ଦେଶରେ ପ୍ରଥମ, ଏକାସଙ୍ଗରେ ଫାଶୀଖୁଣ୍ଟରେ ଝୁଲିବେ ୪ ଯୌନରାକ୍ଷସ । ତିହାର ଜେଲରେ ପ୍ରସ୍ତୁତ ହୋଇ ସାରିଲାଣି ଫାଶୀ ଖୁଣ୍ଟ, ୪ ସୁଡଙ୍ଗର ନିର୍ମାଣ କାର୍ଯ୍ୟ ଶେଷ ।

2,061

ଖୁବଶୀଘ୍ର ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ମିଳିବ ଫାଶୀ । ଏକାସାଙ୍ଗରେ ଫାଶୀ ପାଇବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ୪ ଅଭିଯୁକ୍ତ । ଏଥିପାଇଁ ତିହାର ଜେଲରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୪ଜଣ ହତ୍ୟାକାରୀଙ୍କ ପାଇଁ ୪ଟି କାଠଫଳକ ତିଆରି କରାଯାଇଥିବା ବେଳେ ୪ଟି ସୁଡ଼ଙ୍ଗର ନିର୍ମାଣ ମଧ୍ୟ ଶେଷ ହୋଇଥିବା ଜଣା ପଡ଼ିଛି। ଗତ ସୋମବାର ପୂର୍ତ୍ତବିଭାଗ ୪ଟି ସୁଡ଼ଙ୍ଗ ନିର୍ମାଣ ଓ କାଠଫଳକ ନିର୍ମାଣ କାମ ଶେଷ କରିଛି।

ପୂର୍ବରୁ ତିହାର ଜେଲରେ ମାତ୍ର‌ ଗୋଟେ କାଠଫଳକ ଥିବା ବେଳେ ପ୍ରଥମ କରି ଏକାସାଙ୍ଗରେ ୪ଜଣ ଫାଶୀ ଖୁଣ୍ଟରେ ଝୁଲିବାକୁ ଥିବାରୁ ୪ଟି ସୁଡ଼ଙ୍ଗ ନିର୍ମାଣ ହୋଇଛି। ସୁଡ଼ଙ୍ଗ ନିର୍ମାଣ ପାଇଁ ଜେଲ ଭିତରକୁ ଜେସିବି ମେସିନ ଯିବା ପରେ ୪ଟି କାଠଫଳକ ଓ ସୁଡ଼ଙ୍ଗ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଯାହା ସୋମବାର ସୁଦ୍ଧା ଶେଷ ହୋଇଛି।

ମିଳିଥିବା ସୂଚନା ମୁତାବକ, ପ୍ରତିଟି କାଠଫଳକ ତଳେ ଗୋଟେ ଗୋଟେ ସୁଡ଼ଙ୍ଗ ନିର୍ମାଣ କରାଯାଇଥାଏ। ଫାଶୀ ଦିଆଯାଇ ସାରିବା ପରେ ତଳେ ନିର୍ମାଣ ହୋଇଥିବା ସୁଡ଼ଙ୍ଗ ଦ୍ୱାରା ମୃତଦେହକୁ ବାହାରକୁ ବାହାର କରାଯାଇଥାଏ। ପୂର୍ବରୁ ଥିବା କାଠଫଳକକୁ ଭାଙ୍ଗି ୪ଟି ନୂଆ କାଠଫଳକ ନିର୍ମାଣ କରାଯାଇଛି ।

ତେବେ ତିହାର ଜେଲ ପ୍ରଶାସନ ଡିସେମ୍ବର ୧୮ରେ ନିର୍ଭୟା ଦୋଷୀ ପବନ ଗୁପ୍ତା, ଅକ୍ଷୟ ସିଂହ, ମୁକେଶ ଓ ବିନୟ ଶର୍ମାଙ୍କୁ ନୋଟିସ୍‌ କରିଥିଲେ। ଏଥିରେ କୁହାଯାଇଥିଲା କି, ଗୋଟିଏ ସପ୍ତାହ ମଧ୍ୟରେ ସେମାନେ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନ କରି ପାରିବେ। ଏହି କ୍ରମରେ ଡିସେମ୍ବର ୨୫ ପର୍ଯ୍ୟନ୍ତ କ୍ଷମା ପ୍ରାର୍ଥନା ଆବେଦନର ସମୟସୀମା ରଖାଯାଇଥିବା ବେଳେ କୌଣସି ଦୋଷୀଙ୍କ ପକ୍ଷରୁ ରାଜକ୍ଷମା ଆବେଦନ କରାଯାଇ ନଥିଲା। ଆସନ୍ତା ୭ ତାରିଖରେ ପଟିଆଲା କୋର୍ଟ ୪ ଅଭିଯୁକ୍ତଙ୍କ ମୃତ୍ୟୁ ପରୱାନା ଉପରେ ରାୟ ଶୁଣାଇବେ । ତେଣୁ ପଟିଆଲା କୋର୍ଟଙ୍କ ରାୟ ଉପରେ ପୂରା ଦେଶର ନଜର ରହିଛି ।