ରାଜଧାନୀରେ ‘କରୋନା’ ମୁକାବିଲା ପାଇଁ ପ୍ରସ୍ତୁତି। ଭୁବନେଶ୍ୱରରେ ଅସ୍ଥାୟୀ କ୍ୱାରେଂଟାଇନ ସେଂଟର ପାଇଁ ଚିହ୍ନଟ ହେଲା ୨୫ଟି ସ୍ଥାନ । ଦିନ ୨ଟାରୁ ସହରାଞ୍ଚଳର ସମସ୍ତ ପାର୍କ ବନ୍ଦ ରଖିବାକୁ ନିର୍ଦ୍ଦେଶ

591

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ କଡା ପଦକ୍ଷେପ । କରୋନା ମୁକାବିଲା ପାଇଁ ତତ୍ପର ହେଲା ଗୃହ ଓ ନଗର ଉନ୍ନୟନ ବିଭାଗ । ପ୍ରସ୍ତୁତ ରହିବାକୁ ରାଜ୍ୟର ସମସ୍ତ ମହାନଗର ନିଗମ ଓ ଏନଏସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିଜ ନିଜ ଅଂଚଳରେ ଥିବା ସ୍କୁଲ, କମ୍ୟୁନିଟି ସେଂଟର, କଲ୍ୟାଣମଣ୍ଡପ, ବାତ୍ୟା ଆଶ୍ରୟସ୍ଥଳରେ ଅସ୍ଥାୟୀ କ୍ୱାରେଂଟାଇନ ସେଂଟର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ୱାର୍ଡ ଅଫିସରମାନେ କେନ୍ଦ୍ର ଗୁଡିକର ତଦାରଖ କରିବେ । ସେମାନଙ୍କୁ ‘ସ୍ୱଚ୍ଛ ସାଥୀ’ ସ୍ୱଚ୍ଛତାରେ ସହଯୋଗ କରିବେ । ଏସବୁ କେନ୍ଦ୍ରଗୁଡିକରେ ବିଦ୍ୟୁତ୍ ସଂଯୋଗ ସହ ଡିଜି ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଏଥିସହିତ ଏସବୁ କେନ୍ଦ୍ରଗୁଡିକୁ ସ୍ୱଚ୍ଛ ଓ ପରିଷ୍କାର ରଖିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ସେହିଭଳି ସହରାଂଚଳରେ ଥିବା ସମସ୍ତ ପାର୍କଗୁଡିକୁ ପ୍ରତିଦିନ ଦିନ ୨ଟାରୁ ବନ୍ଦ ରଖିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏପଟେ କରୋନା ସନ୍ଦିଗ୍ଧଙ୍କୁ ଆଇସୋଲେସନରେ ରଖିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରାଜଧାନୀରେ ଅସ୍ଥାୟୀ କ୍ୱାରେନଟାଇନ୍ ସେଂଟର ଖୋଲିବାକୁ ସ୍ଥାନ ଚିହ୍ନଟ କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୨୫ଟି ସ୍ଥାନକୁ କ୍ୱାରେଟାଇନ ସେଂଟର ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ସହରରେ ଥିବା ବିଭିନ୍ନ ସ୍କୁଲ, ଯାତ୍ରୀ ନିବାସ, କମ୍ୟୁନିଟି ସେଂଟର, ବିଜେପି କଲେଜର ଆର୍ଟ୍ସ ବ୍ଲକ, ଏକାମ୍ର କଲେଜରେ କ୍ୱାରେଟାଇନ ସେଂଟର ଖୋଲିବାକୁ ଚିହ୍ନଟ କରାଯାଇଛି । ଏହି ସବୁ କେନ୍ଦ୍ରରେ କ୍ୱାରେଂଟାଇନ ସେଂଟର ଖୋଲିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଜୋନାଲ ଡେପୁଟୀ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ, ସହରରେ ସପିଂ ମଲ ବନ୍ଦ ରହିବ ମାତ୍ର ସାଧାରଣ ଦୋକାନ ବଜାର ଖୋଲା ରହିବ ବୋଲି କମିଶନର ପୋଲିସ ପକ୍ଷରୁ କୁହାଯାଇଛି । କମିଶନର ପୁଲିସର ଗାଇଡ ଲାଇନ୍ ହିସାବରେ ଟ୍ୱିନ୍ ସିଟିର ସବୁ ସପିଂ ମଲ ବନ୍ଦ ରହିବ । କିନ୍ତୁ ପରିବା ଦୋକାନ, ଗ୍ରସୋରୀ ଦୋକାନ, କ୍ଷୀର ଦୋକାନ, ଔଷଧ ଏବଂ ଫଳ ଆଦି ଦୋକାନ ଖୋଲା ରହିବ ବୋଲି ସୂଚନା ଦେଇଛି କମିଶନର ପୋଲିସ । ସହରସାରା ପୋଲିସ ଅଧିକାରୀ ବୁଲିବେ ଏବଂ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୋକାନ ବଜାର ହେଉ କି କୌଣସି ଅଫିସ୍ ବା କାର୍ଯ୍ୟାନୁଷ୍ଠାନରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଭିତରେ ୬ଫୁଟର ଦୁରତା ରଖିବାକୁ ପରାମର୍ଶ ଦିଆଯାଇଛି ।