ଚାରମାଳରେ ବଡଠାକୁର ପଡିଯିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଗଜପତି ମହାରାଜ । କହିଲେ, ଏଭଳି ଦୃଶ୍ୟ କେବେ ଦେଖିନଥିଲୁ, ପୂରା ଘଟଣାର ଯାଞ୍ଚ କରିବ କମିଟି ।

4,024

କନକ ବ୍ୟୁରୋ : ଆଡପ ବିଜେ ପହଣ୍ଡି ବେଳେ ମହାପ୍ରଭୁ ଶ୍ରୀ ବଳଭଦ୍ର ଚାରମାଳରେ ପଡିଯିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗଜପତି ମହାରାଜ କହିଛନ୍ତି, ଏହି ଘଟଣା ସମସ୍ତଙ୍କୁ ଦୁଃଖିତ ଓ ମର୍ମାହତ କରିଛି । ଏଭଳି ଦୃଶ୍ୟ କେବେ ଦେଖିନଥିଲୁ । କାହିଁକି ହେଲା ଓ କେମିତି ଏ ଅଘଟଣ ହେଲା ପ୍ରଶାସନ ତାହାର ଯାଞ୍ଚ କରିବ । ୩ ଜଣିଆ କମିଟି ଗଠନ ହେବ । ଡ୍ରୋନ୍ ଓ ଅନ୍ୟ ଭିଡିଓ ଫୁଟେଜକୁ ଯାଞ୍ଚ କରାଯିବ । କମିଟିରେ ଉନ୍ନୟନ ପ୍ରଶାସକ , ଏ ଡି ଏମ ,ଡେପୁଟି ସୁପରିଟେଣ୍ଡେଣ୍ଟ ରହିବେ ।ନୀଳାଦ୍ରି ବିଜେର ୧୦ ଦିନ ଭିତରେ କମିଟି ରିପୋର୍ଟ ଦେବ ।

ଆଗାମୀ ଦିନରେ ଯେପରି ଏଭଳି ଅଘଟଣ ନହୁଏ ସେଥିପାଇଁ ସେବାୟତ ଓ ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନେବେ । ପରିଚାଳନା କମିଟି ବୈଠକରେ ଏନେଇ ଚର୍ଚ୍ଚା ହୋଇଛି । ଏ ଅଘଟଣରୁ ସେବାୟତ ମାନେ ଶିକ୍ଷା ନେଇଛନ୍ତି । ଏହାସହ ଗଜପତି ମହାରାଜ କହିଛନ୍ତି, ପହଣ୍ଡିରେ ଅଧିକ ସଂଖ୍ୟକ ସେବକ ଓ ରଥ ଉପରେ ଅଧିକ ସଂଖ୍ୟକ ସେବକଙ୍କ ଯୋଗୁଁ ଏଭଳି ସମସ୍ୟା ହେଉଛି । ନୀଳାଦ୍ରିବିଜେ ପରେ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇ ଆଗାମୀ ରଥଯାତ୍ରାରେ ଯେପରି ଏଭଳି ପରିସ୍ଥିତି ନହୁଏ ସେଥିପାଇଁ ନିଷ୍ପତ୍ତି ନିଆଯିବ ।