବୈଠକ ବସିବ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିରୋଧୀ ଦଳ ବୈଠକ ବସିବ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସରକାରୀ ବାସ ଭବନରେ ଏହି ବୈଠକ ବସିବ । ସେହିଭଳି ବଜେଟ୍ ଅଧିବେଶନକୁ ନେଇ କଂଗ୍ରେସ ବିଧାୟକ ଦଳ ମଧ୍ୟ ବୈଠକର ଆୟୋଜନ କରିଛନ୍ତି । ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳଙ୍କର ବୈଠକ ଅନୁଷ୍ଠିତ ହେବ ।