ରାଜସ୍ଥାନ ରାଜନୀତିରେ ହଲଚଲ, ଗେହଲଟ କ୍ୟାବିନେଟରୁ ଇସ୍ତଫା ଦେଲେ ସମସ୍ତ ମନ୍ତ୍ରୀ

283

କନକ ବ୍ୟୁରୋ : ରାଜସ୍ଥାନ ରାଜନୀତିରେ ପୁଣି ଏକ ସରଗରମ ଅଧ୍ୟାୟ ଆରମ୍ଭ ହୋଇଛି । କଂଗ୍ରେସ ନେତୃତ୍ୱାଧିନ ଗେହଲଟ ସରକାରଙ୍କ କ୍ୟାବିନେଟରୁ ସମସ୍ତ ମନ୍ତ୍ରୀ ଆଜି ଇସ୍ତଫା ଦେଇଛନ୍ତି । ଆସନ୍ତାକାଲି ମଧ୍ୟାହ୍ନ ୨ ଟାରେ ଏନେଇ କଂଗ୍ରେସ ମୁଖ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

କହିରଖୁ କି କିଛିଦିନ ହେବ ରାଜସ୍ଥାନ କଂଗ୍ରେସରେ ଫାଟ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସର ଯୁବନେତା ସଚ୍ଚିନ ପାଇଲଟଙ୍କ ମଧ୍ୟରେ ଦୁଇଟି ଗୋଷ୍ଠୀ ହୋଇଥିଲା । ଏନେଇ ବିବାଦ ରାଜସ୍ଥାନରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପିଥିଲା । ଅଶୋକ ଗେହଲଟ ଓ ସଚ୍ଚିନ ପାଇଲଟ ବ୍ୟକ୍ତିଗତ ଭାବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ । ଏହାପରେ ରାଜସ୍ଥାନ ସରକାରର ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

ଏହି କ୍ରମରେ ଗତକାଲି ଗେହଲଟ ସରକାରୁ ପ୍ରଥମେ ୩ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ସେମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ରାଜସ୍ୱ ମନ୍ତ୍ରୀ ରହିଥିଲେ । ଏନେଇ ଇସ୍ତଫା ଦେଇଥିବା ମନ୍ତ୍ରୀମାନେ ସୂଚନା ଦେଇ ନଥିଲେ ବି ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅଜୟ ମାକେନ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଅନୁମାନ କରାଯାଉଛି ଯେ ଆସନ୍ତା କାଲି କଂଗ୍ରେସ ବୈଠକରେ ମନ୍ତ୍ରୀମାନଙ୍କ ନାମ ଘୋଷଣା କରାଯିବ ।