କୃଷି ଆଇନ ପ୍ରତ୍ୟାହାର ଦାବିରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି: କୃଷିମନ୍ତ୍ରୀଙ୍କୁ ଭେଟିଲା କିଷାନ ସଂଘ; ଆଇନ ସପକ୍ଷରେ ବାଢିଲା ଯୁକ୍ତି

68

କନକ ବ୍ୟୁରୋ: ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଜାରି ରହିଛି । ଏହାରି ମଧ୍ୟରେ ମଙ୍ଗଳବାର ଦିଲ୍ଲୀରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ୁ ଭେଟି ଚାଷୀ ପ୍ରସଙ୍ଗରେ ଅଖିଳ ଭାରତୀୟ କିସାନ ସଂଘର ପ୍ରତିନିଧି ମଣ୍ଡଳି । ଏକ ଘଂଟାରୁ ଅଧିକ ସମୟ ଚାଲିଥିବା ବୈଠକରେ ଚାଷୀଙ୍କ ପ୍ରସଙ୍ଗ ଏବଂ କେନ୍ଦ୍ର ସରକାର ଆଣିଥିବା କୃଷି ବିଲ୍ ସମ୍ପର୍କରେ ଆଲୋଚନା ହୋଇଥିଲା । କିସାନ ସଂଘ ନୂଆ କୃଷି ଆଇନକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିବା ପରେ କେନ୍ଦ୍ର ସରକାରଙ୍କ ନିୟମକୁ ସମର୍ଥନ କରିଥିବା କହିଛି । ନୂଆ ଆଇନ ଚାଷୀଙ୍କ ହିତରେ ବୋଲି କହିଛି ଭାରତୀୟ କିସାନ ସଂଘ । ସେପଟେ କେନ୍ଦ୍ରକୃଷିମନ୍ତ୍ରୀ ପୁଣି ଥରେ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାରଙ୍କ ଆଇନ ପ୍ରତ୍ୟାହାର କରାଯିବ ନାହିଁ ।

ଅନ୍ୟପଟେ, ଆଜି ଦିଲ୍ଲୀରେ ଆନ୍ଦୋଳନରତ ଚାଷୀ ଘେରିବେ ଦିଲ୍ଲୀ-ନୋଏଡା ସୀମା । ଦିଲ୍ଲୀ ନୋଏଡା ମଧ୍ୟରେ ଥିବା ଚିଲା ବର୍ଡରକୁ ଆଜି ପୁରା ବନ୍ଦ କରିବେ ଚାଷୀ ସଂଗଠନ । ଏନେଇ ଆଗୁଆ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ । କେନ୍ଦ୍ର ସରକାର ନୂଆ ଚାଷୀ ଆଇନରେ ଆଣିଥିବା ୩ ଆଇନକୁ ରଦ୍ଦ କରିବାକୁ ଚାପ ଅଧିକ ବଢାଇବାକୁ ଏପରି ବାଟ ଆପଣାଇଛନ୍ତି ଆନ୍ଦୋଳନକାରୀ । ଏହା ମଧ୍ୟରେ ଚାଷୀ ଆନ୍ଦୋଳନକୁ ନେଇ ବୟାନ ରଖିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ନୂଆ ଆଇନକୁ ନେଇ ଚାଷୀଙ୍କୁ ବିରୋଧୀ ଅଧିକ ଭ୍ରମିତ କରୁଛନ୍ତି ।  ଆଉ ଏହା ପଛରେ ରହିଛି ବଡ ଷଡଯନ୍ତ୍ର ।

ପ୍ରଧାନମନ୍ତ୍ରୀଙ୍କ ଏପରି ବୟାନ ପରେ ପରେ ଅଧିକ ତାତିଛନ୍ତି ଆନ୍ଦୋଳନରତ ଚାଷୀ ସଂଗଠନ । ସ୍ପଷ୍ଟ ଭାବେ ଚାଷୀ ନେତାଏଁ କହିଛନ୍ତି ଯେଉଁଚାଷୀମାନେ ମୋଦିଙ୍କ କଥାରେ ବିଶ୍ୱାସ କରୁଛନ୍ତି ସେମାନେ ଆନ୍ଦୋଳନସ୍ଥଳ ଛାଡି ଯାଇପାରନ୍ତି । କିନ୍ତୁ କେନ୍ଦ୍ର ସରକାର ଆଣିଥିବା ନୂଆ ଆଇନ ପ୍ରତ୍ୟାହାର ନହେବା ଯାଏଁ ଚାଷୀ ଛାଡିବେନି ଆନ୍ଦୋଳନ ସ୍ଥଳ । ଏହା ସହିତ ଚାଷୀ ନେତାଏଁ କହିଛନ୍ତି , ସେମାନେ କେବେ ରାଜପଥ ଅବରୋଧ କରିବାକୁ ଚାହଁନ୍ତି ନାହିଁ । ସେମାନଙ୍କୁ ରାମଲୀଳା ମୈଦାନ ଛାଡି ଦିଆଯାଉ, ସେମାନେ ରାସ୍ତା ଉପରୁ ହଟିଯିବେ । ଆଉ ଯଦି  ଆନ୍ଦୋଳନକାରୀଙ୍କୁ ହଟାଇବାକୁ ବଳ ପ୍ରୟୋଗ ହୁଏ, ଏହାର ପରିଣାମ କେନ୍ଦ୍ର ସରକାର ଭୋଗିବେ ।