ବିଜୁଳି ବିଲ୍ ପାଇଁ ବାଜିଲା ଘଂଟି । ବିଲ୍ ପଇଠ କରିନଥିବା ୬ ଲକ୍ଷ ଲୋକଙ୍କ ଘରେ ଲିଭିଯିବ ଆଲୁଅ , ଜାନୁଆରୀ ୧୫ ସୁଦ୍ଧା ବକେୟା ନଦେଲେ ୧୬ ତାରିଖରୁ ୧୧ ହଜାର ୩୯୭ ଗାଁରେ ବିଜୁଳି କାଟିବାକୁ ଚେତାବନୀ ଦେଲା ସେସୁ

381

କନକ ବ୍ୟୁରୋ : ବାଜିଲା ବିଜୁଳି ଘଂଟି । ବିଦ୍ୟୁତ ବିଲ ପୈଠ ନକଲେ ଜାନୁଆରୀ ୧୬ ତାରିଖରେ ୬ଲକ୍ଷ ଉପଭୋକ୍ତାଙ୍କର ବିଜୁଳି କାଟିଦିଆଯିବ । ୧ହଜାର ୯୭୧ କୋଟି ଟଙ୍କାର ବିଜୁଳି ବିଲ୍ ବକେୟା ଥିବା ବେଳେ ରାଜ୍ୟ ସରକାର ଏଭଳି କଡା ନିଷ୍ପତି ନେବାକୁ ଯାଉଛନ୍ତି । ଏହି ପଦକ୍ଷେପ ନେଲେ ୧୧ହଜାର ୩୯୭ ଗାଁରେ କଟିବ ବିଜୁଳି । ଏଥିପାଇଁ ୪୧୩ଟି ସ୍କ୍ୱାର୍ଡ ଗଠନ କରିଛି ସେସୁ । ବିଦ୍ୟୁତ ବିଲ ବକେୟା ରଖିଥିବା ୭ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରୁ ୧ ଲକ୍ଷ ୧୦ ହଜାର ଛୋଟ ଛୋଟ ଉପଭୋକ୍ତା ୨୧ କୋଟି ଟଙ୍କା ବିଦ୍ୟୁତ ବିଲ ଦେଇଛନ୍ତି । ସପ୍ତାହକ ପୂର୍ବରୁ ଉପଭୋକ୍ତାଙ୍କୁ ଅନେକ ଥର ବିଭିନ୍ନ ମାଧ୍ୟମରେ ଅନୁରୋଧ କରାଯାଇଥିଲା । ଏପରିକି ୫ଲକ୍ଷ ଉପଭୋକ୍ତାଙ୍କୁ ଲିଫଲେଟ ବଂଟନ କରାଯାଇଥିଲା ।

ବିଭିନ୍ନ ଅଂଚଳରେ ମାଇକ ଦ୍ୱାରା ସୂଚନା ଦିଆଯାଇଥିଲା । ଖବର କାଗଜରେ ବିଜ୍ଞାପନ ବାହାରିବା ସହ ବିଭିନ୍ନ ସ୍ଥାନରେ ହୋର୍ଡିଂ ମଧ୍ୟ ଲଗାଯାଇଥିଲା । କିନ୍ତୁ ଏତେସବୁ ସଚେତନତା ପରେ ବି ୬ଲକ୍ଷ ଉପଭୋକ୍ତା ବିଦ୍ୟୁତ ବିଲ ବାକି ରଖିଛନ୍ତି । ‘’ବିିଲ ପଇଠ କରନ୍ତୁ, ବିଜୁଳି କାଟ୍ରୁ ମୁକ୍ତ ରୁହନ୍ତୁ’’ ବୋଲି ସଚେତନ କରିଥିଲା ସେସୁ । ଏବେ ୨୫ ହଜାର ଟଙ୍କାରୁ କମ ବକେୟା ରଖିଥିବା ଉପଭୋକ୍ତାଙ୍କ ପାଇଁ ୪ଟି ଇନଷ୍ଟଲମେଂଟ ମାଧ୍ୟମରେ ୩୦ ପ୍ରତିଶତ ବିଲ ପଇଠ କରିବା ପାଇଁ ସେସୁ ପକ୍ଷରୁ କୁହାଯାଇଛି । ଯାହା ଦ୍ୱାରା ଏହି ଗ୍ରାହକମାନଙ୍କର ବିଦ୍ୟୁତ କଟିବ ନାହିଁ ।

ସେହିପରି ୫୦ ହଜାର ଟଙ୍କାରୁ ଅଧିକ ବିଲ ବକେୟା ରଖିଥିବା ଉପଭୋକ୍ତା ବିଲର ୩୦ ପ୍ରତିଶତ ଦେଇ ୬ଟି ଇନଷ୍ଟଲମେଂଟରେ ବିଲ ପଇଠ କରିପାରିବେ । ୮ଲକ୍ଷ ୩୬ ହଜାର ଘରୋଇ ଉପଭୋକ୍ତାଙ୍କୁ ମଧ୍ୟ ନୋଟିସ କରାଯାଇଛି । ସେହିପରି ୫୯ ହଜାର ବ୍ୟବସାୟୀ ଏବଂ ଦୋକାନ ଘରକୁ ନୋଟିସ କରାଯାଇଛି । ଅନ୍ୟପଟେ ୫୯୬୫ ସରକାରୀ ଅନୁଷ୍ଠାନ ୬୪କୋଟି ୩୭ଲକ୍ଷ ଟଙ୍କା ବିଦ୍ୟୁତ ବିଲ ବକେୟା ରଖିଛନ୍ତି । ସେମାନଙ୍କୁ ନୋଟିସ କରାଯାଇଛି । ୩୧ ମାର୍ଚ୍ଚ ସୁଦ୍ଧା ସେମାନେ ବିଲ ପୈଠ କରିବେ ବୋଲି କହିଛନ୍ତି ।