ଫୋନି ପାଇଁ ୨୪ ଘଣ୍ଟା ବିମାନ ବନ୍ଦ । ଆଜି ମଧ୍ୟରାତ୍ରୀରୁ ଭୁବନେଶ୍ୱର ବିମାନମନ୍ଦରରେ ଲ୍ୟାଣ୍ଡିଂ କିମ୍ବା ଉଡାଣ ଭରି ପାରିବନି କୌଣସି ବିମାନ ।

172

କନକ ବ୍ୟୁରୋ : ପୁରୀ ଠାରୁ ଆଉ ମାତ୍ର ୩୨୦ କିଲୋମିଟର ଦୂରରେ ରହିଛି ଭୟଙ୍କର ବାତ୍ୟା ଫୋନି । ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ପୁରୀରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ଝଡ ଫୋନି । ଏହି ସମୟରେ ସ୍ଥଳଭାଗରେ ପ୍ରାୟ ୧୭୦ରୁ ୧୮୦ କିଲୋମିଟର ବେଗରେ ପବନ ବହିବ । ଏପରିକି କିଛି ସ୍ଥାନରେ ୨୦୦ କିଲୋମିଟରରୁ ଅଧିକ ବେଗରେ ମଧ୍ୟ ପବନ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସର୍ତକ କରାଯାଇଛି । ତେଣୁ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ଆଜି ମଧ୍ୟରାତ୍ରୀରୁ ଭୁବନେଶ୍ୱରରୁ ସମସ୍ତ ବିମାନ ସେବା ବାତିଲ କରାଯାଇଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଭୁବନେଶ୍ୱରକୁ କୌଣସି ବିମାନ ଆସିପାରିବ ନାହିଁ କି ଯାଇପାରିବ ନାହିଁ । ଏହି ସମୟରେ ପବନର ବେଗ ଅଧିକ ରହୁଥିବାରୁ ସମସ୍ତ ବିମାନ ସେବାକୁ ବାତିଲ କରାଯାଇଛି । ଏହାପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିମାନ ସେବା ଆରମ୍ଭ କରାଯିବ କି ନାହିଁ ତାହା ଉପରେ ନିଷ୍ପ୍ତି ନିଆଯିବ ।

ଏହାପୂର୍ବରୁ ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଶତାଧିକ ଟ୍ରେନ ବାତିଲ କରାଯାଇଛି । ଯାତ୍ରୀ ଓ ଟ୍ରେନର ସୁରକ୍ଷାକୁ ଦୃଷ୍ଟିରେ ରଖି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଖାସକରି ହାୱଡାରୁ ପୁରୀ ଓ ଭୁବନେଶ୍ୱରକୁ ଆସୁଥିବା ଟ୍ରେନ ଗୁଡିକୁ ଆଜି ସନ୍ଧ୍ୟା ପରଠାରୁ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇଛି । ଏହାଛଡା ପୁରୀରୁ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ପାଇଁ ସ୍ୱତନ୍ତ୍ର ଟ୍ରେନ ଓ ବସର ବ୍ୟବସ୍ଥା କରାଯାଇଛି ।