ଏକାଠି ଫାଶୀ ପାଇବେ ୪ ସୈତାନ । ନିର୍ଭୟା ଦୋଷୀଙ୍କୁ ଫାଶୀ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ବଡ ରାୟ, ସପ୍ତାହେ ଭିତରେ ସମସ୍ତ ଆଇନଗତ ପ୍ରକ୍ରିୟା ସାରିବାକୁ ଦୋଷୀଙ୍କୁ ମହଲତ ।

579

କନକ ବ୍ୟୁରୋ : ନିର୍ଭୟା ଦୋଷୀଙ୍କୁ ଫାଶୀ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ର ସରକାର । ସପ୍ତାହେ ଭିତରେ ସମସ୍ତ ଆଇନଗତ ପ୍ରକ୍ରିୟା ସାରିବାକୁ ଦୋଷୀଙ୍କୁ ମହଲତ ଦେବା ସହ ୪ ଦୋଷୀଙ୍କୁ ଏକକାଳୀନ ଫାଶୀ ଦିଆଯିବ ବୋଲି କହିଛନ୍ତି କୋର୍ଟ । ଏହାସହ କେନ୍ଦ୍ରର ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଥିଲେ । ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି କେନ୍ଦ୍ର ।

ନିର୍ଭୟା ଦୋଷୀଙ୍କୁ ଫାଶୀ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ର ସରକାର । ଏହାସହ ଦୋଷୀଙ୍କୁ ତତ୍କାଳ ଫାଶୀ ଦେବାକୁ କେନ୍ଦ୍ର ସରକାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜଣେ ଦୋଷୀର ଆବେଦନ ବିଚାରାଧୀନ ଥିଲେ ଅନ୍ୟ ଦୋଷୀଙ୍କୁ କାହିଁକି ଫାଶୀ ଦିଆଯିବନି ସେନେଇ କୋର୍ଟରେ ଅପିଲ କରିଛନ୍ତି କେନ୍ଦ୍ର ସରକାର ।

ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯାଇପାରିବନି ବୋଲି କହିଛନ୍ତି ଦିଲ୍ଳୀ ହାଇକୋର୍ଟ । ଏବଂ ସମସ୍ତ ଦୋଷୀଙ୍କୁ ଏକକାଳିନ ଫାଶୀ ଦିଆଯିବ ବୋଲି କହିଛନ୍ତି କୋର୍ଟ । ତେବେ ଦୋଷୀମାନଙ୍କୁ ସାତ ଦିନ ଭିତରେ ସମସ୍ତ ପ୍ରକାର ଆଇନଗତ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ନେଇ ପ୍ରତିକ୍ରିୟା ରଖି ନିର୍ଭୟାଙ୍କ ମାଆ କହିଛନ୍ତି ଦୀର୍ଘ ଦିନ ହେବ ଲଢ଼େଇ କରୁଛନ୍ତି ତେଣୁ ଆଉ ୭ ଦିନ ଅପେକ୍ଷା କରିବେ । ଏବଂ ଦୋଷୀଙ୍କୁ ଦଣ୍ଡ ମିଳିବ ବୋଲି ଆଶାବାଦୀ ରହିଛନ୍ତି ।

ଡେଥ ୱାରେଂଟ ଉପରେ ସ୍ଥଗିତାଦେଶ ଓ ରାୟ ସଂରକ୍ଷିତକୁ ଚ୍ୟାଲେଞ୍ଜ କରି ଦିଲ୍ଳୀ ହାଇକୋର୍ଟ ଯାଇଥିଲେ କେନ୍ଦ୍ର ସରକାର ଓ ତିହାର ଜେଲ କର୍ତ୍ତୃପକ୍ଷ । ଯେଉଁ ଆବେଦନକୁ ବୁଧବାର ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ର ସରକାର । ନିର୍ଭୟା ଦୋଷୀଙ୍କୁ ଫାଶୀ ନେଇ ସୁପ୍ରିମକୋର୍ଟରେ ଆବେଦନ କରିଛି କେନ୍ଦ୍ର । ସେପଟେ ଦୋଷୀ ପକ୍ଷରୁ ଲଢ଼ୁଥିବା ଆଇନଜୀବୀ ଏପି ସିଂ କହିଛନ୍ତି କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନେବେ ।

ଦୋଷୀଙ୍କ ଫାଶୀ ଉପରୁ ସ୍ଥଗିତାଦେଶ ଉଠାଇ ଦୋଷୀମାନଙ୍କୁ ତୁରନ୍ତ ଫାଶୀ ଦେବାକୁ ଦାବି କରିଥିଲେ କେନ୍ଦ୍ର ସରକାର । ଦୋଷୀଙ୍କ ଆଇନଗତ ପ୍ରକ୍ରିୟା ବାକି ଥିବାରୁ ଗତ ୩୧ ତାରିଖରେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ଫାଶୀ ତାରିଖ ଉପରେ ରୋକ୍ ଲଗାଇଥିଲେ ପଟିଆଲା ହାଉସ୍ କୋର୍ଟ ।