କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ବାରା ପିଇବା ପାଣିର ନମୁନା ଯାଞ୍ଚ ପାଇଁ ଦେଶର ୨୧ ସହରରେ କରାଯାଇଥିବା ସର୍ଭେରେ ଭୁବନେଶ୍ବର ସହରର ପାଣି ଗୁଣବତ୍ତା ଦୃଷ୍ଟିରୁ ଦ୍ବିତୀୟ ସର୍ବୋତ୍ତମ ବୋଲି ଜଣାପଡ଼ିଛି। କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରାଳୟ ଅନ୍ତର୍ଗତ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ୍) ଦ୍ବାରା ପିଇବା ପାଣିର ଶୁଦ୍ଧତା ଉପରେ କରାଯାଇଥିବା ସର୍ଭେରେ ଦେଶର ୨୧ଟି ସହରରୁ ଜଳ ନମୁନା ଯାଞ୍ଚ କରାଯାଇଥିଲା। ଶୁଦ୍ଧତାରେ ଭୁବନେଶ୍ବର ଏବଂ ହାଇଦ୍ରାବାଦ ଦ୍ବିତୀୟ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ମୁମ୍ବାଇ ରହିଛି। ହାଇଦ୍ରାବାଦ ଓ ଓଡ଼ିଶା ପରେ ରାଞ୍ଚି ଓ ରାୟପୁର ସହରରେ ପାଣିର ଗୁଣବତ୍ତା ଉତ୍ତମ ରହିଛି ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରାମ ବିଳାଶ ପାଶ୍ବାନଙ୍କ ଦ୍ବାରା  ‘ୱାଟର କ୍ବାଲିଟି ରିପୋର୍ଟ’ର ଉନ୍ମୋଚନ କରାଯାଇଥିଲା।

Advertisment

publive-imageପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀର ୧୦ଟି ସ୍ଥାନରୁ ପିଇବା ପାଣିର ୧୧ଟି ନମୁନା ପରୀକ୍ଷା କରାଯାଇଥିଲା। ୧୯ଟି ଗୁଣବତ୍ତା ସୂଚକରେ ଦିଲ୍ଲୀ ବିଫଳ ହୋଇଛି ଏବଂ ଦିଲ୍ଲୀର ପାଣି ଅଧିକ ଦୂଷିତ ଥିବା ରିପୋର୍ଟରୁ ଜଣାପଡ଼ିଛି। ଦ୍ବିତୀୟ ପର୍ଯ୍ୟାୟରେ କରାଯାଇଥିବା ୨୦ଟି ପ୍ରମୁଖ ସହରର ପିଇବା ପାଣି ନମୁନା ଯାଞ୍ଚରେ ପ୍ରଥମ ସ୍ଥାନରେ ମୁମ୍ବାଇ ରହିଛି। ଅମରାବତୀ, ସିମଲା, ଚଣ୍ଡିଗଡ଼, ତ୍ରିବେନ୍ଦ୍ରମ୍, ପାଟନା, ଭୋପାଳ, ଗୌହାଟୀ, ବେଙ୍ଗାଲୁରୁ, ଗାନ୍ଧୀନଗର, ଲକ୍ଷ୍ନୌ ଓ ଜୟପୁର ସହରରେ ପିଇବା ପାଣିରେ ପ୍ରଦୂଷଣ ମାତ୍ରା ରହିଥିବା ସର୍ଭେ ରିପୋର୍ଟରେ କୁହାଯାଇଛି।

ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ୍) ଦ୍ବାରା ସାରା ଦେଶରେ ପିଇବା ପାଣିର ନମୁନା ଏକାଠି କରି ତାହାର ଗୁଣବତ୍ତା ପରୀକ୍ଷା କରାଯାଇଛି। ଦୁଇଟି ପର୍ଯ୍ୟାୟରେ ୨୧ଟି ସହରରେ ଗୁଣବତ୍ତା ଯାଞ୍ଚ ଶେଷ ହେବା ପରେ ତୃତୀୟ ପର୍ଯ୍ୟାୟରେ ଉତ୍ତର-ପୂର୍ବ ରାଜ୍ୟ ଓ ଦେଶର ୧୦୦ ଟି ସ୍ମାର୍ଟ ସିଟିରୁ ପିଇବା ପାଣିର ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଆସନ୍ତା ବର୍ଷ ଜାନୁଆରୀ ୧୫ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଆସିବ ବୋଲି କୁହାଯାଇଛି। ଚତୁର୍ଥ ପର୍ଯ୍ୟାୟରେ ଦେଶର ସମସ୍ତ ଜିଲ୍ଲାମାନଙ୍କରୁ ପିଇବା ପାଣିର ନମୁନା ସଂଗ୍ରହ କରି ପରୀକ୍ଷା କରାଯିବ। ଅଗଷ୍ଟ ୧୫, ୨୦୨୦ ସୁଦ୍ଧା ସମଗ୍ର ଦେଶରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି କୁହାଯାଇଛି।