କରୋନା ପାଇଁ ବଦଳିଲା ବିଧାନସଭର ବିଧି: ସର୍ବଦଳୀୟ ବୈଠକରେ ନିଷ୍ପତି, ଆସନ୍ତା ୨୯ ତାରିଖ ଦିନ ୧୧ଟାରୁ ଆରମ୍ଭ ହେବ ଅଧିବେଶନ; ଦିନକୁ ୨ ପର୍ଯ୍ୟାୟରେ ସାଢେ ୪ ଘଂଟା ଚାଲିବ ଗୃହକାର୍ଯ୍ୟ, ରହିବନି ପ୍ରଶ୍ନକାଳ

112

କନକ ବ୍ୟୁରୋ:  କରୋନା ପାଇଁ  ବିଧାନସଭା ବିଧିରେ ପରିବର୍ତ୍ତନ । ଏଣିକି ଦିନକୁ ସାଢେ ୪ ଘଂଟା ବସିବ ଅଧିବେଶନ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକର ନିଷ୍ପତି ଅନୁସାରେ, ଆସନ୍ତା ୨୯ ତାରିଖ ଦିନ ୧୧ଟାରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ । ପ୍ରତ୍ୟକ ଦିନ ୨ ପର୍ଯ୍ୟାୟରେ ସାଢେ ୪ ଘଂଟା ଗୃହ ପରିଚାଳିତ ହେବ । ପ୍ରଥମ ଦିନ ପ୍ରଥମାର୍ଦ୍ଧରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ମୁଲତବୀ ଘୋଷଣା କରାଯିବ । ସେହିଦିନ ଅପରାହ୍ନ ୩ଟାରୁ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ଣ ୫ଟାରେ ଶେଷ ହେବ । ଅନ୍ୟଦିନ ମାନଙ୍କରେ ଗୃହ କାର୍ଯ୍ୟ ପୂର୍ବାହ୍ଣ ୧୦ଟା ୩୦ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ଦିନ ଗୋଟାଏ ଯାଏଁ ଚାଲିବ । ପରେ ଦ୍ୱିତୀୟ ପର୍ଯ୍ୟାୟ ଗୃହ କାର୍ଯ୍ୟ ୩ଟାରୁ ୫ଟା ଯାଏଁ ପରିଚାଳିତ ହେବ । ତେବେ ଚଳିତ ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ  ବସିଥିବା  ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ, ଅର୍ଥମନ୍ତ୍ରୀ, ବିରୋଧୀ ଦଳ ନେତା ଓ କଂଗ୍ରସ ବିଧାୟକ ସାମିଲ ହୋଇଥିଲେ । କରୋନା କଟକଣା ଭିତରେ କିପରି ଗୃହ ପରିଚାଳନା ହେବ ସେନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ଗୃହରେ ୧୪୫ ଜଣ ବିଧାୟକଙ୍କ ପାଇଁ ବ୍ୟବସ୍ଥା କରାଯିବ । ତଳମହଲାରେ ବାଚସ୍ପତି ଗ୍ୟାଲେରୀ ଏବଂ ଦର୍ଶକ ଗ୍ୟାଲେରୀରେ ବିଧାୟକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯିବ । ବିଧାୟକମାନେ ବସିକି ପ୍ରଶ୍ନ ପଚାରି ପାରିବେ ଏବଂ ମନ୍ତ୍ରୀମାନେ ମଧ୍ୟ ବସିକରି ଉତର ଦେଇ ପାରିବେ । ଯେଉଁ ସଦସ୍ୟମାନେ ବିଧାନସଭା ଅଧିବେଶନକୁ ଆସିବେ ନାହିଁ ସେମାନେ ଆଗରୁ ଲେଖି କରି ଜଣାଇବେ । ଏହାସବ ଆଧିବେଶନ ଆଗରୁ ବିଧାୟକ, ବିଧାନସଭା କର୍ମଚାରୀ, ଷ୍ଟାଫ୍ ଡ୍ରାଇଭର ଓ ପିଏସଓଙ୍କ କୋଭିଡ ପରୀକ୍ଷା କରାଯିବ । ଆସନ୍ତାକାଲି ସକାଳ ୮ଟାରୁ କୋଭିଡ ପରୀକ୍ଷା ଆରମ୍ଭ ହେବ ବୋଲି ବାଚସ୍ପତି କହିଛନ୍ତି ।