ବାତ୍ୟା ବିପନ୍ନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଫୋନି ପ୍ରଭାବରେ ଘର ଭାଙ୍ଗିଥିଲେ ମିଳିବ ପକ୍କା ଘର, କେହି ଜଣେ ହେଲେ ବି ପଡିବେନି ବାଦ୍ ।

605

କନକ ବ୍ୟୁରୋ : ବାତ୍ୟା ଫୋନି ଭାଙ୍ଗି ଦେଇଛି ଅନେକ ଗରିବ ଲୋକଙ୍କ ସ୍ୱପ୍ନ । ୨୦୦ କିଲୋମିଟରରୁ ଉଦ୍ଧ୍ୱର୍ ବେଗ ପବନରେ ଉଡି ଯାଇଛି ଜୀବନଯାକର ପୁଞ୍ଜି । ଅଣ୍ଟା ସଳଖି ପୁଣିଥରେ ଛିଡା ହେବାକୁ ସାହାରା ଖୋଜୁଛନ୍ତି ପ୍ରଭାବିତ ଲୋକ । ଏଭଳି ସମୟରେ ବାତ୍ୟା ପ୍ରଭାବିତଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ଫୋନିରେ ଘର ଭାଙ୍ଗି ଯାଇଥିଲେ ମିଳିବ ପକ୍କା ଘର ।ସମ୍ପୂର୍ଣ୍ଣ କିମ୍ବା ଅତିମାତ୍ରାରେ ଘର କ୍ଷତିଗ୍ରସ୍ତ ହୋଇଥିଲେ ପକ୍କା ଘର ଯୋଗାଇଦେବାକୁ ନବୀନ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ବାତ୍ୟା ପରେ ବାସହୀନ ପରିବାରଙ୍କ ମନରେ ଆଶାର କିରଣ ଉଦ୍ରେକ କରିଛି । ପୁଣିଥରେ ଅଣ୍ଟା ସଳଖି ଛିଡା ହେବାକୁ ସାହସ ଯୋଗାଇଛି ।

source : google

ମେ ୧୫ ତାରିଖରୁ କ୍ଷୟକ୍ଷତିର ଆକଳନ କରାଯିବ । ଆଉ ଏହାକୁ ଗୋଟିଏ ସପ୍ତାହ ମଧ୍ୟରେ ଶେଷ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କ୍ଷୟକ୍ଷତିର ଆକଳନ ପାଇଁ ପ୍ରତି ବ୍ଲକରେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବା ପରେ ବାତ୍ୟା ପ୍ରଭାବିତଙ୍କୁ ୧ ଜୁନରୁ ପକ୍କା ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିବ । ଏହି ପ୍ରକ୍ରିୟାରୁ ଜଣେ ହେଲେ ମଧ୍ୟ ବାତ୍ୟା ପ୍ରଭାବିତ ଯେପରି ବଞ୍ଚିତ ନ ହୁଅନ୍ତି ତାହା ଉପରେ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।