କନକ ବ୍ୟୁରୋ : ପୌର ନିର୍ବାଚନ ପାଇଁ ଆଜି ବସିଥିଲା ସର୍ବଦଳୀୟ ବୈଠକ । କେମିତି ନିର୍ବାଚନ ଅବାଧ ଓ ନିରପେକ୍ଷ ହେବ ସେନେଇ ରାଜନୈତିକ ଦଳ ଗୁଡିକ ସହ ଆଲୋଚନା କରିଛନ୍ତି ନିର୍ବାଚନ କମିଶନ । ଏଥିସହ ପୌର ଅଧ୍ୟକ୍ଷ ଓ ମେୟର ନିର୍ବାଚନ ପାଇଁ ସିଧାସଳଖ ନିର୍ବାଚନ ହେବ ବୋଲି ଦଳଙ୍କୁ ଅବଗତ କରାଯାଇଛି ।

Advertisment

ଏଥର ପ୍ରଥମ ଥର ପାଇଁ ଭୁବନେଶ୍ୱର, କଟକ, ବ୍ରହ୍ମପୁର ବାସୀ ସିଧାସଳଖ ଭୋଟ୍ ଦେଇ ମେୟର ବାଛିବେ । ଯେଉଁ ମହାନଗର ନିମଗରେ ଯାହାର ଯେତେ କର୍ପୋରେଟର ଜିତିଲେ ମଧ୍ୟ, ମେୟର ପଦ ଉପରେ ଏହାର ଆଉ କୌଣସି ପ୍ରଭାବ ରହିବ ନାହିଁ । ତେଣୁ ପୌର ନିର୍ବାଚନ ଉପରେ ସମସ୍ତଙ୍କ ତୀକ୍ଷ୍ଣ ନଜର ରହିଛି ।

ସାଧାରଣ ନିର୍ବାଚନ ସମୟରେ ରାଜ୍ୟରେ ମତଦାନ କେନ୍ଦ୍ରରେ ଦୁଇଟି ଇଭିଏମ ମେସିନ୍ ରହିଥାଏ । ବିଧାନସଭା ଆଉ ଲୋକସଭା ପାଇଁ ଭିନ୍ନ ଭିନ୍ନ ଭାବେ ଭୋଟ୍ ପଡେ । ଏଥର ସମାନ ଦୃଶ୍ୟ ଦେଖିବାକୁ ମିଳିବ ପୌର ଏବଂ ମହାନଗର ନିର୍ବାଚନ ସମୟରେ । କାରଣ, ପ୍ରଥମ ଥର ପାଇଁ ମେୟର ଏବଂ ଏନଏସି ଅଧ୍ୟକ୍ଷ ପଦ ସିଧାସଳଖ ବାଛିବେ ଜନତା । କର୍ପୋରେଟର ଅବା କାଉନସିଲର ପାଇଁ ଏବଂ ମେୟର ଓ ଏନଏସି ଅଧ୍ୟକ୍ଷ ପାଇଁ ଅଲଗା ଅଲଗା ମତଦାନ ହେବ ।

ରାଜନୀତିରେ ଏହାର ଗୁରୁତ୍ୱ ବୁଝିବାକୁ ଚେଷ୍ଟା କରନ୍ତୁ । ପୂର୍ବରୁ ଯେଉଁ ଦଳର ଅଧିକ କର୍ପୋରେଟର କିମ୍ବା କାଉନସିଲର ଜିତୁଥିଲେ, ସେହି ଦଳ ମହାନଗର ନିଗମ ଏବଂ ଏନଏସି ଉପରେ କବଜା କରୁଥିଲା । ହେଲେ ଏଥର ସ୍ଥିତି ସମ୍ପୂର୍ଣ୍ଣ ଅଲଗା । ତେଣୁ ଭଲ ପ୍ରାର୍ଥୀ ବାଛି ଲୋକଙ୍କ ବିଶ୍ୱାସଭାଜନ ହେବା ଏବେ ସବୁ ଦଳଙ୍କ ପାଇଁ ଆହ୍ୱାନର ବିଷୟ ହେବ ।

ସମସ୍ତଙ୍କ ନଜର ରହିବ ଭୁବନେଶ୍ୱର ମହାନଗର ନିଗମ ଉପରେ । କାରଣ ଏହି ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୬ଟିରେ ବିଜେଡି ଜିତିଥିଲା । ମାତ୍ର ଗୋଟିଏ କଂଗ୍ରେସ ହାତକୁ ଯାଇଥିଲା । ହେଲେ ଲୋକସଭା ଆସନ ପାଇଁ ଲୋକ ବିଜେପିକୁ ଜିତାଇଥିଲେ । ଏହି ଉଦାହରଣରୁ ଆପଣ ବୁଝି ପାରୁଥିବେ, କିଭଳି ମେୟର ଆସନ ସବୁ ଦଳ ପାଇଁ ସମ୍ମାନର ଲଢେଇ ହେବାକୁ ଯାଉଛି ।