ପୁଣି ତେଜିଲା କୃଷକ ଆନ୍ଦୋଳନ । ସଂଯୁକ୍ତ କିଷାନ ମୋର୍ଚ୍ଚାର ଘୋଷଣା , ଜୁନ ୨୬ ତାରିଖରେ ସାରା ଦେଶର ରାଜଭବନ ଆଗରେ କରାଯିବ ବିକ୍ଷୋଭ

189

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷିଆଇନକୁ ବିରୋଧ କରି ଦେଶରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଆନ୍ଦୋଳନକୁ ଜୁନ ୨୬ ତାରିଖରେ ୭ ମାସ ପୂରଣ ହେବାକୁ ଯାଉଛି । ଏହା ପୂର୍ବରୁ ସଂଯୁକ୍ତ କିଷାନ ମୋର୍ଚ୍ଚର୍ା ତରଫରୁ ଏକ ବଡ ଘୋଷଣା କରାଯାଇଛି । ଶୁକ୍ରବାର ଦିନ କୁଣ୍ଡଲୀ ସୀମାରେ ଆୟୋଜିତ ବୈଠକ ପରେ କୃଷକ ନେତା ଇନ୍ଦ୍ରଜିତ୍ ସିଂ କହିଛନ୍ତି କି,ଜୁନ ୨୪ ତାରିଖରେ ସନ୍ଥ କବୀରଙ୍କର ଜୟନ୍ତୀ ପାଳନ କରାଯିବ ଓ ୨୬ ତାରିଖରେ ସାରା ଦେଶରେ ରାଜଭବନ ଆଗରେ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରିବେ ।

ଜୁନ ୨୬ ତାରିଖକୁ କ୍ଷେତ ବଞ୍ଚାଅ ଓ ଲୋକତନ୍ତ୍ର ବଞ୍ଚାଅ ଦିବସ ପାଳନ କରାଯିବ । ଏହି କ୍ରମରେ ସାରା ଦେଶରେ ପ୍ରତି ରାଜ୍ୟର ରାଜଭବନ ଆଗରେ ଆନ୍ଦୋଳନରତ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରିବେ । ଏହାସହ ରାଷ୍ଟ୍ରପତିଙ୍କ ଉର୍ଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ । ଅନ୍ୟପଟେ କୃଷକ ଆନ୍ଦୋଳନରେ ଶହ ଶହ ମହିଳା ଯୋଗ ଦେଉଥିବାରୁ ତାଙ୍କୁ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ ବୋଲି କୃଷକ ନେତା ମାନେ କହିଛନ୍ତି ।

ଅନ୍ୟପଟେ ହରିଆଣାରେ ଜନନାୟକ ଜନତା ପାର୍ଟି ଓ ବିଜେପି ପ୍ରାର୍ଥୀ ମାନଙ୍କ ଉପରେ କଟକଣା ଲଗାଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା । କୁହାଯାଇଛି କି, ଏନେଇ ପ୍ରତି ଗାଁରେ ଅଭିଯାନ ଚାଲୁ ରହିବ । ସଂପୃକ୍ତ ଦଳର ନେତାମାନଙ୍କୁ କେବଳ ତାଙ୍କ ନିଜ ଗାଁ ବ୍ୟତୀତ ଅନ୍ୟ ଗାଁ ରେ ପଶିବାକୁ ଦିଆଯିବ ନାହିଁ କି ସେମାନଙ୍କୁ କୌଣସି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯିବ ନାହିଁ । ମାତ୍ର ସହରରେ ନେତାଙ୍କ ତରଫରୁ ହେଉଥିବା କାର୍ଯ୍ୟକ୍ରମକୁ ବିରୋଧ ନକରିବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଆନ୍ଦୋଳନକାରୀଙ୍କୁ ଅନୁରୋଧ କରିଛି ।