କରୋନା ପାଇଁ ସ୍କୁଲ ବନ୍ଦ: ମାର୍ଚ୍ଚ ୩୧ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତି; ସିନେମା ହଲ୍ ଓ ସୁଇମିଂ ପୁଲ୍ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ

କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର

7,328

କନକ ବ୍ୟୁରୋ: ମାରାତ୍ମକ କରୋନା ଭୂତାଣୁର ବ୍ୟାପକ ସଂକ୍ରମଣ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାମାରୀ ଘୋଷଣା ପରେ ମୁକାବିଲା ପାଇଁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର । କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ସହ କରୋନା ପାଇଁ ମାର୍ଚ୍ଚ ୩୧ ତାରିଖ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି । ସେହିଭଳି କରୋନାର ଭୟାବହତା ଏବଂ ଜନତାଙ୍କ ସୁରକ୍ଷାକୁ ନଜରରେ ରଖି ରାଜ୍ୟର ସମସ୍ତ ସିନେମା ହଲ, ସୁଇମିଂ ପୁଲଗୁଡିକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ବିଶ୍ୱରେ କାୟା ମେଲାଉଛି କରୋନା ଭାଇରସ । ତେବେ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୭୫କୁ ବୃଦ୍ଧି ପାଇଥିବା ବେଳେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ଏବେ ଉଭୟ ଦେଶ ଏବଂ ରାଜ୍ୟରେ ଆତଙ୍କ ଖେଳିଯାଇଛି । ତେବେ ଓଡିଶାରେ କେହି କରୋନା ଭାଇରସରେ ଆକ୍ରାନ୍ତ ନଥିବା ସ୍ପଷ୍ଟ ହୋଇଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି ।

ଏପଟେ ସଂକ୍ରମଣକୁ ରୋକିବା ପାଇଁ ମୁକାବିଲା ଆରମ୍ଭ କରିଛନ୍ତି ସରକାର । କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି ବିଧାନସଭାରେ କରୋନା ଭାଇରସ ଉପରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ କରୋନା ମୁକାବିଲା ପାଇଁ ୨୦୦ କୋଟି ଟଙ୍କାର ପାଣ୍ଠି କରାଯାଇଛି । ମାର୍ଚ୍ଚ ୩୧ ଯାଏଁ ରାଜ୍ୟର ସବୁ ସ୍କୁଲ ବନ୍ଦ ରହିବ । କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ନେଇ ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଶିକ୍ଷାନୁଷ୍ଠାନ ବନ୍ଦ ସତ୍ୱେ ପରୀକ୍ଷା ଚାଲୁ ରହିବ । ସେହିପରି ସମସ୍ତ ସିନେମା ହଲ, ସୁଇମିଂ ପୁଲକୁ ମଧ୍ୟ ମଧ୍ୟ କୁହାଯାଇଛି । ତେବେ କରୋନାକୁ ଆଖି ଆଗରେ ରଖି ରାଜ୍ୟରେ ଯଥେଷ୍ଟ ମାତ୍ରାରେ ମାସ୍କ, ପେପର ସପ୍‌, ପରିମଳ ସାମଗ୍ରୀ ମହଜୁଦ ରଖିବାକୁ ବି ଏଥିରେ ନିଷ୍ପତ୍ତି ହୋଇଥିବାର ସୂଚନା ମିଳିଛି।