ବଦଳିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ । ଜିତେନ୍ଦ୍ର ସିଂଙ୍କ ସ୍ଥାନ ନେଲେ ଚେଲ୍ଲା କୁମାର । କଂଗ୍ରେସର ଭାଗ୍ୟ ବଦଳାଇବାରେ ହେବେ କି ସମର୍ଥ ?

1,292

କନକ ବ୍ୟୁରୋ : ବଦଳିଲେ ରାଜ୍ୟ କଂଗ୍ରେସର ପ୍ରଭାରୀ । ଜିତେନ୍ଦ୍ର ସିଂଙ୍କ ସ୍ଥାନରେ ଡାକ୍ତର ଚେଲ୍ଲା କୁମାରଙ୍କୁ ନିଯୁକ୍ତି ଦେଇଛି ଏଆଇସିସି । ଏନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଜାରି ପ୍ରେସ ରିଲିଜରେ ସୂଚନା ଦିଆଯାଇଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ପ୍ରଭାରୀ ଭାବେ ଦାୟିତ୍ୱ ପାଇଥିଲେ ଜିତେନ୍ଦ୍ର ସିଂ । ହେଲେ ସେହି ସମୟରେ କଂଗ୍ରେସ ଆଖିଦୃଶିଆ ପ୍ରଦର୍ଶନ କରିବା ପରିବର୍ତ୍ତେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଆଉ ଏହାପରେ କଂଗ୍ରେସ ଏହାର ପ୍ରଭାରୀଙ୍କୁ ବଦଳାଇ ଦେଇଛି । ଆଉ ଏବେ ନଜର ପ୍ରଭାରୀ ବଦଳିବା ସହ ରାଜ୍ୟ ସଂଗଠନରେ କିଛି ପରିବର୍ତ୍ତନ ହେବ ନା ନାହିଁ ।

ବଡ କଥା ହେଉଛି, ଖାଲି ଓଡିଶା ସଂଗଠନ ନୁହେଁ ବରଂ ଜାତୀୟ ସ୍ତରରେ ମଧ୍ୟ ଅନେକ ପରିବର୍ତ୍ତନ କରିଛି କଂଗ୍ରେସ । କିଛି ବରିଷ୍ଠ ନେତାଙ୍କୁ ଦଳର ବିଭିନ୍ନ କମିଟିରୁ ବାଦ ଦିଆଯାଇଥିବା ବେଳେ କଂଗ୍ରେସର ସବୁଠାରୁ ବଡ ନୀତି ନିର୍ଦ୍ଧାରଣ କରୁଥିବା ସିଡବ୍ଲ୍ୟୁସିରେ ମଧ୍ୟ ଅଣାଯାଇଛି ବ୍ୟାପକ ପରିବର୍ତ୍ତନ । ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବା ଦୁଇଟି ଦିଗ ହେଲା, କମିଟିରୁ ରାମଚନ୍ଦ୍ର ଖୁଂଟିଆଙ୍କୁ ବାଦ ଦିଆଯାଇଥିବା ବେଳେ କଳାହାଣ୍ଡିର ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ତାଲିକାରେ ରଖାଯାଇଛି ।

ସେହିଭଳି ଭକ୍ତ ଚରଣ ଦାସଙ୍କୁ ମଧ୍ୟ ମିଜୋରାମ ଏବଂ ମଣିପୁର ପ୍ରଭାରୀ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି । ଗତ ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ନିର୍ବାଚନରେ କଂଗ୍ରେସ ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଯେତେବେଳେ ଓଡିଶା ରାଜନୀତିର ଇତିହାସରେ ପ୍ରଥମ ଥର ପାଇଁ ଦଳ ତିନି ନମ୍ବର ସ୍ଥାନକୁ ଖସିଥିଲା । ପଂଚାୟତ ନିର୍ବାଚନରେ ବିଜେପି କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ଦେଇଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ କଂଗ୍ରେସକୁ ହଟାଇ ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ମୁଖ୍ୟ ବିରୋଧୀଦଳ ଆସନରେ ବସିଥିଲା । ଯାହା କଂଗ୍ରେସର ସାଂଗଠନିକ ସ୍ତରରେ ଥିବା ଦୂର୍ବଳତାକୁ ପଦାରେ ପକାଇଥିଲା ।

ଏହାରି ଭିତରେ ସମସ୍ତଙ୍କ ନଜର ରହିଛି ଚେଲ୍ଲା କୁମାର କିଭଳି ରାଜ୍ୟ ରାଜନୀତିରେ ନିଜ ପ୍ରଭାବ ବିସ୍ତାର କରିବେ ? ସଂଗଠନକୁ ମଜଭୁତ କରିବା ପାଇଁ କଣ ରଣନୀତି ଆପଣାଇବେ? ଅସଂଗଠିତ ହୋଇ ରହିଥିବା ପିସିସିକୁ ସୁଧାରିବାକୁ କ’ଣ ପଦକ୍ଷେପ ନେବେ? କିଭଳି ଆଗାମୀ ଆହ୍ୱାନ ପଂଚାୟତ ତଥା ପୌର ନିର୍ବାଚନ ପାଇଁ ଦଳକୁ ପ୍ରସ୍ତୁତ କରିବେ?