ଓଡ଼ିଶାରୁ ଥାଇଲାଣ୍ଡ ! ଗାଡ଼ି ଗଡିଲା ୨୮ଶହ କି.ମି । ମହିଳା ଶକ୍ତିର ସନ୍ଦେଶ ନେଇ ଓଡ଼ିଶାରୁ ଥାଇଲାଣ୍ଡ ଯାତ୍ରା ।

ସଡ଼କ ପଥରେ ୨୮୦୦ କି.ମି କାର ଡ୍ରାଇଭ କରି ଇମ୍ଫାଲରୁ ବ୍ୟାଙ୍କକ ଗଲେ ରାଉରକେଲାର ଓଡିଆ ଝିଅ ଅନିନ୍ଦିତା ମହାପାତ୍ର ।

241

କନକ ବ୍ୟୁରୋ: କଥାରେ ଅଛି ଦୃଢ଼ ବିଶ୍ୱାସ ଓ ଉତ୍ସାହ ଆପଣଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ବାଟ ଦେଖାଏ । ଆଉ ଆପଣ ସବୁ କାମକୁ ସମ୍ଭବ କରିପାରିବେ । ଏଭଳି କିଛି ଅସମ୍ଭକୁ ସମ୍ଭବ କରି ଦେଖାଇଛନ୍ତି ଓଡ଼ିଆ ଝିଅ । ଭାରତରୁ ଥାଇଲାଣ୍ଡକୁ ଦୁଃସାହାସିକ ସଡ଼କ ଯାତ୍ରା । ସଡ଼କ ପଥରେ ୨୮୦୦ କି.ମି କାର ଡ୍ରାଇଭ କରି ଇମ୍ଫାଲରୁ ବ୍ୟାଙ୍କକ ଗଲେ ରାଉରକେଲାର ଓଡିଆ ଝିଅ ଅନିନ୍ଦିତା ମହାପାତ୍ର । ଯାହାକି ଏବେ ରାଜ୍ୟ ଓ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ ଜାତୀୟ ସ୍ତରରେ ଆୟୋଜିତ ଏହି ତ୍ରିଦେଶୀୟ ସଡ଼କ ଯାତ୍ରାର ଦେଶର ବିଭିନ୍ନ ବର୍ଗର ୧୬ ଜଣ ମହିଳା ଭାଗ ନେଇଥିଲେ । କିନ୍ତୁ ସମଗ୍ର ପୂର୍ବଭାରତ ତଥା ଓଡ଼ିଶାରୁ ଏକମାତ୍ର ଓଡ଼ିଆ ଝିଅ ଅନିନ୍ଦିତା ଭାଗ ନେଇଥିଲେ ।

ସୂଚନା ମୁତାବକ ଗତ ୨୧ ତାରିଖରେ ମୁମ୍ବାଇ ଏମ୍ବାରାକ ସଂଗଠନ ଓ ପଶ୍ଚିମ ଭାରତ ଅଟୋମୋବାଇଲ ସଂଘର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମର ଇମ୍ଫାଲ ଠାରେ ଶୁଭାରମ୍ଭ କରାଯାଇଥିଲା । ଏହାପରେ ଏହି ସଡ଼କ ଯାତ୍ରାରେ ବାହାରିଥିଲେ ୧୬ ଜଣ ଭାରତୀୟ ମହିଳା । ଭାରତ, ମିଆଁମାର ଓ ଥାଇଲାଣ୍ଡ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଭ୍ରମଣ କରି ସଫଳତାର ସହ ବ୍ୟାଙ୍କକରେ ପହଁଚିଥିଲେ ।

ବୈବାହିକ ଜୀବନଯାପନ କରୁଥିଲେ ମଧ୍ୟ ବୃତ୍ତିରେ ଇଞ୍ଜିନିୟର ଅନିନ୍ଦିତା ଏହି ଦୁଃସାହସିକ ଯାତ୍ରା ନେଇ କହିଛନ୍ତି ଯେ, ନିଜ ଭିତରେ ଆତ୍ମବିଶ୍ୱାସ ଓ ଭରଷା ଥିଲେ ସବୁ କିଛି ସମ୍ଭବପର କରିହେବ । ଆତ୍ମନିର୍ଭରଶୀଳ ହୋଇ ଆଜିର ନାରୀ ଜାତିକୁ ନିଜ ସ୍ୱପ୍ନ ସାକାର କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଏହାସହ ମହିଳା ସଶକ୍ତିକରଣ ଦିଗରେ ତାଙ୍କର ଏହି ପ୍ରୟାସ କିଛି ମାତ୍ରାରେ ସହାୟକ ହେବ ବୋଲି ଆଶା ପ୍ରକଟ କରିଛନ୍ତି ଅନିନ୍ଦିତା ।